ଚିରଂଜୀବୀ କର
କଟକ: ୱେଲ୍ କମ୍ ୱେଲ୍ କମ୍ ନରେନ୍ଦ୍ର ମୋଦୀ ୱେଲକମ୍...ୱେଲ୍ କମ୍ ୱେଲ୍ କମ୍ ନବୀନ ପଟ୍ଟନାୟକ ୱେଲକମ୍... ଏମିତି ନାରାରେ ଏବେ କମ୍ପୁଛି କଟକର ପ୍ରମୁଖ ଷ୍ଟୁଡିଓ। ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଓଡ଼ିଆ ସିନେମା ଓ ଆଲବମ୍‌ ଗୀତର ଟ୍ରାକରେ ନିର୍ବାଚନୀ ଗୀତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପୁରୁଣା ଟ୍ରାକରେ ପ୍ରସ୍ତୁତ ଗୀତ ପ୍ୟାକେଜ ୪୦ ହଜାର ଟଙ୍କା ଥିବା ବେଳେ ନୂଆ ଟ୍ରାକରେ ପ୍ରସ୍ତୁତ ଗୀତର ପ୍ୟାକେଜ୍ ଏକ ଲକ୍ଷ ଟଙ୍କା ଯାଏ ରହିଛି। ଏଥର ସାଧାରଣ ନିର୍ବାଚନ ପାଇଁ ୧୧ଟି ଆଲବମ୍ ଓ ସିନେମା ଗୀତ ପ୍ରାର୍ଥୀଙ୍କ ବିଶେଷ ପସନ୍ଦ ତାଲିକାରେ ରହିଛି। ଝଲମଲ ଆଖି ହେଲା ଝଲମଲ..., ନାଇଣ୍ଟିର ସିନେମା ପରି..., ସେଦିନୁ ମୁଁ ହୁନୁହୁନୁ..., ତୋ ଦୁଆରେ ହେବ ଚାଙ୍ଗୁ ମାଡ଼..., ଚାଲ୍ ଚାଲ୍ ଚାଲ୍ ବଉଳ..., ଇ ଇ ରସିଆ..., ରୋହିସଙ୍ଗେ ଇଲିସିର ବାହାଘର..., ବୁଲେଟ୍ ଗାଡ଼ି..., ଆମ ବାପାର ପଇସା ନାହିଁ..., ଦିଲ୍ ହେଲା କୁଟକୁଟା..., ସୁକୁମାରି...। ଏହି ଗୀତଗୁଡ଼ିକର ଟ୍ରାକ୍ ବ୍ୟବହାର କରି ନିର୍ବାଚନ ପାଇଁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପ୍ରଚାର ଉଦ୍ଦେଶ୍ୟରେ କଟକରେ ବିଭିନ୍ନ ଷ୍ଟୁଡିଓରେ ରେକର୍ଡିଂ ଆରମ୍ଭ ହୋଇଯାଇଛି। ରୋହୀ ସଙ୍ଗେ ଇଲିସିର ବାହାଘର ଗୀତ କଂଗ୍ରେସ ଦଳର ପ୍ରାର୍ଥୀମାନେ ଅଧିକ ବ୍ୟବହାର କରୁଛନ୍ତି। ଉଭୟ ବିଜେପି ଓ ବିଜେଡ଼ିକୁ ଟାର୍ଗେଟ କରି ଏହି ଗୀତ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି।

Advertisment

ତେବେ ପୁରୁଣା ଟ୍ରାକରେ ନିର୍ବାଚନ ଗୀତ ପ୍ରସ୍ତୁତି ପାଇଁ ହେଉଥିବା ବ୍ୟୟ କଥା ଯଦି ଦେଖାଯାଏ, ତେବେ ଆଲବମ୍ ଓ ସିନେମା ଗୀତର ଟ୍ରାକରେ ପ୍ରସ୍ତୁତ ହେଉଥିବା ନିର୍ବାଚନୀ ଗୀତ ପ୍ୟାକେଜ୍ ପିଛା ୩୦ରୁ ୪୦ ହଜାର ଟଙ୍କା ରହୁଛି। ପ୍ରତି ପ୍ୟାକେଜରେ ପ୍ରାର୍ଥୀଙ୍କ ପରିଚୟ, ପ୍ରତିଶ୍ରୁତି, ସଫଳତା, ଜିନ୍ଦାବାଦ୍, ସ୍ଲୋଗାନ୍ ଓ ୫ଟି ଗୀତ ରହିବ। ସମ୍ପୃକ୍ତ ପ୍ରାର୍ଥୀ ତାଙ୍କ ସମ୍ପର୍କିତ ତଥ୍ୟ ସଂଗୀତ ଲେଖକଙ୍କୁ ଆଗୁଆ ଜଣାଇଥାନ୍ତି। ଯାହାକି ପ୍ରାର୍ଥୀଙ୍କ ଗୀତ ଲେଖିବା ସହିତ ସେମାନଙ୍କ ପ୍ରତିଶ୍ରୁତି ଓ ସଫଳତା ସମ୍ପର୍କରେ ରେକର୍ଡିଂ ସମୟରେ ବ୍ୟବହାର କରାଯାଇଥାଏ। ଗୀତ ଲେଖିବା ପାଇଁ ପାଖାପାଖି ୬ରୁ ୭ ଘଣ୍ଟା ସମୟ ଲାଗିଥାଏ। ଏହାପରେ କଣ୍ଠଶିଳ୍ପୀ ଷ୍ଟୁଡିଓରେ ଗୀତ ଗାଇଥାନ୍ତି। ଗୋଟିଏ ପ୍ୟାକେଜ୍ ପ୍ରସ୍ତୁତ ପାଇଁ ସର୍ବାଧିକ ଦୁଇ ଦିନ ସମୟ ଲାଗିଥାଏ। କଣ୍ଠଶିଳ୍ପୀ ଗୋଟିଏ ଗୀତ ପିଛା ହାରାହାରି ୫ ହଜାର ଟଙ୍କା ଓ ଜିନ୍ଦାବାଦ ପକାଇବା ପାଇଁ କଳାକାର ୩ ହଜାର ଟଙ୍କା ପାରିଶ୍ରମିକ ନେଉଛନ୍ତି। ଷ୍ଟୁଡିଓରେ ୫ଟି ଗୀତ ରେକର୍ଡିଂ ପାଇଁ ୫ ହଜାର ଟଙ୍କା, ଗୀତ ଲେଖକ ୫ ହଜାର ଟଙ୍କା ନେଉଛନ୍ତି। ଏହିଭଳି ଭାବେ ମୋଟ ୩୦ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହେଉଛି।
କିନ୍ତୁ ଯେଉଁ ପ୍ରାର୍ଥୀମାନେ ସିନେମା କି ଆଲବମ୍ ଟ୍ରାକ୍ ବ୍ୟବହାର ନକରି ନୂଆ ଗୀତା ପ୍ରସ୍ତୁତ ପାଇଁ ଚାହୁଁଛନ୍ତି, ସେଥିପାଇଁ ୧ ଲକ୍ଷ ଟଙ୍କା ଯାଏ ବଜେଟ୍ ରହିଛି। ଏଥିପାଇଁ ନୂଆ ଗୀତ ଲେଖା ସହିତ ସ୍ବର ସଂଯୋଜନା, ଗୀତ ରେକର୍ଡିଂ କରାଯାଇଥାଏ। ଏହି ପ୍ୟାକେଜରେ ୪ଟି ନୂଆ ଗୀତ ରହିବ। ଷ୍ଟୁଡିଓ ଓ ହ୍ୟାଣ୍ଡସ୍ ଚାର୍ଜ ଅଧିକ ରହିଥାଏ। ଗୋଟିଏ ଗୀତ ଲେଖିବା ପାଇଁ ୫ରୁ ୬ ଘଣ୍ଟା ଲାଗିଥାଏ। ନୂଆ ଗୀତ ପ୍ରସ୍ତୁତ ପାଇଁ ଚାରି ଦିନ ସମୟ ଲାଗିଥାଏ। ଏଥିପାଇଁ ଏହାର ବଜେଟ୍ ଅଧିକ ରହିଛି।

ନୂଆ ଗୀତ ତାଲିକାରେ ରହିଛି, ଝୁଲରେ ବିଜେଡ଼ି ଝୁଲ, ଝୁଲ ନବୀନ ଝୁଲ..., ଭକ୍ତ ଭାଇ ଆମରି ନେତା କାମ ତାଙ୍କ ବଢ଼ିଆ...ଓଡ଼ିଶା ପାଇଁ ଦରଦ ତାଙ୍କ ସିଏ ଖାଣ୍ଟି ଓଡ଼ିଆ..., ଦେଖିବରେ ଦେଖିବ ଆସ...ଚୌଦ୍ବାର କଟକର ବିକାଶ..., ଗୁଗୁଲି ପକା କି ବାଉଁଶ ପକା...ଯେମିତି ପକାଉଛୁ ପକାରେ ପକା...ପାଣ୍ଡିଆନ୍ ସାର୍ ମାରିବେ ଛକା..., ଘାଣ୍ଟିବ ଘାଣ୍ଟିବ ଜାତୀୟ କଂଗ୍ରେସ ଘାଣ୍ଟିବ..., ଆମର ଦରକାର ନବୀନ ସରକାର..., ପୁଣି ଆସିବ ମୋଦୀ ସରକାର, ଜୟ ଶ୍ରୀରାମ ନାରା ଶୁଭୁଛି...ମୋଦୀ ସରକାର ଆସୁଛି, ଲଢ଼େଇ ହେବ...ଜାତୀୟ କଂଗ୍ରେସ ଜବାବ ଦେବ... ଇତ୍ୟାଦି ରହିଛି। ଗୀତ ରେକର୍ଡିଂ ପାଇଁ ଏବେ ମହତାବ ରୋଡ ମା’ ଷ୍ଟୁଡିଓ, ଲିଙ୍କରୋଡ ପିଏମ ଷ୍ଟୁଡିଓ, ବାଦାମବାଡ଼ି ପବିତ୍ର ଷ୍ଟୁଡିଓ, ସିଡିଏ ସେକ୍ଟର ୯ରେ ଥିବା ପ୍ରତିଭା ଷ୍ଟୁଡିଓ, ଲିଙ୍କରୋଡ୍ ମିଲନ୍ ଷ୍ଟୁଡିଓ ଇତ୍ୟାଦି ନିର୍ବାଚନୀ ଗୀତ ରେକର୍ଡିଂ ପାଇଁ ଚଳଚଞ୍ଚଳ ହେଲାଣି।

କଟକର ମା’ ଷ୍ଟୁଡିଓ ମାଲିକ ତଥା ଲେଖକ ଦିଲ୍ଲୀପ ଜେନାଙ୍କ କହିବା ଅନୁଯାୟୀ ଯେଉଁ ପ୍ରାର୍ଥୀ ଟିକେଟ୍ ପାଇସାରିଛନ୍ତି, ସେମାନେ ଗୀତ ରେକର୍ଡିଂ ପାଇଁ ବରାଦ ଦେଇସାରିଲେଣି। ପଶ୍ଚିମ ଓଡ଼ିଶା ପ୍ରାର୍ଥୀଙ୍କ ଭାଷା ଜନିତ ସମସ୍ୟା ଥିବାରୁ ସେପଟୁ ବେଶି କାମ ଆସି ନଥାଏ। ବର୍ତ୍ତମାନ ଏହି ନିର୍ବାଚନୀ ଗୀତ ଗାଇବା ପାଇଁ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ତାରିକ ଅଜିତ, ସଞ୍ଜୁ ମହାନ୍ତି, ମାନସୀ ପାତ୍ର, ସଶ୍ମିତା ମିଶ୍ର, ଅମ୍ରିତା ନାୟକ, ସଂଗ୍ରାମ ମହାନ୍ତି, ଶୁବାଶିଷ ମହାକୁଡ଼, ବିଶ୍ବଜିତ ଆଚାର୍ଯ୍ୟ, ମୋନାଲି ମଧୁସ୍ମିତା, କରୁଣାକର ପ୍ରମୁଖ ରହିଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ଅନ୍ୟପଟେ ଗୀତ ଲେଖକ ବିଭୂତି ସ୍ବାଇଁଙ୍କ କହିବା ଅନୁଯାୟୀ, ଚାହିଦାରେ ଥିବା କଣ୍ଠଶିଳ୍ପୀ ନିର୍ବାଚନ ଗୀତ ଗାଇବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ସେମାନେ ଅଧିକ ଟଙ୍କା ଦାବି କରୁଛନ୍ତି। ତେଣୁ ସାଧାରଣ କଣ୍ଠଶିଳ୍ପୀଙ୍କୁ ଧରି ଗୀତ ରେକର୍ଡିଂ କରାଯାଉଛି। ସେମାନଙ୍କୁ ଗୀତ ପିଛା ୫ ହଜାର ଟଙ୍କା ଲେଖାଏ ପାରିଶ୍ରମିକ ଦିଆଯାଉଥିବା ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।