ସ୍କୁଲ ବନ୍ଦ ଯୋଗୁଁ ଶିଶୁ ଶ୍ରମିକ, ବାଲ୍ୟ ବିବାହ ବଢୁଛି: ଶିଶୁ ସୁରକ୍ଷା କମିସନ

ଶିଶୁ ଅଧିକାର ସ୍ଥିତି ନେଇ ଅଧ୍ୟୟନ ରିପୋର୍ଟ

ଭୁବନେଶ୍ବର : ସ୍କୁଲ ବନ୍ଦ ଏବଂ ଲକ୍‌ଡାଉନ ଯୋଗୁଁ ଅଧାରୁ ସ୍କୁଲ ଛାଡ଼ୁଛନ୍ତି ବିଦ୍ୟାର୍ଥୀ। ଏଥିଯୋଗୁଁ ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଶିଶୁ ଅସଦାଚରଣ ବୃଦ୍ଧି ପାଉଛି। ଅପରପକ୍ଷରେ ପୁରୁଣା ବିଦ୍ୟାର୍ଥୀଙ୍କୁ ସ୍କୁଲରେ ପୁନଃ ନାମ ଲେଖାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ସାମାଜିକ ସଙ୍ଗଠନ ପତଙ୍ଗ ପକ୍ଷରୁ ଶିଶୁ ଅଧିକାର ସ୍ଥିତି ନେଇ କରାଯାଇଥିବା ଅଧ୍ୟୟନ ରିପୋର୍ଟ ଉନ୍ମୋଚନ ଅବସରରେ ଏହା କହିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା କମିସନର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ।

ସିଓ୍ବାଇଏସଡି ଅଡିଟୋରିୟମରେ ଯୁବ ନେତୃତ୍ବ ଏବଂ ଶିଶୁ ଅଧିକାର ସମ୍ପର୍କିତ କାର୍ଯ୍ୟକ୍ରମରେ ଏସଏସଇପିଡି ବିଭାଗର ଉପସଚିବ ସନ୍ନ୍ୟାସୀ ବେହେରା, ଆରଟିଇ ଫୋରମ ଆବାହକ ଅନିଲ ପ୍ରଧାନ, ମହିଳା-ଶିଶୁ କଲ୍ୟାଣ ବିଭାଗ ପରାମର୍ଶଦାତା ଅନୁପମା ସାହୁ, ବ୍ରେକ ଥ୍ରୋର ରାଜ୍ୟ ଆବାହକ ରୁକ୍ମିଣୀ ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରିୟରଞ୍ଜନ ସାହୁ, କ୍ରିକେଟ ଖେଳାଳି ଜାଫର ଇକବାଲ, ଅକ୍ସଫାମର ବିମଳ ପାଣ୍ଡିଆ, ଆଡ୍‌ ଆଟ୍‌ ଆକ୍ସନର ସରୋଜ ବାରିକ, ସିଓ୍ବାଇଏସଡିର ସରୋଜ ବିରୋ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାରେ ଶିଶୁ ଅଧିକାର ଆହ୍ବାନ ଏବଂ ସୁଯୋଗକୁ ନେଇ ଆୟୋଜିତ ଆଲୋଚନାରେ କରୋନାରେ ଶିଶୁଙ୍କ ଅଧିକାର କ୍ଷୁଣ୍ଣ ହୋଇଥିବା କୁହାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସାମାଜିକ ସଙ୍ଗଠନ ପତଙ୍ଗର ସଚ୍ଚିଦାନନ୍ଦ ମିଶ୍ର, ସମୀର ମହାମଲ୍ଲିକ, ରତନ ମାଚୋ, ଦେବରାଜ ଭୋଇ, ଏମଲନ ତିର୍କି, ଭୂମିସୁତା ସାହୁ, ବିଦ୍ୟଦର୍ଶିନୀ ଦାସ, ବିଜୟ ପ୍ରମୁଖ ଭୂମିକା ନେଇଥିଲେ।

୫୯% ଲିଙ୍ଗଗତ, ୩୫% ଜାତିଗତ ଭେଦଭାବର ଶିକାର
ଗ୍ରାମାଞ୍ଚଳରେ ବିପନ୍ନ ହେଉଛି ଶିଶୁ ଅଧିକାର। ସାମାଜିକ ସଙ୍ଗଠନ ପତଙ୍ଗ ପକ୍ଷରୁ ପଞ୍ଚାୟତସ୍ତରରେ କରାଯାଇଥିବା ନମୁନା ସର୍ଭେ ଅନୁସାରେ, ୫୯% ଲିଙ୍ଗଗତ, ୩୫% ଜାତିଗତ ଭେଦଭାବର ଶିକାର ହେଉଛନ୍ତି। ଝିଅମାନେ ଉଭୟ ପରିବାର ଏବଂ ସମାଜରେ ଲିଙ୍ଗଗତ ଭେଦର ଶିକାର ହୋଇଥାଆନ୍ତି। ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ଝିଅମାନଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଏ। ୩୫.୬୧% ଝିଅ ଅସଦାଚରଣର ଶିକାର ହେଉଥିବା ନେଇ ରିପୋର୍ଟ ହୋଇଛି। ୩୧.୬୫% ବାଲ୍ୟ ବିବାହ, ୨୦% ଶିଶୁ ଶ୍ରମିକ, ୨୫ % ଶାରୀରିକ ନିର୍ଯାତନାର ଶିକାର ହୋଇଥାଆନ୍ତି। ଅନେକ ଶିଶୁ ଯୌନ ନିର୍ଯାତନା, ପ୍ରବାସୀ ଶ୍ରମିକ ମଧ୍ୟ ହେଉଥିବା ନେଇ ରିପୋର୍ଟରେ ପ୍ରକାଶିତ ହୋଇଛି।

ସମ୍ବନ୍ଧିତ ଖବର