ଭୁବନେଶ୍ୱର: ବିଭିନ୍ନ ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷା ଶେଷ ହୋଇଥିବା ବେଳେ ମୂଲ୍ୟାୟନ ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉ। ରାଜ୍ୟ ବୋର୍ଡଗୁଡ଼ିକ ଉତ୍ତରଖାତା ଦେଖା ଆରମ୍ଭ କରିବା ସହ ସିବିଏସ୍‌ଇ ଅଧୀନ ଛାତ୍ରଛାତ୍ରୀଙ୍କ ଉତ୍ତରଖାତା ମୂଲ୍ୟାୟନ ପାଇଁ ସୁବିଧା କରିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

ଶ୍ରୀ ପୋଖରିଆଲ କହିଛନ୍ତି ଯେ ଲକ୍‌ଡାଉନ୍‌ ସମୟ ତଥା ଚଳିତ ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ପ୍ରଦାନ କରାଯିବ। ଏଥିପାଇଁ ଅଧିକ ୧୬୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ହେବ। ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ସମସ୍ତ ପୁସ୍ତକ ଦୋକାନ ଖୋଲିବା ପାଇଁ ବି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିଛି। ଏ ଦିଗରେ ରାଜ୍ୟଗୁଡ଼ିକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓଡ଼ିଶାର ସ୍ଥିତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଶ୍ରୀ ଦାଶ କହିଥିଲେ ଦୂରଦର୍ଶନ ମାଧ୍ୟମରେ ଦଶମ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। ଦୂରଦର୍ଶନ ପକ୍ଷରୁ ପାଠପଢ଼ା ପାଇଁ କ୍ଲାସ୍‌ ବାବଦରେ ରାଜ୍ୟ ଶିକ୍ଷା ବିଭାଗ ଅର୍ଥ ଦେଉଛି। ଆଗାମୀ ଦିନରେ ଦୂରଦର୍ଶନରେ ମାଗଣାରେ ଶିକ୍ଷାଦାନ ବ୍ୟବସ୍ଥା କରିବା ପାଇଁ ଓଡ଼ିଶା ସମେତ ଆଉ କିଛି ରାଜ୍ୟର ଶିକ୍ଷା ମନ୍ତ୍ରୀ ଦାବି ଉପସ୍ଥାପନ କରିଛନ୍ତି।

ଖରାଛୁଟି ସମୟରେ ମଧ୍ୟାହ୍ନ ଭୋଜନ ବନ୍ଦ ରହୁଥିବା ବେଳେ କରୋନା ପାଇଁ ଓଡ଼ିଶା ସରକାର ଜୁନ୍‌ ୧୩ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ବାବଦ ଚାଉଳ ପ୍ରଦାନ କରିସାରିଛନ୍ତି। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଭଳି ପଦକ୍ଷେପ ନେଇଛି। ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ବିତରଣ ହେଉଛି। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପୁସ୍ତକ ୫ଜୋନ୍‌ କାର୍ଯ୍ୟାଳୟକୁ ପଠା ସରିଛି। ମଧୁ ଆପ୍‌ ଓ ଇ-ଲର୍ଣ୍ଣିଂ ଜରିଆରେ ରାଜ୍ୟରେ ପାଠପଢ଼ା ଚାଲିଥିବା ଶ୍ରୀ ଦାଶ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସେହିପରି ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅନୁଦାନରେ କାର୍ଯ୍ୟରତ ୪ ହଜାର କମ୍ପ୍ୟୁଟର (ଆଇସିଟି) ଶିକ୍ଷକଙ୍କ କାର୍ଯ୍ୟରେ ପୁନର୍ବାର ଅବସ୍ଥାପିତ କରିବାକୁ ରାଜ୍ୟ ପକ୍ଷରୁ ଦାବି ଉପସ୍ଥାପିତ କରାଯାଇଥିଲା। ସେହିପରି ମାଟ୍ରିକ୍‌ ମୂଲ୍ୟାୟନ ପ୍ରକ୍ରିୟା ଶୀଘ୍ର ସାରିବାକୁ ବିଭାଗ ପକ୍ଷରୁ ଅଧିକ ମୂଲ୍ୟାୟନ କେନ୍ଦ୍ର ଓ ଶିକ୍ଷକ ନି‌ୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ଥଗିତ ଥିବା ଅବଶିଷ୍ଟ ଯୁକ୍ତ୨ ପରୀକ୍ଷା ହେବ କି ନାହିଁ, ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଏନେଇ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍‌ଇର ବାକି ଥିବା ଦ୍ବାଦଶ ପାଠ୍ୟକ୍ରମର ସିବିଏସ୍‌ଇ ପରୀକ୍ଷା ହେବା ମାତ୍ରେ ଅବଶିଷ୍ଟ ଯୁକ୍ତ୨ ପରୀକ୍ଷା କରିବାକୁ ଆଲୋଚନା ବେଳେ କୁହାଯାଇଛି। ବୈଠକରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସମେତ ୨୨ଟି ରାଜ୍ୟର ଶିକ୍ଷା ମନ୍ତ୍ରୀ ଓ ୧୪ଟି ରାଜ୍ୟର ଶିକ୍ଷା ସଚିବ ସାମିଲ ହୋଇଥିଲେ। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା ଅରୁମୁଗମ୍‌ ପ୍ରମୁଖ ଉପସ୍ଥିତ ଥିଲେ।