ଭଦ୍ରକ/ବୀରମହାରାଜପୁର: ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଏରେଇଁ ନିକଟସ୍ଥ ଏକ ଘରୋଇ ଶିକ୍ଷାକେନ୍ଦ୍ର ଓ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକଣ୍ଠ ଉଲୁଣ୍ଡା ଥାନା ଅଂଚଳରେ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ଆସିଛି।

Advertisment

ଏରେଇଁ  ନିକଟସ୍ଥ ଏକ ଘରୋଇ ଶିକ୍ଷା କେନ୍ଦ୍ରରେ ନିର୍ଯାତନାର ଶିକାର ହୋଇ ଶନିବାର ଦୁଇ ଜଣ ଛାତ୍ରଛାତ୍ରୀ ଶିକ୍ଷା କେନ୍ଦ୍ରରୁ ଲୁଚି ପଳାଇ ଆସୁଥିଲେ। ସେମାନଙ୍କୁ ୧୬ ନଂ ଜାତୀୟ ରାଜପଥରେ ଚାଲି ଯାଉଥିବା ସମୟରେ ସ୍ଥାନୀୟ ଲୋକମାନେ ସନ୍ଦେହ ହେବାରୁ ଅଟକାଇ ଥିଲେ। କୁଆଡେ ଯାଉଛ ବୋଲି ପଚରାଉଚରା କରିଥିଲେ। ପିଲା ଦୁଇଟିଙ୍କ ନିକଟରୁ ସବୁ ଘଟଣା ଜାଣିବା ପରେ ସ୍ଥାନୀୟ ଲୋକମାନେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସକୁ ଖବର ଦେବା ସହ ସ୍କୁଲକୁ ଖବର ଦେଇଥିଲେ। ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ପିଲାଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରୁଛି। ଏହି ଘଟଣାକୁ ନେଇ ଆଜି ଚରମ୍ପା ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ଘରୋଇ ଶିକ୍ଷାନୁଷ୍ଠାନରେ ଏଭଳି ଛାତ୍ର ନିର୍ଯାତନା ଦିଆ ଯାଉଥିବା ବେଳେ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଠାନ ମୂଳକ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ଥାନା ନିମ୍ନା ୟୁପି ସ୍କୁଲର ଜଣେ ଛାତ୍ରୀଙ୍କୁ ଅସଦାଚରଣ ସାମ୍ନା କରିଛନ୍ତି। ଛାତ୍ରୀ ଜଣକ ନିଜ ସ୍କୁଲର ଶିକ୍ଷକଙ୍କ ଦ୍ବାରା ଅସଦାଚରଣର ଶିକାର ହୋଇଛନ୍ତି। ଏହାକୁ ନେଇ ଛାତ୍ରୀଙ୍କ ବାପା ଶନିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବିଦ୍ୟାଳୟର ଶିକ୍ଷକ ବନମାଳୀ ପରିଡ଼ା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଭିନ୍ନ ସମୟରେ ଖରାପ ନଜରରେ ଦେଖିବା ସହିତ ଅଶ୍ଲୀଳ ଇଙ୍ଗୀତ କରି ଅସଦାଚରଣ କରି ଆସୁଥିଲେ। ଏନେଇ ଛାତ୍ରୀ ଜଣକ ପ୍ରଥମେ ବିଦ୍ୟାଳୟର ଅନ୍ୟ ଜଣେ ଶିକ୍ଷୟତ୍ରୀ ଓ ପରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ। ହେଲେ ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷକ ବନମାଳୀଙ୍କ ବିରୁଦ୍ଧରେ କୈାଣସି ପ୍ରକାରର କାର୍ଯ୍ୟାନୁଷ୍ଟାନ ନେଇ ନଥିଲେ। ପରେ ବନମାଳୀ ପରିଡା ଛାତ୍ରୀଙ୍କୁ ଆହୁରୀ ଅଧିକ ଅଶୋଭନୀୟ ଆଚରଣ କରିଥିଲେ। ଫଳରେ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ ଓ ଛାତ୍ରୀଙ୍କ ବାପା ଶନିବାର ଏହି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପତ୍ରରେ ଛାତ୍ରୀଙ୍କ ବାପା ଅନ୍ୟ ଛାତ୍ରୀଙ୍କୁ ମଧ୍ୟ ଶିକ୍ଷକ ଅନେକ ସମୟରେ ଏପରି ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି। ତେବେ ଶିକ୍ଷକ ଜଣକ ଶୁକ୍ରବାର ଠାରୁ ଫେରାର ଥିବା ଜଣାପଡ଼ିଛି। ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଟାନ ପାଇଁ ବୁଦ୍ଧିଜୀବୀ ମହଳରେ ଦାବି ହେଉଛି।