ଭୁବନେଶ୍ବର : ପାଠପଢ଼ାରେ ଶିକ୍ଷକମାନେ ବହି ଖାତାର ବ୍ୟବହାର କମାଇ ଦେଲେଣି। ହ୍ବାଟ୍ସ ଆପ୍ ଗ୍ରୁପ କରାଯାଇଛି। ସେଥିରେ ଶ୍ରେଣୀରେ ଶିକ୍ଷକମାନେ ଅଛନ୍ତି। ଏଥିରେ ପିଲାମାନଙ୍କ ପାଇଁ ନୋଟ୍ ଦିଆଯାଉଛି, ହୋମ୍ ଓ୍ୱାର୍କ ବି।
ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଟିପ୍ସ ବି ଦିଆଯାଉଛି। ଆଉ ଘରେ ବସି ପିଲାମାନେ ମୋବାଇଲ୍ରେ ଅଭ୍ୟାସ ପାଇଁ ପ୍ରଶ୍ନପତ୍ର ପାଇଯାଉଛନ୍ତି, ଉତ୍ତର ବି। ବହି ଖାତା ଓଲଟାଇବାକୁ ପଡୁନି। ଆଣ୍ଡ୍ରଏଡ୍ ମୋବାଇଲ୍ ଧରି ଟିପିବାରେ ଲାଗୁଛନ୍ତି। କେହି ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ ବି ନୋଟ୍ ସିଟ୍ ହ୍ବାଟ୍ସ ଆପ୍ରେ ପଠାଇ ଦେବା ଲାଗି ସାଙ୍ଗସାଥୀଙ୍କୁ ସୂଚାଇ ଦେବା ମାତ୍ରେ କେଇ ସେକେଣ୍ଡରେ ତାର ସମସ୍ୟା ସମାଧାନ ହେଇଗଲା। ପରିଣାମହେଲା, ଛାତ୍ରଛାତ୍ରୀଙ୍କ ମନ ଆଉ ବହି ଖାତାରେ ରହୁନି। ସେମାନେ ମୋବାଇଲ୍ ମାନିଆ ହେଉଛନ୍ତି। ଘରେ ରହିବା ସମୟରେ ବି ବହି ଖାତା ଖୋଜିବା ବଦଳରେ ମୋବାଇଲ୍ କେଉଁଠି ରହିଲା ତାହା ଉଣ୍ଡାଳୁଛନ୍ତି।
ଏସବୁ କଥା ଆମେ କହୁନୁ କି ରାଜ୍ୟର ଗୋଟିଏ କି ଦୁଇଟି ବିଦ୍ୟାଳୟରେ ଏଭଳି ହେଉଛି ତା ନୁହେଁ। ଭୁବନେଶ୍ବର ସମେତ ରାଜ୍ୟର ପ୍ରମୁଖ ସହରରେ ଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷକମାନେ ଏଭଳି ସୂତ୍ର ପ୍ରୟୋଗ କରି ଧୀରେ ଧୀରେ ଛାତ୍ରଛାତ୍ରୀଙ୍କୁ ବହି, ନୋଟ୍ ଡାକିବା, ଅଭ୍ୟାସ କରିବା ପ୍ରକ୍ରିୟାରୁ ଦୂରେଇ ଦେଲେଣି। କୌତୂହଳର କଥା ହେଉଛି, ଗୋଟିଏ ପଟେ ସରକାରଙ୍କ ପକ୍ଷରୁ ସ୍କୁଲ ଓ କଲେଜ କ୍ୟାମ୍ପସରେ ମୋବାଇଲ୍ କଟକଣା ଜାରି କରାଯାଇଛି। ଅନ୍ୟପଟରେ କିନ୍ତୁ ଡିଜିଟାଲ ଓଡ଼ିଶା ଦେଇ ସ୍ଲୋଗାନ ଦିଆଯାଇ ଛାତ୍ରଛାତ୍ରୀଙ୍କୁ ଏଭଳି ମୋବାଇଲ୍ ଭିତରେ ଛନ୍ଦି ଦିଆଯାଉଛି ଯେ ଅଭିଭାବକମାନେ ଚିନ୍ତାରେ ପଡିଲେଣି।
କିଛି ଅଭିଭାବକଙ୍କର ଅଭିଯୋଗ ହେଲା, ଗତ ଦୁଇରୁ ତିନି ବର୍ଷ ହେଲା ପିଲାଙ୍କ ମୋବାଇଲ୍ ମାନସିକତା ବଢ଼ିଚାଲିଛି। ଶ୍ରେଣୀକକ୍ଷରେ କଣ ପଢାଗଲା, ତାହା ଜାଣିବାର ଶକ୍ତି ନାହିଁ। କିନ୍ତୁ ମୋବାଇଲ୍ରେ ହ୍ବାଟ୍ସ ଆପ୍ ଗ୍ରୁପ୍ କରି ପିଲାମାନଙ୍କୁ ସେଥିରେ ହୋମୱାର୍କ ପଠାଉଛନ୍ତି। ଯେଉଁ ଛାତ୍ରଛାତ୍ରୀଙ୍କର ମୋବାଇଲ୍ ନାହିଁ ସେମାନଙ୍କ ଅଭିଭାବକଙ୍କ ମୋବାଇଲ୍କୁ ବି ନୋଟ୍ ପଠାଯାଉଛି। ଏଥିରୁ କେତେ ଲାଭ ମିଳୁଛି, ତାହା ବିତର୍କର ବିଷୟ। କିନ୍ତୁ ହେଲେ ଏହାର ବିପରୀତ ପ୍ରଭାବ ପଡିଲାଣି। ପିଲାମାନେ ମୋବାଇଲ୍ରୁ ନୋଟ୍ ସଂଗ୍ରହ କରିବା ଆଳରେ ମୋବାଇଲ୍ ସହିତ ଯୋଡି ହୋଇ ରହୁଛନ୍ତି ଓ ଏହାର ଅପବ୍ୟବହାର ବି ଆରମ୍ଭ ହୋଇଛି। ମୋବାଇଲ୍ରେ ବିଭିନ୍ନ ଆପ୍ ଡାଉନ୍ଲୋଡ କରିବା ସହ ସେଥିରେ ସାଙ୍ଗମାନଙ୍କ ସହ ଯୋଡ଼ି ହେଉଛନ୍ତି। ଆପତ୍ତିଜନକ ଆପ୍ ହାବୁଡ଼ରେ ମଧ୍ୟ ପଡ଼ିଯାଉଛନ୍ତି। ପାଠପଢ଼ା ସମୟରେ ସେମାନେ ହ୍ବାଟ୍ସଆପ୍, ଇନ୍ଷ୍ଟାଗ୍ରାମ୍, ଫେସ୍ବୁକ୍, ଟିକ୍ଟକ୍ ପରି ବିଭିନ୍ନ ଆପ୍ ବ୍ୟବହାରରେ ବ୍ୟସ୍ତ ରହୁଛନ୍ତି।
ମୋବାଇଲ୍ ବ୍ୟବହାର କରି ଅନେକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବାର ନଜିର ବି ରହିଛି। ଗତ ୩ ବର୍ଷର ତଥ୍ୟକୁ ଦେଖିଲେ, ଭୁବନେଶ୍ବରରେ ୫ ଜଣ ଛାତ୍ରଛାତ୍ରୀ ମୋବାଇଲ୍ ବ୍ୟବହାର କରି ମୃତ୍ୟୁବରଣ କରିଛନ୍ତି। ଦେଶର ବିଭିନ୍ନ ସହରର ଏହି ସଂଖ୍ୟା ଆହୁରି ଅଧିକ। ୨୦୧୮ରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ଘଟଣା ଚର୍ଚ୍ଚାକୁ ଆସିଥିଲା। ବିଦ୍ୟାଳୟ ୟୁନିଫର୍ମ ପିନ୍ଧିଥିବା ଦୁଇ ଜଣ ଛାତ୍ର ଓ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖାଯାଇଥିଲା। ଶିକ୍ଷକମାନେ ମଧ୍ୟ ମୋବାଇଲ୍ ଦ୍ବାରା ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିବା ନେଇ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ଆସିଥିଲା। ତାହାକୁ ଦୃଷ୍ଟିରେ ରଖି ୨୦୧୮ ଫେବ୍ରୁଆରିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ମୋବାଇଲ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା।
ହେଲେ ଏହାର ସାମାନ୍ୟତମ ପ୍ରଭାବ ପଡୁନାହିଁ। ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ବିନା ବାଧାରେ ମୋବାଇଲ୍ ବ୍ୟବହାର କରୁଛନ୍ତି। ପିଲାମାନଙ୍କୁ ବିଦ୍ୟାଳୟରକୁ ମୋବାଇଲ୍ ଆଣିବାକୁ ମନା କରାଯାଉଛି, ସେମାନେ ଘରେ କଣ କଲେ ଆମର କିଛି କରିବାର ନାହିଁ କହି ଶିକ୍ଷକମାନେ ଦାୟିତ୍ବ ଓହ୍ଲାଉଥିବା ବେଳେ ଅସଲରେ ଏହି ହ୍ବାଟ୍ସ ଗ୍ରୁପ ଦ୍ବାରା ପିଲାମାନେ ଜବରଦସ୍ତ ମୋବାଇଲ୍ ଧରୁଥିବା ଅଭିଭାବକମାନେ କହୁଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆହୁରି ନିର୍ଦେଶ ଦେଇଥିଲା ଯେ ପାଠପଢ଼ା ସମୟରେ ମୋବାଇଲ୍ ବ୍ୟବହାର ଦ୍ବାରା ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିରତା ବାଧାପ୍ରାପ୍ତ ହେଉଛି। ଏଥିରେ ସ୍ପଷ୍ଟ ନିର୍ଦେଶ ଥିଲା, ପାଠପଢ଼ା ସମୟରେ ଓ କ୍ୟାମ୍ପସ ଭିତରେ କର୍ମଚାରୀ ଓ ଛାତ୍ରଛାତ୍ରୀ ମୋବାଇଲ୍ ବ୍ୟବହାର ନ କରିବାକୁ ବିଦ୍ୟାଳୟ ପ୍ରଧାନଶିକ୍ଷକ/ଅଧ୍ୟକ୍ଷମାନେ ନିର୍ଦେଶ ଦେବେ। ଯଦି କେହି ମୋବାଇଲ୍ ନେଇ ସ୍କୁଲକୁ ଆସନ୍ତି, ତେବେ କର୍ମଚାରୀମାନେ କ୍ୟାମ୍ପସରେ ଥିବା ସମୟରେ ତାହାକୁ ସାଇଲେଣ୍ଟ ମୋଡ୍ରେ ରଖିବେ। ସପ୍ତାହର ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଓ ଶନିବାର ସକାଳ ୬ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ବିଦ୍ୟାଳୟର ନିୟମିତ କାର୍ଯ୍ୟ ସମୟରେ କ୍ୟାମ୍ପସ ପରିସରରେ ଶିକ୍ଷକ କିମ୍ବା କୌଣସି ବ୍ୟକ୍ତିବିଶେଷ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। ଯଦି ସେଭଳି ହେଉଥିବା ନଜରକୁ ଆସେ, ତେବେ ପ୍ରଧାନଶିକ୍ଷକ ପ୍ରଥମେ ତାଗିଦ୍ କରିବେ। ନ ଶୁଣିଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସ୍ପଷ୍ଟ କରାଯାଇଥିଲା। କିନ୍ତୁ ଏହି ଗଳାବାଟ ଜରିଆରେ ଏବେ ପିଲାମାନଙ୍କୁ ମୋବାଇଲ୍ ଭିତରେ ଛନ୍ଦି ଦିଆଯାଇଛି। ସରକାର ସବୁ ଜାଣୁଛନ୍ତି, ହାତ ବାନ୍ଧି ବସିଛନ୍ତି। ନା ତାଗିଦ୍ କରୁଛନ୍ତି ନା ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି।