ରାସ୍ତା ପାଇଁ ୩୦ କିମି ଚାଲିଲେ ୪ ଛାତ୍ରଛାତ୍ରୀ, ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ

କେନ୍ଦ୍ରାପଡା/ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ସାହାବାଜପୁର-ବିଜୟନଗର ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତା ସାରା ଖାଲଖମା। ବର୍ଷାରେ ସ୍ଥିତି ସଂଗିନ ହୋଇପଡ଼ିଛି। ଆଜି ମହାକାଳପଡ଼ା କଲେଜର ୪ ଜଣ ଛାତ୍ରଛାତ୍ରୀ ୩୦ କିଲୋମିଟର ବାଟ ଚାଲି ଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟା ଜଣାଇଛନ୍ତି। ତୁରନ୍ତ ରାସ୍ତା ମରାମତି କରିବାକୁ ଗୁହାରି କରିଛନ୍ତି। ରାସ୍ତା ପାଇଁ ଛାତ୍ରଛାତ୍ରୀଙ୍କ ଏହି ପଦଯାତ୍ରା ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁସାରେ, ବିଜୟନଗର ଛକ ଶଙ୍ଖୁଆ ପୋଲ ନିକଟ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ଆଜି ସକାଳେ ଏକ ମାଲବାହୀ ଟ୍ରକ୍ ଫସି ଯାଇଥିଲା। ସେହି ରାସ୍ତାରେ ବସ୍ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ପିଲା ସ୍କୁଲ, କଲେଜ ଯାଇ ପାରିଲେ ନାହିଁ। କେତେକ ଛାତ୍ରଛାତ୍ରୀ ଗୁରୁ ପୂଜନରୁ ବଞ୍ଚିତ ହୋଇଥିଲେ। ଏହି ସମସ୍ୟାକୁ ନେଇ ମହାକାଳପଡ଼ା କଲେଜ ଯୁକ୍ତ ୩ ଶ୍ରେଣୀର ଓମ୍‌ ପ୍ରକାଶ ସେଠୀ, ଭାନୁପ୍ରିୟା ସାହୁ, କାମିନୀ ସାହୁ, ଚିନୁଲତା ଖଟୁଆ ପ୍ରମୁଖ ବିଜୟନଗରରୁ ୩୦ କିମି ବାଟ ଚାଲିଚାଲି ଆସି କେନ୍ଦ୍ରାପଡ଼ାସ୍ଥିତ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ଏହି ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା ଆଳି ଗସ୍ତରେ ଥିଲେ। ସେଠାରେ ପିଲାମାନେ ତାଙ୍କୁ ଅପେକ୍ଷା କରି ରହିଥିଲେ। ଜିଲ୍ଲାପାଳ ଆଳିରୁ ଫେରିବା ପରେ ପିଲାଙ୍କ ସହ କଥା ହୋଇଥିଲେ। ୨ ଦିନ ଭିତରେ ରାସ୍ତା ମରାମତି କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାସ୍ତା କାମ ନ ହେଲେ ତାଙ୍କୁ ଜଣାଇବାକୁ ଜିଲ୍ଲାପାଳ କହିବାରୁ ଛାତ୍ରଛାତ୍ରୀ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର