ପୁଅକୁ ହରାଇ ସ୍ତବ୍‌ଧ: ମନ୍ଦିରରେ ଅଧିଆ ପଡ଼ିଲା ମା’, ବାହାରେ ଶବ ଧରି ରହିଲେ ବାପା

ବ୍ରଜରାଜନଗର: ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିଲେନି ପିତାମାତା। ମୃତ ପୁଅକୁ ବଞ୍ଚାଇ ଦେବାକୁ ମା’ କୋଇଲି ଘୁଘର ଶିବ ମନ୍ଦିରରେ ଅଧିଆ ପଡ଼ିଥିଲେ। ଅନ୍ୟ ପଟେ ବାପା ପୁଅର ଶବ ସହ ମନ୍ଦିର ବାହାରେ ଜଗି ରହିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, ଲଖନପୁର ବ୍ଲକ୍ ଠେବେରା ଗାଁର ଅର୍ଜୁନ ଦୁଆନ ଓ ସ୍ତ୍ରୀ ସୁତୁରାଙ୍କ ବିବାହର ୧୭ ବର୍ଷ ପରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କୋଇଲି ଘୁଘର ଶିବ ମହାପ୍ରଭୁଙ୍କ ଆଶୀର୍ବାଦରୁ ପୁତ୍ର ହୋଇଥିବା ସେମାନଙ୍କ ବିଶ୍ବାସ ହୋଇଥିଲା। ତାଙ୍କ ଏକମାତ୍ର ପୁଅ ରମାକାନ୍ତ (୧୯) କଟକର ଏକ କାର୍‌ ମରାମତି କେନ୍ଦ୍ରରେ ତାଲିମ ନେଉଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆଣି ଝାରସୁଗୁଡ଼ାରେ ଏକ ଘରୋଇ ହସ୍ପିଟାଲରେ ପରିବାର ଲୋକ ଭର୍ତ୍ତି କରିଥିଲେ।

ରମାକାନ୍ତଙ୍କ ସିକଲ୍‌ସେଲ୍‌ ରୋଗ ଥିବାରୁ ହିମୋଗ୍ଲୋବିନ ସ୍ତର ୨କୁ ଖସି ଆସିଥିଲା। ଫଳରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା। ସେମାନେ ପୁଅର ଶବକୁ ଡାକ୍ତରଖାନାରୁ ଆଣି କୋଇଲି ଘୁଘର ଶୈବପୀଠକୁ ଆସିଥିଲେ। ପୁଅକୁ ବଞ୍ଚାଇ ଦେବାକୁ ମା’ ମନ୍ଦିର ନିକଟରେ ଅଧିଆ ପଡ଼ିଥିଲେ। ବାପା ମନ୍ଦିର ବାହାରେ ଶବ ରଖି ବସିଥିଲେ। ତେବେ କୋଇଲି ଘୁଘର କମିଟିର ସମ୍ପାଦକ ନିର୍ମଲ ପଧାନ, ତୁଷାରାମ ପଧାନ, ଦିଲ୍ଲୀପ ପଧାନ ଓ ପୁଲିସ ବହୁ ବୁଝାସୁଝା ପରେ ସେମାନେ ୨୧ ଘଣ୍ଟା ପରେ ଶବ ନେଇ ସତ୍କାର କରିବାକୁ ଯାଇଥିଲେ।

ସମ୍ବନ୍ଧିତ ଖବର