‌ଛାତ୍ରଛାତ୍ରୀଙ୍କୁ ମିଳିବ ୯୦ଦିନର ‘ମଧ୍ୟାହ୍ନ ଭୋଜନ’ ଚାଉଳ : ପରିବାର ଲୋକେ କୁପନ ଦେଖାଇ ନିକଟସ୍ଥ କଣ୍ଟ୍ରୋଲ ଦୋକାନରୁ ଆଣିପାରିବେ

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୯୦ ଦିନର ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଇ ଦିଆଯିବ। କରୋନା ସତର୍କତା ପାଇଁ ସଂପ୍ରତି ସ୍କୁଲ୍‌ ବନ୍ଦ ଯୋଗୁଁ ମଧ୍ୟାହ୍ନ ‌ଭୋଜନ ରୋଷେଇଶାଳକୁ ବନ୍ଦ ରଖାଯାଇଥିଲେ ହେଁ ପିଲାମାନଙ୍କର ପୋଷକ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଚ୍ଚ ୧୬ରୁ ଜୁନ ମାସ ୧୩ ତାରିଖ ପର୍ଯ୍ୟନ୍ତ ୯୦ ଦିନର ଚାଉଳ ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି। ଏହି ଚାଉଳ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ପରିବାର ନିଜର କଣ୍ଟ୍ରୋଲ ସାମଗ୍ରୀ ଆଣିବା ବେଳେ ସେଇ କଣ୍ଟ୍ରୋଲ ଦୋକାନରୁ ଆଣିପାରିବେ। ତେବେ ଏଥିପାଇଁ ସେମାନେ ଏକ ସ୍ବତନ୍ତ୍ର କୁପନ ନିଜ ରାସନ କାର୍ଡ ସହ ନେବାକୁ ପଡ଼ିବ। ପ୍ରତ୍ୟେକ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କ ପିତାମାତା/ଅଭିଭାବକଙ୍କୁ ସେଇ କୁପନ ପ୍ରଦାନ କରିବେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ଗାଇଡଲାଇନ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ମଧ୍ୟାହ୍ନ ଭୋଜନ ରାସନ ବିତରଣ କାର୍ଯ୍ୟକ୍ରମରେ ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାସକ ପାଇଁ ୩ କେଜି ଲେଖାଏ ହିସାବରେ ୯ କେଜି ଚାଉଳ ଏବଂ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପିଛା ମାସକୁ ‌୪କେଜି ୫୦୦ ‌ହିସାବରେ ୩ ମାସ ପାଇଁ ୧୩ କେଜି ୫୦୦ ଗ୍ରାମ ଚାଉଳ ପ୍ରଦାନ କରାଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ଏହି କାର୍ଯ୍ୟ ସରକାର ହାତକୁ ନେଇଛନ୍ତି।

ଏଥିପାଇଁ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନେ ବିଦ୍ୟାଳୟ ଓ ଶ୍ରେଣୀ ଭିତ୍ତିରେ ସେମାନଙ୍କର ତାଲିକା ପ୍ରସ୍ତୁତ କରି ସେମାନଙ୍କର ନିକଟସ୍ଥ ପିଡିଏସ ତଥା କଣ୍ଟ୍ରୋଲ ଦୋକାନକୁ ସୂଚିତ କରିବେ। ସିଆରସିସି, ପ୍ରଧାନ ଶିକ୍ଷକ ଓ ଏମଆଇଙ୍କ ସହଯୋଗରେ ଏସବୁ ପ୍ରସ୍ତୁତ କରିବେ। ଏହି କୁପନ ପ୍ରଦାନ ବ୍ୟବସ୍ଥା ସହ ନିକଟସ୍ଥ ପିଡିଏସରୁ କେତେ ପିଲାଙ୍କ ପାଇଁ ଚାଉଳ ଯିବ ସେ ସଂକ୍ରାନ୍ତ ତଥ୍ୟ ପ୍ରସ୍ତୁତ କରିବା ପରେ ସମ୍ପୃକ୍ତ କଣ୍ଟ୍ରୋଲ ଦୋକାନକୁ ସେଇ ଅନୁସାରେ ଚାଉଳ ଯୋଗାଇ ଦିଆଯିବ। ରେଜିଷ୍ଟରରେ ପିଲାଙ୍କ ନାମ, ପିତାମାତାଙ୍କ ନାମ, ପିତାମାତାଙ୍କ ମୋବାଇଲ ନମ୍ବର, ରାସନ କାର୍ଡ ନମ୍ବର, ଗ୍ରାମ ପଞ୍ଚାୟତ ଓ ବ୍ଲକ, ପିଡିଏସ ଷ୍ଟୋରର ନାମ ରହିବ। ଏଥିରେ ପ୍ରଧାନ ଶିକ୍ଷକଙ୍କର ଦସ୍ତଖତ ମଧ୍ୟ ରହିବ। ଖାଦ୍ୟ ଯୋଗାଣ ବିଭାଗ ଏହି ଚାଉଳ ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା କରିବ।

ସମ୍ବନ୍ଧିତ ଖବର