ରାଜ୍ୟର କରୋନା ରୋଗୀଙ୍କ ଭୂତାଣୁ ଷ୍ଟ୍ରେନ୍‌ର ଅନୁଶୀଳନ, ପ୍ରଥମ ପର୍ଯ୍ୟାୟରେ ନିଆଗଲା ୪୫ କରୋନା ରୋଗୀଙ୍କ ଜିନୋମ୍

ଜୀବ ବିଜ୍ଞାନ ପ୍ରତିଷ୍ଠାନ ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ମିଳିତ ଗବେଷଣା

ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ଙ୍କ ଶରୀରରେ ଭୂତାଣରୁ କେଉଁ ପ୍ରକାର ଷ୍ଟ୍ରେନ୍ ରହିଛି ତାହର ଅନୁଶୀଳନ ଆରମ୍ଭ ହୋଇଛି। ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍‌) ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍‌ଆରସି) ପକ୍ଷରୁ ଗବେଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪୫ଜଣ ରୋଗୀଙ୍କ ଜିନୋମ୍‌ର ଅନୁଶୀଳନ କରାଯାଇଛି। ଏହି ଗବେଷଣା ରିପୋର୍ଟକୁ ଗ୍ଲୋବାଲ ଇନିସିଏଟିଭ୍ ଅଫ ସେୟାରିଂ ଅଲ ଇନଫ୍ଲୁଏଞ୍ଜା ଡାଟା (ଜିଆଇଏସ୍‌ଏଆଇଡି)କୁ ପ୍ରଦାନ କରାଯାଇଛି।

ରାଜ୍ୟରେ ଏବେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଲକ୍ଷାଧିକ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଆସିଥିବା ବେଳେ ଅନେକ ସଂକ୍ରମିତ ଥିବା ନଜରକୁ ଆସୁଛି। ଏଭଳି ସ୍ଥିତିରେ ରାଜ୍ୟରେ ଭୂତାଣରୁ କେଉଁ ପ୍ରକାର ଷ୍ଟ୍ରେନ୍‌ ରହୁଛି ଓ ଏହାସହ ରୋଗର ଜୀବବିଜ୍ଞାନ, ବିବିଧତା, ରୋଗ ପ୍ରତିରୋଧକ ପ୍ରତିକ୍ରିୟା ଉପରେ ଗବେଷଣା ଆରମ୍ଭ ହୋଇଛି। ଜୀବ ବିଜ୍ଞାନ ପ୍ରତିଷ୍ଠାନର ଗବେଷକ ଡା.ସୁନୀଲ ରାଘବ ଓ ଆରଏମ୍‌ଆରସିର ଡା.ଜ୍ୟୋତିର୍ମୟୀ ତୁରୁକ୍‌ ଏହି ଗବେଷଣା କରିଛନ୍ତି। ଏବେ ମାତ୍ର ୪୫ଜଣ ରୋଗୀଙ୍କ ଜିନୋମ୍ ଅନୁଶୀଳନ ହୋଇଥିବା ବେଳେ ଆଗାମୀ ଦିନରେ ୨ଶହ ପଜିଟିଭ୍‌ଙ୍କ ଅନୁଶୀଳନ କରାଯିବ ବୋଲି କୁହାଯାଇଛି। ଫଳରେ ରାଜ୍ୟରେ ଭୂତାଣୁ ଷ୍ଟ୍ରେନ୍‌ର ପ୍ରଖରତା ସଂପର୍କରେ ତଥ୍ୟ ମିଳିପାରିବ। ଆଗାମୀ ଦିନରେ ରୋଗର ଚିହ୍ନଟ, ନିୟନ୍ତ୍ରଣ ଓ ଚିକିତ୍ସା ଦିଗରେ ଏହା ସହାୟକ ହୋଇପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର