ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆ ପିଲା କଲେଜ ଆସିବାକୁ ଥିବାରୁ କ୍ୟାମ୍ପସରେ ରାଗିଂ ରୋକିବା ଲାଗି ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ କଡ଼ା ନିୟମ ଆଣିବାକୁ ଯାଉଛନ୍ତି। କୌଣସି ଶିକ୍ଷାନୁଷ୍ଠାନର ଛାତ୍ର/ଛାତ୍ରୀ ଯଦି ରାଗିଂରେ ସମ୍ପୃକ୍ତ ଥିବା‌ ଜ‌ଣାପଡ଼େ ତେବେ କଲେଜ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ନିକଟସ୍ଥ ଥାନାରେ ଏତଲା ଦେବେ। ରାଜ୍ୟ, ଜିଲ୍ଲା ଓ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଗଢ଼ା ହେବାକୁ ଥିବା କମିଟି ବିଭିନ୍ନ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଚାନକ ଗସ୍ତ କରି ଯାଞ୍ଚ କରିବେ। ପ୍ରତି ଶିକ୍ଷାନୁଷ୍ଠାନରେ ଆଣ୍ଟିରାଗିଂ ସ୍କ୍ବାଡ୍‌ ଗଠନ କରାଯିବ। ଯେଉଁଥିରେ ୩ରୁ ୪ ଜଣ ଅଧ୍ୟାପକ ସାମିଲ ରହିବେ। ଶିକ୍ଷାବର୍ଷ ଆରମ୍ଭରେ ପିଲା ଓ ସେମାନଙ୍କ ଅଭିଭାବକ ଆଣ୍ଟି-ରାଗିଂ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି।

Advertisment

ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଇଣ୍ଡକସନ୍‌ କାର୍ଯ୍ୟକ୍ରମରେ ଆଣ୍ଟିରାଗିଂ ସମ୍ପର୍କରେ ଅବଗତ କରାଇବେ। ଆଣ୍ଟି-ରାଗିଂ ସମ୍ପର୍କିତ ପଚାରପତ୍ର ବାଣ୍ଟିବେ। ଏଥିରେ ଜାତୀୟ ଆଣ୍ଟି-ରାଗିଂ ହେଲ୍‌ପ୍‌ଲାଇନ୍‌ ନମ୍ବର, ଶିକ୍ଷାନୁଷ୍ଠାନର ଇ-ମେଲ୍‌ ଆଇଡି, ମୋବାଇଲ୍‌ ନମ୍ବର, ହଷ୍ଟେଲ ୱାର୍ଡେନ୍‌, ସୁପରିଟେଣ୍ଡେଣ୍ଟ, ଅଧ୍ୟକ୍ଷ, ଆଣ୍ଟିରାଗିଂ ସ୍କ୍ବାଡ୍‌ ସଦସ୍ୟଙ୍କ ଫୋନ୍‌ ନମ୍ବର ଓ ଇମେଲ୍‌ ଆଇଡି ରହିବା ନିତ୍ୟାନ୍ତ ଜରୁରୀ। ଶିକ୍ଷାନୁଷ୍ଠାନର ବିଭିନ୍ନ ସ୍ଥାନରେ ଲାଗିଥିବା ଡିସ୍‌ପ୍ଲେ ବୋର୍ଡରେ ମଧ୍ୟ ଉକ୍ତ ନମ୍ବରଗୁଡ଼ିକ ପ୍ରଦର୍ଶିତ ହେବ। ହଷ୍ଟେଲଗୁଡ଼ିକରେ ମଧ୍ୟ ଉକ୍ତ ନମ୍ବର ଲଗାଯିବା ବାଧ୍ୟତାମୂଳକ। ଆଣ୍ଟି ରାଗିଂ ନେଇ କ୍ୟାମ୍ପସରେ ଡ୍ରାମା, ଅଡିଓ ଭିଜୁଆଲ୍‌ ମାଧ୍ୟମରେ ସଚେତନତ‌ା କାର୍ଯ୍ୟକ୍ରମ ‌ହେବ। ଶିକ୍ଷାନୁଷ୍ଠାନ ମୁଖ୍ୟ ଏହାର ତଦାରଖ କରିବେ। ସ୍କ୍ବାଡ୍‌ର ସଦସ୍ୟମାନେ ବିଭିନ୍ନ ସମୟରେ ହଷ୍ଟେଲକୁ ଅଚାନକ ଗସ୍ତ କରି ଯାଞ୍ଚ କରିବେ। ଅଭିଯୋଗ ଆସିଲେ ସ୍କ୍ବାଡ୍‌ ପକ୍ଷରୁ ଘଟଣାର ଯାଞ୍ଚ କରାଯିବା ସହ ତାହାର ରିପୋର୍ଟ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ପ୍ରଦାନ କରିବେ। ଯାଞ୍ଚ ସମୟରେ ଯେପରି ସ୍ବଚ୍ଛତା ବଜାୟ ରୁହେ ସେଥିପ୍ରତି ଗୁରୁତ୍ବ ଦେବାକୁ ଶିକ୍ଷାନୁଷ୍ଠାଗୁଡ଼ିକୁ କୁହାଯାଇଛି।

ୟୁଜିସିର ସଦ୍ୟ ରିପୋର୍ଟ ଅନୁଯାୟୀ ଗତ ଏକ ବର୍ଷ ମଧ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରୁ ପଞ୍ଜିକୃତ ହୋଇଥିବା ୧୨୪୦ ରାଗିଂ ଅଭିଯୋଗ ମଧ୍ୟରୁ ୧,୧୧୩ଟି ଅଭିଯୋଗର ଆପୋଷ ସମାଧାନ ହୋଇଛି। ୧୨୭ଟି ଅଭିଯୋଗ ଏବେ ରହିଛି। ୨୦୨୩ ଜାନୁଆରି ପହିଲାରୁ ଏପ୍ରିଲ ୨୮ ମଧ୍ୟରେ ୮୨.୧୮% ଛାତ୍ର, ୧୭.୭୪% ଛାତ୍ରୀ ଓ ୦.୦୮% କିନ୍ନର ରହିଛନ୍ତି। ୟୁଜିସିର ଆଣ୍ଟିରାଗିଂ ସେଲ୍‌ର ଟୋଲ୍‌ ଫି’ ନମ୍ବର ୧୮୦୦-୧୮୦-୫୫୨୨ ରେ ଛାତ୍ରଛାତ୍ରୀ କରିଥିବା ଅଭିଯୋଗ ଆଧାରରେ ‌ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରାଗିଂ ଅଭିଯୋଗ କ୍ଷେତ୍ରରେ ଗତ କିଛି ବର୍ଷ ହେଲା ଓଡ଼ିଶା ଆଗରେ ରହୁଛି। ୨୦୨୧ରେ ଦେଶରେ ତୃତୀୟ ସ୍ଥାନରେ ରହିଥିବା ବେଳେ ୨୦୨୩ରେ ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିଲା।

ଶିକ୍ଷାବର୍ଷ ଆରମ୍ଭରୁ ୟୁଜିସି ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। ନିୟମ ଅନୁଯାୟୀ ରାଗିଂରେ ସମ୍ପୃକ୍ତ ଥିବା କୌଣସି ବି ଛାତ୍ର/ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଯଦି ରାଗିଂର ସତ୍ୟତା ଜଣାପଡ଼େ ତେବେ ଆଇପିସି ଧାରା ଅନୁଯାୟୀ ଶିକ୍ଷାନୁଷ୍ଠାନ ପକ୍ଷରୁ ନିକଟସ୍ଥ ଥାନାରେ ଏତଲା କରିବେ। ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନ କରି ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ୟୁଜିସି ନିୟମର ପାରା-୯(ବି) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇପାରିବେ। କ୍ୟାମ୍ପସକୁ ରାଗିଂ ମୁକ୍ତ କରିବା ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ପଦକ୍ଷେପ ନେବେ। ରାଗିଂ ଏକ ଅପରାଧିକ କାର୍ଯ୍ୟକଳାପ ହୋଇଥିବାରୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ତାହାକୁ ହାଲୁକାରେ ନେବା ଉଚିତ୍‌ ନୁହେଁ ବୋଲି ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି।