ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ

୧ରେ ବିଜ୍ଞପ୍ତି, ୩ରେ ନାମ‌ାଙ୍କନ, ୪ରେ ଚୂଡ଼ାନ୍ତ ପ୍ରାର୍ଥୀ ତ‌ାଲିକା

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଅକ୍ଟୋବର ୧୧ରେ ହେବ ଛାତ୍ର ସ˚ସଦ ନିର୍ବାଚନ। ରାଜ୍ୟରେ ଥିବା ସମସ୍ତ ଯୁକ୍ତ ୩ କଲେଜ ଏବ˚ ବିଶ୍ୱବିଦ୍ୟାଳୟରେ ଗୋଟିଏ ଦିନରେ ନିର୍ବାଚନ ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଅକ୍ଟୋବର ୧ରେ ନିର୍ବାଚନ ନେଇ କଲେଜ/ବିଶ୍ୱବିଦ୍ୟାଳୟସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବ। ୩ ତାରିଖ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ ହେବ। ୪ ତାରିଖ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର ଏବ˚ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ୧୦ ତାରିଖରେ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଅନୁଷ୍ଠିତ ହେବ। ୧୧ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ କରାଯିବ। ୧୨ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଲିଙ୍ଗଡୋ କମିସନଙ୍କ ନିୟମ ଅନୁଯାୟୀ ଛାତ୍ର ସ˚ସଦ ନିର୍ବାଚନ ହେବ। ପ୍ରାର୍ଥୀ ହେବା ଲାଗି ସ୍ନାତକ ଛାତ୍ରଛାତ୍ରୀଙ୍କ ବୟସ ୧୫ରୁ ୨୨ ମଧ୍ୟରେ ଏବ˚ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୨୫ ବର୍ଷ ରଖାଯାଇଛି। ପ୍ରାର୍ଥୀ ହେବା ଲାଗି ଶ୍ରେଣୀରେ ୭୫ ପ୍ରତିଶତ ଉପସ୍ଥାନ ଥିବା ଆବଶ୍ୟକ। ଅଫିସିଆଲ୍‌ ପଦବି ଲାଗି ଜଣେ ପ୍ରାର୍ଥୀ ଥରେ ଏବ˚ କାର୍ଯ୍ୟନିର୍ବାହୀ ପଦବି ଲାଗି ଦୁଇ ଥର ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ପ୍ରାର୍ଥୀଙ୍କ ବିରୋଧରେ କୌଣସି ପ୍ରକାର ଅପରାଧିକ ମାମଲା ନ ଥିବ। କ‌ଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ରେଗୁଲାର ଛାତ୍ରଛାତ୍ରୀ ନିର୍ବାଚନରେ ହିଁ ପ୍ରାର୍ଥୀ ହୋଇପାରିବେ। ଜଣେ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିବେ। କୌଣସି ରାଜନୈତିକ ଦଳରୁ ପ୍ରାର୍ଥୀ ହୋଇପାରିବେ ନାହିଁ। ନିର୍ବାଚନ ପୂର୍ବରୁ କିମ୍ବା ନିର୍ବାଚନ ସମୟରେ ଯଦି କ୍ୟାମ୍ପସରେ କୌଣସି ପ୍ରକାର ଗଣ୍ତଗୋଳ ହୁଏ ତେବେ ନିର୍ବାଚନକୁ ବାତିଲ୍‌ କରିବା କ୍ଷମତା ଶିକ୍ଷାନୁଷ୍ଠାନ କତୃର୍ପକ୍ଷଙ୍କୁ ଦିଆଯାଇଛି।

ପ୍ରଚାର ସମୟରେ ପ୍ରାର୍ଥୀମାନେ ପ୍ରିଣ୍ଟିଂ ପୋଷ୍ଟର, ବ୍ୟାନର ଲଗାଇପାରିବେ ନାହିଁ। କେବଳ ହାତ ତିଆରି ପୋଷ୍ଟର ବ୍ୟବହାର କରିବେ। ବ୍ୟାନର ଲଗାଇବା ଲାଗି କଲେଜ କର୍ତୃପକ୍ଷ ନିର୍ଦିଷ୍ଟ ସ୍ଥାନ ଚିହ୍ନଟ କରିବେ। କଲେଜ କ୍ୟାମ୍ପସରେ ପ୍ରାର୍ଥୀ ସାଧାରଣ ସଭା ଏବ˚ ଶ୍ୱତପତ୍ର ବାଣ୍ଟିପାରିବେ ନାହିଁ। ପ୍ରଚାର ସମୟରେ ପ୍ରାର୍ଥୀମାନେ ଡାକବାଜି ଯନ୍ତ୍ର, ଗାଡ଼ି ଏବ˚ ଜୀବଜନ୍ତୁଙ୍କୁ ବ୍ୟବହାର କରିବେ ନାହିଁ। ନିର୍ବାଚନ ଦିନ ୧୦୦ ମିଟର ମଧ୍ୟରେ ପ୍ରାର୍ଥୀ ପ୍ରଚାର କରିପାରିବେ ନାହିଁ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ ଶାନ୍ତିଶୃଙ୍ଖଳା ରଖିବା ଦିଗରେ ପ୍ରାର୍ଥୀମାନେ ସହଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର