ଛାତ୍ର ସଂସଦ ନିର୍ବାଚନ ବନ୍ଦ

ନିଷ୍ପତ୍ତିକୁ ଛାତ୍ର ବିଜେଡିର ସ୍ବାଗତ, ଏବିଭିପି ଓ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ବର : ଏ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ। ଛାତ୍ରଛାତ୍ରୀ ସିଧାସଳଖ ସେମାନଙ୍କ ନେତା ବାଛି‌ବେ ନାହିଁ। ବରଂ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଛାତ୍ର ପ୍ରତିନିଧି ବଛାଯିବେ। ଗତକାଲି ଡିଗ୍ରି କଲେଜ ଅଧ୍ୟକ୍ଷ ସମ୍ମିଳନୀରେ ନିର୍ବାଚନ ବନ୍ଦ ଲାଗି ଅଧିକାଂଶ ଅଧ୍ୟକ୍ଷ ମତ ଦେବା ପରେ ଆଜି ଏଭଳି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ବିଭାଗୀୟ ଶାସନ ସଚିବ ଶାଶ୍ବତ ମିଶ୍ର ଆଜି ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକୁ ଚିଠି ଲେଖି ଏହା ଜଣାଇଛନ୍ତି । ଲେଖିଛନ୍ତି, ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ନଜରରେ ରଖି ଚଳିତବର୍ଷ ନିର୍ବାଚନ ନ କରିବାକୁ ସ୍ଥିର ହୋଇଛି। ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ଅଧିକାର ବଳରେ ଏଭଳି ନିଷ୍ପତ୍ତି ହୋଇଛି। ତେବେ ବିଶ୍ବବିଦ୍ୟାଳୟ ଓ କଲେଜର ଆବଶ୍ୟକତା ଅନୁଯାୟୀ ଏକ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଛାତ୍ର ପ୍ରତିନିଧି ବଛା ଯାଇପାରିବେ। ଏ ନେଇ ପରବର୍ତୀ ସମୟରେ ଜଣାଇ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ତେବେ ବିକଳ୍ପ ବାଟ କ’ଣ? ସେ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। କେଉଁଭଳି ଭାବେ ଛାତ୍ର ପ୍ରତିନିଧି ବଛାଯିବେ? କେଉଁମାନେ ଛାତ୍ର ପ୍ରତିନିଧି ହେବେ? ସେମାନଙ୍କ ଯୋଗ୍ୟତା‌ କ’ଣ ରହିବ? ଏହାଦ୍ବାରା କ୍ୟାମ୍ପସରେ ଛାତ୍ର ଅଶାନ୍ତି ବଢ଼ିବନି ତ? ନିଜ ନିଜ ସମର୍ଥକଙ୍କୁ ପଦରେ ବସାଇବା ଲାଗି ସଙ୍ଗଠନଗୁଡ଼ିକ ମଧ୍ୟରେ ଟଣାଓଟରା ଲାଗିବନି ତ? ଏଭଳି ଅନେକ ପ୍ରଶ୍ନ ଉଠିଛି।

ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏଥର ବିଭିନ୍ନ କାରଣ ଯୋଗୁଁ ପାଠପଢ଼ା ବିଳମ୍ବ ହୋଇଛି। ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବରେ ପ୍ରକାଶ ପାଇଥିଲା। ବାତ୍ୟା ଯୋଗୁଁ ଶିକ୍ଷାନୁଷ୍ଠାନ ପ୍ରଭାବିତ ହୋଇଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୪ର୍ଥ ସପ୍ତାହରେ ଇଣ୍ଟରନାଲ ପରୀକ୍ଷା ହେବ। ଏଭଳି ସମୟରେ ପ୍ରତ୍ୟକ୍ଷ ନିର୍ବାଚନ କରିବା ଦ୍ବାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପ୍ରଭାବ ପଡ଼ିବ। ସେମାନଙ୍କର ପ୍ରାୟ ମାସେ ସମୟ ବରବାଦ ହେବ। ପାଠପଢ଼ା ଠିକ୍‌ ଭାବେ ହୋଇପାରିବ ନାହିଁ। ତାହାକୁ ଦୃଷ୍ଟିରେ ରଖି ଗତକାଲି ଅଧ୍ୟକ୍ଷମାନଙ୍କଠାରୁ ମତାମତ ଲୋଡ଼ାଯିବା ପରେ ନିର୍ବାଚନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।

ଉଚ୍ଚଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ଛାତ୍ର ବିଜେଡି ସ୍ବାଗତ କରିଛି। ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର କହିଛନ୍ତି ଯେ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ବଜାୟ ରଖିବା ଦିଗରେ ଏହା ସହାୟକ ହେବ। ପ୍ରତ୍ୟକ୍ଷ ନିର୍ବାଚନ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଛି। ଅନେକ କ୍ୟାମ୍ପସରେ ହିଂସା ଦେଖାଦେଉଛି। କ୍ୟାମ୍ପସ୍‌ରେ ଭଙ୍ଗାରୁଜା ହେଉଛି। ତେଣୁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ସ୍ବାଗତଯୋଗ୍ୟ।

ତେବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଏହି ନିଷ୍ପତ୍ତିକୁ ବି‌େରାଧ କରି ରାଜରାସ୍ତାକୁ ଓହ୍ଲାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଶୁକ୍ରବାର ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି ଯେ ରାଜ୍ୟ ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ନିଜେ ଛାତ୍ର ରାଜନୀତିରୁ ଆସିଥିବା ବେଳେ ଛାତ୍ରଛାତ୍ରୀଙ୍କ ଅଧିକାରଙ୍କୁ କ୍ଷୁଣ୍ଣ କରିବାଠାରୁ ଲଜ୍ଜାର ବିଷୟ କିଛି ନାହିଁ। ରାଜ୍ୟ ସରକାରରେ ଥିବା ବିଜେଡିର ଛାତ୍ର ସଙ୍ଗଠନ କ୍ୟାମ୍ପସରେ ଦୁର୍ବଳ ହୋଇଯାଇଛି। ସଙ୍ଗଠନରେ ଅନ୍ତଃ କନ୍ଦଳ ଲାଗି ରହିଛି। ସେଥିପାଇଁ ସଙ୍ଗଠନର ପ୍ରାର୍ଥୀମାନେ ବହୁ ସ୍ଥାନରେ ହାରିବା ଏକପ୍ରକାର ଥୟ। ତେଣୁ ଗତବର୍ଷ ପରି ଏଥର ମଧ୍ୟ ନିର୍ବାଚନ ବନ୍ଦ କରିଛନ୍ତି। ଏଭଳି ନିଷ୍ପତ୍ତି ବିରୋଧରେ ତୀବ୍ର ଆନ୍ଦୋଳନ କରାଯିବ। ନିଷ୍ପତ୍ତି ପ୍ରତ୍ୟାହାର କରା ନଗଲେ ରାଜ୍ୟର ସବୁ କ୍ୟାମ୍ପସରେ ନିଆଁ ଜଳିବ।

ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାଜୀବ ପଟ୍ଟନାୟକ କହିଛନ୍ତି ଯେ ଲିଙ୍ଗଡୋ କମିସନଙ୍କ ନିୟମ ଅନୁଯାୟୀ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ କ୍ୟାମ୍ପସରେ ନିର୍ବାଚନ ବନ୍ଦ କରିଥାନ୍ତି। ତେବେ ଦୁଇ ବର୍ଷ ହେଲା ରାଜ୍ୟ ସରକାର ନିଜ ଆଡ଼ୁ ନିର୍ବାଚନ ବନ୍ଦ କରିଦେଉଛନ୍ତି। ବିଜେଡିର ଛାତ୍ର ସଙ୍ଗଠନ କ୍ୟାମ୍ପସରେ ସକ୍ରିୟ ନାହିଁ। ଛାତ୍ରଛାତ୍ରୀଙ୍କ ଲାଗି କାମ କରୁନାହାନ୍ତି। ପ୍ରତି କ୍ୟାମ୍ପସରେ ଛାତ୍ର ବିଜେଡିର ଏକାଧିକ ଗ୍ରୁପ୍‌ ସୃଷ୍ଟି ହେଲାଣି। ତେଣୁ ହାରିଯିବା ଭୟରେ ନିର୍ବାଚନ ବନ୍ଦ କରୁଛନ୍ତି। ରାଜନେତା ହେବା ପାଇଁ ଛାତ୍ର ସଂସଦ ନିର୍ବାଚନ ଏକ ମାଧ୍ୟମ। ତେବେ ସରକାର ଆଶାୟୀ ଛାତ୍ରନେତାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ନ ହେଲେ ପ୍ରତି କ୍ୟାମ୍ପସରେ ଆନ୍ଦୋଳନ ହେବ। ମନ୍ତ୍ରୀଙ୍କୁ ସବୁଠି ବିରୋଧ କରାଯିବ। କ୍ୟାମ୍ପସରେ ଯେଉଁ ଅରାଜକତା ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହି‌ବେ।

ସମ୍ବନ୍ଧିତ ଖବର