ସ୍କୁଲ ଖୋଲିଲେ ମିଳି‌ବ ବହି

ମାର୍ଚ୍ଚ ୭ ସୁଦ୍ଧା ପଠାଯାଇଛି ୬୩% ପାଠ୍ୟପୁସ୍ତକ, ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ୮୫% ପହଞ୍ଚାଇବାକୁ ଲକ୍ଷ୍ୟ

ଭୁବନେଶ୍ବର : ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମାଗଣା ପାଠ୍ୟପୁସ୍ତକ ବଣ୍ଟନ ନେଇ ଚଳିତ ଶିକ୍ଷାବର୍ଷରେ ତତ୍ପରତା ଦେଖାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗତ ୫ ବର୍ଷ ହେଲା ବିଳମ୍ବରେ ପାଠ୍ୟପୁସ୍ତକ ଦିଆଯାଉଥିବାରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଭାଗ ମଧ୍ୟ ନିନ୍ଦା, ଅପବାଦ ମୁଣ୍ତାଉଥିଲା। ତେଣୁ ଏଥର ଆଗୁଆ ପଦକ୍ଷେପ ନିଆଯାଇଛି। ସ୍କୁଲରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା କ୍ଷଣି ପିଲାମାନେ ଯେମିତି ବହି ପାଇବେ, ତାହାକୁ ନଜରରେ ରଖି ଫେବ୍ରୁଆରି ମାସଠାରୁ ରାଜ୍ୟର ସମସ୍ତ ବ୍ଲକକୁ ପାଠ୍ୟପୁସ୍ତକ ପଠାଯାଇଛି। ଗତ ମାର୍ଚ୍ଚ ୭ ସୁଦ୍ଧା ୬୩ ପ୍ରତିଶତ ବିଦ୍ୟାଳୟରେ ପାଠ୍ୟପୁସ୍ତକ ପହଞ୍ଚିଥିବା ସୂଚନା ମିଳିଛି।

ଶିକ୍ଷାବର୍ଷର ମେ’ ମାସ ସୁଦ୍ଧା ବିଦ୍ୟାଳୟଗୁଡ଼ିକରେ ମାଗଣା ବହି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଉଥିଲେ ମଧ୍ୟ ଗତ ୫ବର୍ଷ ହେଲା ସଫଳତା ମିଳି ନ ଥିଲା। ଅଧିକା˚ଶ ସ୍କୁଲ ଛାତ୍ରଛାତ୍ରୀ ଅଗଷ୍ଟ ମାସ ପର୍ଯ୍ୟନ୍ତ ବି ବହି ପାଉ ନଥିଲେ। ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷର ବାତାବରଣ ଦୃଷ୍ଟି ହୋଇଥିଲା। କେଉଁଠି ଛାତ୍ରଛାତ୍ରୀ, ଅଭିଭାବକ ରାଜରାସ୍ତାକୁ ଓହ୍ଲାଇଥିଲେ ତ ଆଉ କେଉଁଠି ଧାରଣାରେ ବସିଥିଲେ। ନିର୍ଧାରିତ ସମୟ ମଧ୍ୟରେ ବହି ଛାପିବା ଓ ବାଣ୍ଟିବା ହେଉ ନଥିବାରୁ ପିଲାଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଥିଲା। ତେଣୁ ଏଥର ଆଗୁଆ ପଦକ୍ଷେପ ସ୍ବରୂପ ୨୦୧୮ ସେପ୍ଟେମ୍ବର ସୁଦ୍ଧା ଟେଣ୍ଡର୍‌ ପ୍ରକ୍ରିୟା ଶେଷ କରି ବହି ଛପା କାର୍ଯ୍ୟ ଆରମ୍ଭ ହୋଇଥିଲା। ଫେବ୍ରୁଆରି ମାସଠାରୁ ବିଦ୍ୟାଳୟଗୁଡ଼ିକୁ ବହି ପଠାଯାଇଥିଲା। ଯେଉଁଥିପାଇଁ ମାର୍ଚ୍ଚ ଶେଷ ସୁଦ୍ଧା ଅତି କମ୍‌ରେ ୮୫ପ୍ରତିଶତ ବହି ପଠାଯିବାକୁ ଲକ୍ଷ୍ୟ ରଖାଯାଇଛି। ଖରା ଛୁଟି ପୂର୍ବରୁ ସମସ୍ତ ବିଦ୍ୟାଳୟରେ ଯେପରି ବହି ପହଞ୍ଚିବ, ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଚଳିତବର୍ଷ ପ୍ରଥମରୁ ୮ମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୪୮ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଦିଆଯିବ। ଏଥିପାଇଁ ୨କୋଟି ୬୧ଲକ୍ଷ ପାଠ୍ୟପୁସ୍ତକର ଆବଶ୍ୟକତା ରହିଛି। ସେହି ଅନୁଯାୟୀ, ଏବେ ସୁଦ୍ଧା ୧କୋଟି ୬୪ ଲକ୍ଷ ୪୩ ହଜାର ବହି ପଠା ସରିଛି। କୌଣସି ଜିଲ୍ଲାରେ ଏବେ ସୁଦ୍ଧା ଶତପ୍ରତିଶତ ବହି ପହଞ୍ଚିନି। ମାଲକାନଗିରି, ଜଗତସି˚ହପୁର, ଅନୁଗୁଳ, ବଲାଙ୍ଗିର, କଟକ, ଢେ଼ଙ୍କାନାଳ, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ଯାଜପୁର, କଳାହାଣ୍ତି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର ଜିଲ୍ଲାର ଅଧିକା˚ଶ ବ୍ଲକରେ ପାଠ୍ୟପୁସ୍ତକ ପହଞ୍ଚି ସାରିଛି। ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୫୦ ପ୍ରତିଶତରୁ କମ୍‌ ବହି ପହଞ୍ଚିଛି। ଏପ୍ରିଲ ପ୍ରଥମ ସପ୍ତାହରୁ ପାଠପଢ଼ା ଆରମ୍ଭ ହେବ। ତେଣୁ ଏହା ପୂର୍ବରୁ ଯେତେ ଦୂର ସମ୍ଭବ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଏବର୍ଷ ପୁସ୍ତକ ପ୍ରକାଶନରେ କୌଣସି ଅସୁବିଧା ହୋଇନାହିଁ। ନିର୍ଧାରିତ ସମୟରେ ଟେଣ୍ଡର୍‌ କରାଯାଇ ପାଠ୍ୟପୁସ୍ତକ ଛପାଇବାକୁ ଦିଆଯାଇଥିଲା। ତେଣୁ ଫେବ୍ରୁ୍ଆରି ମାସ ମଧ୍ୟରେ ଆମ ନିକଟରେ ବହି ପହଞ୍ଚିଥିଲା। ଏପ୍ରିଲ ୨ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା କ୍ଷଣି ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ ହେବ।

ସମ୍ବନ୍ଧିତ ଖବର