ଝରିଗାଁ : ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରାଇବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ବିଦ୍ୟାଳୟଗୁଡ଼ିକୁ ୫-ଟିରେ ସାମିଲ କରି ଡିଜିଟାଲ ଶିକ୍ଷାଦାନ ପାଇଁ ଗୁରୁତ୍ବ ଦେଉଛନ୍ତି। କିନ୍ତୁ, ଏତେସବୁ ଯୋଜନା ସତ୍ତ୍ବେ ଶ୍ରେଣୀଗୃହ ଅଭାବ ଯୋଗୁଁ ଆଜି ବି ଛାତ୍ରଛାତ୍ରୀ ଗଛମୂଳେ ଓ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଶିକ୍ଷା ବିଭାଗର ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତର ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ।

Advertisment

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବେଳଝରୀ ଗ୍ରାମରେ ବହୁବର୍ଷ ତଳେ ପ୍ରଶାସନ ପକ୍ଷରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ସେହିସମୟରେ ଦୁଇଟି ଆଜବେଷ୍ଟସ୍‌ ଶ୍ରେଣୀଗୃହ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଗୋଟିଏ ଛାତ ଗୃହ ନିର୍ମାଣ କରାଯାଇଥିଲା। ତେବେ, ବହୁ ପୁରୁଣା ହୋଇଯାଇଥିବା ତଥା ରକ୍ଷଣାବେକ୍ଷଣ ଅଭାବରୁ ଦୁଇଟି ଆଜବେଷ୍ଟସ୍‌ ଶ୍ରେଣୀଗୃହ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଥିଲା। ଏହି ଦୁଇଟି ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟି କାରଣରୁ ପ୍ରାୟ ଦୁଇ ବର୍ଷ ହେଲା ଉଭୟ ଶ୍ରେଣୀଗୃହରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଲା ପକାଇ ଦେଇଛନ୍ତି। ଚଳିତବର୍ଷ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମଶେଣୀ ପର୍ଯ୍ୟନ୍ତ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୨ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। କିନ୍ତୁ, ଦୁଇ ପୁରୁଣା ଶ୍ରେଣୀଗୃହ ବିପଦସଂକୁଳ ଅବସ୍ଥାରେ ଥିବାବେଳେ ସ୍ଥାନ ଅଭାବରୁ ବର୍ତ୍ତମାନ ପୁରୁଣା ଶ୍ରେଣୀଗୃହ ଓ ଛାତ ଗୃହ ବାରଣ୍ଡା ସମେତ ମାତ୍ର ଗୋଟିଏ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ବସାଇ ପାଠ ପଢ଼ାଯାଉଛି। ଆଉ କିଛି ଛାତ୍ରଛାତ୍ରୀ ଗଛମୂଳେ ପଢ଼ୁଥିବା ଦେଖିବାକୁ ମିଳିଛି। ତେବେ ବିପଦ ସଂକୁଳ ଅବସ୍ଥାରେ ଥିବା ପୁରୁଣା ଶ୍ରେଣୀଗୃହରେ ବସି ପଢ଼ିବା ସମୟରେ କୌଣସି ଅଘଟଣ ଘଟିବା ନେଇ ଅଭିଭାବକ ଆଶଙ୍କାରେ ରହିଛନ୍ତି।

ଅନ୍ୟପଟେ ବିଦ୍ୟାଳୟରେ ମାତ୍ର ୨ଜଣ ଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ଜଣେ ଶିକ୍ଷକ ବିଦ୍ୟାଳୟର କାମ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଥିବା ବେଳେ ଜଣେ ଶିକ୍ଷକଙ୍କ ଦ୍ୱାରା ବିଦ୍ୟାଳୟ ଚାଲିଛି। ସେହିପରି ବିଦ୍ୟାଳୟରେ ରୋଷେଇ ଗୃହ ନଥିବାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ସମସ୍ୟା ହଉଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟର ଖେଳ ପଡ଼ିଆ ନଥିବାରୁ ଛାତ୍ରଛାତ୍ରୀ କ୍ରୀଡ଼ାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହି ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ ସହିତ ଅନ୍ୟ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।