ଭୁବନେଶ୍ବର: ବିଶ୍ବ ଦକ୍ଷତା କେନ୍ଦ୍ରରେ ଫେଷ୍ଟୋ ସହଭାଗିତାରେ ସ୍ମାର୍ଟ ମାନୁଫ୍ୟାକ୍ଚରିଂ ଓ ସ୍ଚିନେଡ୍ର ସହଭାଗିତାରେ ଇଣ୍ଡଷ୍ଟ୍ରିଆଲ ଅଟୋମେସନ କେନ୍ଦ୍ର ପରି ଦୁଇଟି ଉତ୍କର୍ଷ କେନ୍ଦ୍ର ଉଦ୍ଘାଟିତ ହୋଇଛି। ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ ଆଜି ଏହାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଲେ, ବିଶ୍ବ ଦକ୍ଷତା କେନ୍ଦ୍ରରୁ ୧୦୮୮ଜଣ ଛାତ୍ରଛାତ୍ରୀ ପାଠ୍ୟକ୍ରମ ଶେଷ କରି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ବ୍ୟାଚ୍ର ୯୩%ରୁ ଅଧିକ ଛାତ୍ରଛାତ୍ରୀ ସୁନାମଧନ୍ୟ କମ୍ପାନିଗୁଡ଼ିକରେ ନିଯୁକ୍ତି ପାଇଛନ୍ତି।
୯୪ଜଣ ଛାତ୍ରଙ୍କୁ ୟୁଏଇର ଏମିରଲ ଓ ଜିନ୍ଦଲ ସ’ ଭଳି ପ୍ରମୁଖ କମ୍ପାନିରେ ନିଯୁକ୍ତି ପାଇଛନ୍ତି। ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ଜନ୍ସନ୍ ଲିଫଟସ୍, ରିଲାଏନ୍ସ ସୋଲାର, ଜିନ୍ଦଲ ଷ୍ଟିଲ, ଫୁଜିଟେକ୍, ଜେଏସ୍ଡବ୍ଲୁ, ଟାଟା ଷ୍ଟିଲ, ଟାଟା ଅଟୋକମ୍ପ, ଏୟାରଟେଲ, ୱିପ୍ରୋ ଏରୋସ୍ପେସ୍ ଭଳି କମ୍ପାନିଗୁଡ଼ିକ ବିଶ୍ବ ଦକ୍ଷତା କେନ୍ଦ୍ରରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କିଛି ଛାତ୍ର ବାର୍ଷିକ ୫.୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ୍ ପାଉଛନ୍ତି। ଯାହାକି ଏଠାରେ ପ୍ରଦାନ କରାଯାଉଥିବା ତାଲିମ୍ର ଗୁଣବତ୍ତା ଓ ଯୁବପିଢ଼ିଙ୍କ ଦକ୍ଷତା ବିକାଶର ପ୍ରତିଫଳନ। ଆଜି ଦୁଇଟି ନୂତନ ଉତ୍କର୍ଷ କେନ୍ଦ୍ର ଉଦ୍ଘାଟିତ ହେବା ପରେ ଛାତ୍ରଛାତ୍ରୀଙ୍କୁ ବିଶ୍ବସ୍ତରୀୟ ମାନଦଣ୍ଡ ସହ ସମକକ୍ଷ କରି ତାଲିମ୍ ପ୍ରଦାନ କରାଯିବ। ଶିଳ୍ପର ଚାହିଦା ଅନୁଯାୟୀ ପ୍ରସ୍ତୁତ କରିବା ଓ ସ୍କିଲ୍ଡ ଇନ୍ ଓଡ଼ିଶା ବ୍ରାଣ୍ଡକୁ ବିଶ୍ବ ଦରବାରରେ ପହଞ୍ଚାଇବାର ଛାତ୍ରଛାତ୍ରୀ ଆମ୍ବାସଡର ଭାବେ କାର୍ଯ୍ୟ କରିବେ। ଏହି ଅବସରରେ ଦକ୍ଷତା ବିକାଶ ସଚିବ ଭୂପିନ୍ଦର ସିଂହ ପୁନିଆ, ବିଶ୍ବ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ଓ କର୍ପୋରେଟ୍ ଜବତର ବରିଷ୍ଠ ପ୍ରତିନିଧିମାନେ ଉପସ୍ଥିତ ଥିଲେ।