ଭୁବନେଶ୍ୱର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ରେଡିଓ ମାଧ୍ୟମରେ ଶିକ୍ଷା ଦିଆଯିବ। ସପ୍ତାହର ୫ ଦିନ ଏବଂ ପ୍ରତିଦିନ ୧୫ ମିନିଟ୍ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୮ ତାରିଖରୁ 'ରେଡିଓ ପାଠଶାଳା' ଆରମ୍ଭ ହେବାକୁ ଯାଉଛି। କେଉଁ ଦିନ କେଉଁ ଶ୍ରେଣୀର ପିଲାଙ୍କୁ କେଉଁ ବିଷୟରେ ଶିକ୍ଷା ଦିଆଯିବ, ସେନେଇ ବି ଯୋଜନା ପ୍ରସ୍ତୁତ ସରିଛି।
ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ୧୦ଟା ୧୫ ପର୍ଯ୍ୟନ୍ତ ରେଡିଓରେ ପାଠପଢ଼ା ଚାଲିବ। ଏଥିପାଇଁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପୂର୍ବାହ୍ନ ୧୦ଟାରୁ ୧୦ଟା ୫ମିନିଟ୍ ପର୍ଯ୍ୟନ୍ତ ଗୋଟିଏ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବାକୁ ଥିବା ବେଳେ ୧୦ଟା ୫ରୁ ୧୦ଟା ୧୫ ପର୍ଯ୍ୟନ୍ତ ଆଉ ଗୋଟିଏ ଶ୍ରେଣୀର ପିଲାଙ୍କୁ ପଢ଼ାଯିବ। ୧୦ଟାରୁ ୧୦ଟା ୫ ମିନିଟ୍ ପର୍ଯ୍ୟନ୍ତ ସୋମବାର ଦିନ ପ୍ରଥମ ଶ୍ରେଣୀ, ମଙ୍ଗଳବାର ଦ୍ବିତୀୟ, ବୁଧବାର ତୃତୀୟ, ଗୁରୁବାର ଚତୁର୍ଥ ଓ ଶୁକ୍ରବାର ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାଯିବ। ସେହିପରି ୧୦ଟା ୦୫ରୁ ୧୦ଟା ୧୫ ମଧ୍ୟରେ ସୋମବାର ପଞ୍ଚମ ଶ୍ରେଣୀ, ମଙ୍ଗଳବାର ଷଷ୍ଠ ଶ୍ରେଣୀ, ବୁଧବାର ସପ୍ତମ ଶ୍ରେଣୀ, ଗୁରୁବାର ୮ମ ଶ୍ରେଣୀ ପିଲାଙ୍କ କ୍ଲାସ ହେବ। ଶୁକ୍ରବାର ୧୦ଟା ୦୫ରୁ ୧୦ଟା ୧୦ ମଧ୍ୟରେ ୭ମ ଶ୍ରେଣୀ ଓ ୧୦ଟା ୧୦ରୁ ୧୦ଟା ୧୫ ମଧ୍ୟରେ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ। ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏକ ସମୟରେ ଏହା ପ୍ରସାରିତ ହେବ। ପ୍ରସାରିତ ପଠ୍ୟକ୍ରମ 'ଦୀକ୍ଷା' ଆପ୍ରେ ମଧ୍ୟ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପାଠ୍ୟବିଷୟ ଶୁଣିବା ପରେ ଯୁଗ୍ମ ନିର୍ଦେଶକ, ଏମ୍ଆଇଏସ୍, ଶିକ୍ଷା ସୌଧ, ଭୁବନେଶ୍ବରଙ୍କୁ [email protected] ମାଧ୍ୟମରେ ମତାମତ ଦେଇପାରିବେ।
ଏହି କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍, କଟକଠାରେ ପାଠ୍ୟ ବିଷୟ ପ୍ରସ୍ତୁତ କରାଯାଉଛି। ଉଭୟ ଟିଭି ଓ ରେଡିଓରେ ଶିକ୍ଷାଦାନ ପାଇଁ ଆଗ୍ରହୀ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନାମ ସୁପାରିସ୍ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନଙ୍କୁ ପରାମର୍ଶ ଦିଆଯାଇଛି। ରେଡିଓ ପାଠପଢ଼ା ସମ୍ପର୍କରେ ଯେପରି ପିଲାମାନେ ଓ ଅଭିଭାବକ ଜାଣିପାରିବେ, ସେ ଦିଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସିଆରସିସିମାନେ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଗତ ମାର୍ଚ୍ଚ ୧୭ରୁ ସ୍କୁଲଗୁଡ଼ିକ ବନ୍ଦ ରହିଛି। ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ସ୍ବାଭାବିକ ହୋଇପାରୁନି। ତେଣୁ ଅନ୍ଲାଇନ୍ ଶିକ୍ଷାକୁ ପ୍ରାଥମିକତା ଦେଉଛୁ। ହ୍ବାଟସ୍-ଆପ୍, 'ଦୀକ୍ଷା' ଆପ୍ ମାଧ୍ୟମରେ ପିଲାମାନେ ପଢ଼ିପାରୁଛନ୍ତି। ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଟିଭିରେ ଶିକ୍ଷାଦାନ କରାଯାଇଥିବା ବେଳେ ଏବେ ରେଡିଓ ମାଧ୍ୟମରେ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାକୁ 'ରେଡିଓ ପାଠଶାଳା' ମାଧ୍ୟମରେ ପ୍ରୟାସ କରାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ୩୦% ସିଲାବସ୍ ହ୍ରାସ କରାଯାଇ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/gettyimages-454687948-594x594.jpg)