ସମ୍ବଲପୁର : ଶନିବାର ଦିନ ୫ଟି ସଚିବଙ୍କ ଗସ୍ତକୁ ନେଇ ବିଜେପି ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକ ପ୍ରଶ୍ନ ଉଠାଇଛନ୍ତି। ସେ ଏକ ବିବୃତିରେ କହିଛନ୍ତି ଯେ, ଏହି ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାର ସାମାଜିକ, ରାଜନୈତିକ, ପ୍ରଶାସନିକ ତଥା ସାଧାରଣ ଜୀବନଯାତ୍ରାକୁ ଲକ୍ଷ୍ୟ କଲେ ଲାଗୁଥିଲା ନିର୍ବାଚନ ଚାଲିଛି। ଗ୍ରାମାଞ୍ଚଳ ଠୁ ଆରମ୍ଭ କରି ସହରାଞ୍ଚଳ ଯାଏ, ପଞ୍ଚାୟତ କାର୍ଯ୍ୟାଳୟ ଠୁ ଆରମ୍ଭ କରି ଜିଲ୍ଲାପାଳ କାର୍ଯ୍ୟଳୟ ଯାଏ, ସବୁଠି ନିର୍ବାଚନୀ ପ୍ରଚାରର ରାଜନୈତିକ ପରିବେଶ ଠୁ ବି ବଳି ପଡୁଥିଲା ଅବସ୍ଥା ଓ ବ୍ୟବସ୍ଥା। ଆଜିର କାର୍ଯ୍ୟକ୍ରମକୁ ସଫଳ କରେଇବା ପାଇଁ ବିଜେଡିର ସାଂସଦ, ମନ୍ତ୍ରୀ, ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟଙ୍କ ଠୁ ଆରମ୍ଭ କରି ସରକାରୀ ବ୍ୟବସ୍ଥାର ସମସ୍ତ ସ୍ତର ଓ ସମସ୍ତ ବିଭାଗର କର୍ମଚାରୀ ନିୟୋଜିତ ଥିଲେ। ଜଣେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ କାର୍ଯ୍ୟକ୍ରମକୁ ବି ପଛରେ ପକାଇ ଦେଇଛି ଜଣେ ପ୍ରଶାସନିକ ଅଧିକାରୀଙ୍କ ଗସ୍ତ କାର୍ଯ୍ୟକ୍ରମ। ଇଏ କଣ ସୁପର୍ ସି.ଏମ କି ବୋଲି ଶ୍ରି ନାୟକ ପ୍ରଶ୍ନ କରିଛନ୍ତି।

Advertisment

ସେ କହିଛନ୍ତି ଯେ, କାର୍ଯ୍ୟକ୍ରମରେ ଲୋକ ଭିଡ଼ ଜମାଇବା ପାଇଁ ସରକାରୀ ଖର୍ଚ୍ଚରେ, ସରକାରୀ ବ୍ୟବସ୍ଥାରେ ଓ ସରକାରୀ କର୍ମଚାରୀମାନେ ନିୟୋଜିତ ହୋଇଥିଲେ। କଲେଜଗୁଡିକରୁ ଛାତ୍ରଛାତ୍ରୀ, ବିଭିନ୍ନ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ଅଣାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ୮ ରୁ ୧୦ ଘଣ୍ଟା ଯାଏଁ ଅଟକାଇ ରଖାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କାର୍ଯ୍ୟକ୍ରମକୁ ଡକାଯାଇଥିଲା। ବହୁ ମହିଳାଙ୍କ ସହିତ ତାଙ୍କର ଛୋଟ ଛୋଟ ପିଲାଛୁଆଙ୍କୁ ଧରି ଅଟକି ରହିଥିଲେ। ସେମାନଙ୍କୁ ଶରୀରିକ ଓ ମାନସିକ ଭାବେ ନିର୍ଯାତନା ଦିଆଯାଇଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ଶାସନ ତଥା ୫ଟି ସଚିବଙ୍କ ଆଜି ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମକୁ ସମ୍ବଲପୁର ବିଜେପି ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ବିରୋଧ କରାଯାଇଛି।