ଅସୁରଗଡ଼ରେ ଏଏସ୍ଆଇ ବିଶେଷଜ୍ଞଙ୍କ ଅନୁଧ୍ୟାନ

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ), ସମ୍ବଲପୁରର ଇତିହାସ ବିଭାଗ ପକ୍ଷରୁ ଗତ ଜୁନ୍ ମାସରେ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ୍ ଅନ୍ତର୍ଗତ ଗୋପେଇପାଲିର ଅସୁରଗଡ଼ରେ ଖନନ କରାଯାଇଥିଲା। ଏହି ଖନନ ସମୟରେ ପ୍ରାଚୀନ ଇତିହାସ ସଂର୍ପକିତ ତଥ୍ୟ ଲୋକଲୋଚନକୁ ଆସିଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ସଂରକ୍ଷଣ ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ପତ୍ର ଲେଖିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ସଂସ୍ଥା(ଏଏସ୍‌ଆଇ) ଉତ୍‌ଖନନ ଶାଖା-୪ର ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍ ଡ. ସୁକାନ୍ତ କୁମାର କରଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ ବରପାଲି ନିକଟସ୍ଥ ଉକ୍ତ ସ୍ଥାନ ପରିଦର୍ଶନ କରିଛନ୍ତି । ଏଥିରେ ଜିଏମ୍‌ୟୁର ଉତ୍‌ଖନନ ନିର୍ଦ୍ଦେଶକ ଡ. ଅତୁଲ କୁମାର ପ୍ରଧାନ ଏବଂ ସହ ନିର୍ଦ୍ଦେଶକ ଡ. ଉମାକାନ୍ତ ମିଶ୍ର ସାମିଲ ହୋଇଥିଲେ ।

ଉକ୍ତ ସର୍ବେକ୍ଷଣ ଦଳ ସେଠାର ପଶ୍ଚିମ ଭାଗରେ ଦୃଶ୍ୟମାନ ହେଉଥିବା କିଛି ପୁରାତନ ମାଟିପାତ୍ର ନମୂନା ସଂଗ୍ରହ କରିଛନ୍ତି । ବର୍ଷା ପରେ ଅନୁକୂଳ ପାଗ ସମୟରେ ପୁନର୍ବାର ଏହି ସ୍ଥାନର ସର୍ବେକ୍ଷଣ କରାଯିବ ବୋଲି ଡ. କର ସୂଚନା ଦେଇଛନ୍ତି । ପ୍ରତ୍ନତତ୍ତ୍ୱ ବିଭାଗର ସହାୟକ ପ୍ରତ୍ନତତ୍ତ୍ୱବିତ୍ ଡ. ଆଶିଷ ରଂଜନ ସାହୁ, ଭିଡ଼ିଓଗ୍ରାଫର ଦେବାଶିଷ ମିଶ୍ର, ଜିଏମ୍‌ୟରୁ ଚୂଡ଼ାମଣି ରଣା ପ୍ରମୁଖ ଏହି ଦଳର ସାମିଲ ଥିଲେ। ସୂଚନାଯୋଗ୍ୟ ଯେ, ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ଜୁନ୍ ମାସରେ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଟିମ୍ ଉତ୍‌ଖନନ ପ୍ରକଳ୍ପର ଅଂଶଗ୍ରହଣ କରିଥିଲେ । ଏହି ସମୟରେ ଏଠାରେ ମିଳିଥିବା ପ୍ରାଚୀନ ମୁଦ୍ରା, ମୋହର, ମାଳା, ଲୌହ ସାମଗ୍ରୀ, ମାଟି ଓ କୃଷ୍ଣ ଲୋହିତ ପାତ୍ର ପ୍ରଭୃତି ଅବଶେଷରୁ ଏଠାରେ ୨ ହଜାର ବର୍ଷ ପୂର୍ବରୁ ସଭ୍ୟତା ରହିଥିବା ଅନୁମାନ କରାଯାଇଥିଲା।। ବିଭିନ୍ନ ପାରମ୍ପାରିକ ପଦ୍ଧତିରେ ଏଠାରେ ସାମଗ୍ରୀ ସବୁ ନିର୍ମାଣ କରାଯାଉଥିଲା ଏବଂ ଏଠାର ଅନ୍ୟ ସ୍ଥାନ ସହିତ ବ୍ୟବସାୟିକ ସମ୍ପର୍କ ରହିଥିଲା। ପ୍ରାପ୍ତ ତଥ୍ୟର ବ୍ୟବସାୟିକ ବିଶ୍ଲେଷଣ ଅନୁଯାୟୀ ଏଠାରେ ଉନ୍ନତ ନଗର ସଭ୍ୟତା ଗଢ଼ି ଉଠିଥିଲା ବୋଲି ଅନୁମାନ କରାଯାଇଛି।

ସମ୍ବନ୍ଧିତ ଖବର