ଭୁବନେଶ୍ବର: ରାଜ୍ୟରେ ହିଲ ଖଡ଼ିଆ ଏବଂ ମାଙ୍କଡ଼ିଆ ଉନ୍ନୟନ ପରିଷଦର ଗଠନକୁ ୩୭ ବର୍ଷ ବିତିଲା। କିନ୍ତୁ ଆଜି ମଧ୍ୟ ମୟୂରଭଞ୍ଜ ଜିଲ୍ଲାର କୌଣସି ମାଙ୍କଡ଼ିଆ ପରିବାରଙ୍କ ପାଖରେ ଚାଷ ଜମି ନାହିଁ। ପରିଣାମ ହେଲା, ଏହି ବର୍ଗର ୪୬% ଲୋକ ଆଜି ମଧ୍ୟ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ। ୩୯% ଦିନ ମଜୁରିଆ ଅଟନ୍ତି। ମୟୂରଭଞ୍ଜ ଜିଲ୍ଲାର ମାଙ୍କଡ଼ିଆ ଜନଜାତିଙ୍କ ସ୍ଥିତିକୁ ନେଇ ଲୋହିଆ ଏକାଡେମିରେ ଆୟୋଜିତ କର୍ମଶାଳାରେ ଏହି ଅଧ୍ୟୟନ ରିପୋର୍ଟ ଉନ୍ମୋଚିତ ହୋଇଥିଲା।

Advertisment

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଚତୁଃପାର୍ଶ୍ୱର ୭ଟି ବ୍ଲକ ଅନ୍ତର୍ଗତ ୮ଟି ଗାଁରେ ଥିବା ଏହି ସଂପ୍ରଦାୟକୁ ନେଇ ଅଧ୍ୟୟନ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ଆଧାରକାର୍ଡ ସମସ୍ୟା କାରଣରୁ ଆଦିମ ଜନଜାତି ଭାବରେ ମାନ୍ୟତାପ୍ରାପ୍ତ ମୟୂରଭଞ୍ଜ ଜିଲ୍ଲାର ୫୨% ମାଙ୍କଡ଼ିଆ ପରିବାର ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି। ୩୩% ପରିବାର ଆଜି ବି କଚ୍ଚା ଘରେ ରହୁଛନ୍ତି, ୩୭%ଙ୍କୁ ସରକାରୀ ଆବାସ ସହାୟତା ମିଳିପାରି ନାହିଁ। ସରକାରୀ ନଥିପତ୍ରରେ ମାଙ୍କଡ଼ିଆଙ୍କ ବନାନ ଜନିତ ତ୍ରୁଟି ଯୋଗୁଁ ଅଧିକାଂଶଙ୍କୁ ଜାତି ପ୍ରମାଣପତ୍ର ମିଳିପାରୁ ନାହିଁ। ଏଥିଯୋଗୁଁ ସେମାନଙ୍କୁ ଆଦିମ ଜନଜାତିଙ୍କ ପାଇଁ ଥିବା ସରକାରୀ ସୁବିଧା ମିଳିପାରୁ ନାହିଁ। କେବଳ ସେତିକି ନୁହେଁ, ୫୫% ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ କାଳିଆ ଯୋଜନା ଏବଂ ୮୭% ପିଏମ କିଷାନ ଯୋଜନାରୁ ବଞ୍ଚିତ ଅଛନ୍ତି। ଦୁର୍ବଳ ଆର୍ଥିକ ସ୍ଥିତି ସତ୍ତ୍ବେ ଯୋଗ୍ୟ ଥାଇ ମଧ୍ୟ ୯% ପିଡିଏସ୍‌ କେନ୍ଦ୍ରର ବାଟ ମାଡ଼ିପାରି ନାହାନ୍ତି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅନେକ ଯୁବକ-ଯୁବତୀ କାର୍ଯ୍ୟ କରିବା ପାଇଁ ଆଗ୍ରହୀ। ମାତ୍ର ସେମାନଙ୍କୁ ଠିକ ଭାବରେ ମଜୁରି ନ ମିଳିବା ଏବଂ ପ୍ରାପ୍ୟ, ରୋଜଗାର ପ୍ରଦାନ ବେଳେ ଖରାପ ବ୍ୟବହାର ଯୋଗୁଁ ସେମାନେ ଏଥିପ୍ରତି ଆଗ୍ରହୀ ହୁଅନ୍ତି ନାହିଁ। ବାହାରକୁ ପଳାୟନ ପାଇଁ ବାଧ୍ୟ ହୋଇଥାଆନ୍ତି। ପୁରୀ ଜନମଙ୍ଗଳ ମହିଳା ସମିତି ଓ ବାରିପଦାସ୍ଥିତ ଗ୍ରାମ ସ୍ୱରାଜ ସଂଗଠନର ମିଳିତ ପ୍ରୟାସରେ ଏହି ରିପୋର୍ଟର ପ୍ରସ୍ତୁତ ହୋଇଛି। ଜଙ୍ଗଲ ଉପରେ ପାରମ୍ପରିକ ଅଧିକାର ସାବ୍ୟସ୍ତ ହୋଇପାରି ନଥିବାରୁ ଓ ଜଙ୍ଗଲ ସମ୍ବଳ ସରି ଆସୁଥିବା କାରଣରୁ ଏହି ବିପଦସଙ୍କୁଳ ଜନଜାତିଙ୍କ ଜଙ୍ଗଲ ଜୀବିକା ପ୍ରଭାବିତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

କର୍ମଶାଳାରେ ସାମାଜିକ କର୍ମୀ ବିମଳ ପାଣ୍ଡିଆ ରିପୋର୍ଟ ଉପସ୍ଥାପନ କରିଥିଲେ। ସମାଜ ବିଜ୍ଞାନୀ ସନ୍ଦୀପ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ରଇବାରି ମାଙ୍କଡ଼ିଆ ଓ ବିଶରାମ ମାଙ୍କଡ଼ିଆ ନିଜ ଜନଜାତିର ପ୍ରମୁଖ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଅନୁସୂଚିତ ଜାତି, ଜନଜାତି ଏବଂ ଆରଟିଆଇର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରେମାନନ୍ଦ ପଣ୍ଡା, ଗବେଷକ ଡ. ବିଶ୍ବ ଭାରତୀ, ତ୍ରିଲୋଚନ ସାହୁ, ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. ଅରବିନ୍ଦ ବେହେରା, ସମାଜ ବିଜ୍ଞାନୀ ତଥା ଅଗ୍ରଗାମୀର ନିର୍ଦ୍ଦେଶକ ଅଚ୍ୟୁତ ଦାସ ଅଧ୍ୟୟନର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ। ସୁକାନ୍ତ ପାତ୍ର ଧନ୍ୟବାଦ ଦେଇଥିଲେ।