ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କ ଚରମ ନିଷ୍ପତ୍ତି: ଗଣ ଆତ୍ମହତ୍ୟା କରିବେ

ଭୁବନେଶ୍ବର : ଋଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ୟୁକ୍ରେନ୍‌ରେ ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀ ଓଡ଼ିଶା ଫେରି ଆସିଛନ୍ତି। ସେମାନେ ନିଜର ପାଠ୍ୟକ୍ରମ କିଭଳି ଜାରି ରଖିପାରିବେ ତାହାକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ଅଛନ୍ତି। ନିକଟରେ ଜାତୀୟ ମେଡିକାଲ କମିସନ ବା ଏନ୍‌ଏମ୍‌ସି ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ବି କୌଣସି ସମାଧାନର ବାଟ ବାହାରି ପାରିନାହିଁ। ଦୀର୍ଘଦିନ ଧରି ପାଠପଢ଼ା ବ୍ୟାଘାତ ହୋଇଥିବା ବେଳେ ସମାଧାନର ସୂତ୍ର ବାହାରି ନ ପାରିବା କାରଣରୁ ସେମାନେ ଗଣ ଆତ୍ମହତ୍ୟା ଧମକ ଦେଇଛନ୍ତି।

ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ ଏନ୍‌ଏମ୍‌ସିର ଜଣେ ଅଧିକାରୀଙ୍କ ସହ ଗତକାଲି ଏ ସଂପର୍କରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ କହିଛନ୍ତି ଯେ ସେମାନଙ୍କୁ ଅନ୍‌ଲାଇନ୍ ଜରିଆରେ ପାଠ ପଢ଼ିବାର ସୁଯୋଗ ଦିଆଯାଉ। ମାତ୍ର ଅନ୍‌ଲାଇନ୍ ପାଠପଢ଼ା ଦେଶରେ ବୈଧ ନୁହେଁ ଏନ୍‌ଏମ୍‌ସି ପକ୍ଷରୁ କୁହାଯାଇଥିଲା। ଅନ୍‌ଲାଇନ୍ ବଦଳରେ ଅନ୍ୟ ଦେଶକୁ ଯାଇ ପାଠ ପଢ଼ିବା ଲାଗି ଅଧିକାରୀ ଜଣକ କହିଥିଲେ। ପୂର୍ବରୁ କନ୍‌ସଲଟାନ୍ସି ବାବଦରେ ଦେଢ଼ ଲକ୍ଷରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇଥିବାରୁ ପୁଣିଥରେ ଅନ୍ୟ ଦେଶରେ ପାଠ ପଢ଼ିବା ଲାଗି ଏହି ଅର୍ଥ ଦେବା ସମ୍ଭବ ନୁହେଁ। ତେଣୁ ଛାତ୍ରଛାତ୍ରୀମାନେ ବାଧ୍ୟହୋଇ ୟୁକେନ୍‌କୁ ଫେରିଯିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କୌଣସି ବାଟ ନାହିଁ। ଏଥିପାଇଁ ଆଗକୁ ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ଏନ୍‌ଏମ୍‌ସି କର୍ତୃପକ୍ଷ ଦାୟୀ ରହିବେ ‌ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଉଲ୍ଲେଖ ଯେ ୟୁକ୍ରେନ୍‌ ଫେରନ୍ତା ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଚଳିତମାସ ୧୬ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ‌ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ୟୁକ୍ରେନ୍‌ରେ ୪୭୦ ଜଣ ମେଡିକାଲ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଯୁଦ୍ଧକାଳୀନ ପରିସ୍ଥିତିରେ ନିକଟ ଭବିଷ୍ୟତରେ ଏହାର ପୁନଃଉଦ୍ଧାର ସମ୍ଭବ ନୁହେଁ। ତେଣୁ ଛାତ୍ରଛାତ୍ରୀମାନଙ୍କର ସ୍ଥିତିକୁ ହୃଦୟଙ୍ଗମ କରି ମାନବିକତାର ସହ ସେମାନଙ୍କର ସମସ୍ୟାକୁ ଅଗ୍ରାଧିକାର ଦେବା ସହ ଏହାର ସମାଧାନ ବାଟ ସ୍ଥିତ କରନ୍ତୁ। ଫଳରେ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ ଦାସ ଉଲ୍ଲେଖ କରିଥିଲେ। ପୂର୍ବରୁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ ଜଣାଇଥିଲେ।

ସମ୍ବନ୍ଧିତ ଖବର