ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପକ୍ଷରୁ କେବଳ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) ନିର୍ଦ୍ଧାରଣ କରାଯାଉଛି। ସୁଆଁ ଏବଂ କାଙ୍ଗୁର ଏ ତାଲିକାରେ ନାହିଁ। ରାଜ୍ୟ କୃଷି ବିଭାଗର ନିର୍ଦ୍ଦେଶରେ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଓୟୁଏଟି ପକ୍ଷରୁ ଉଭୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ କରାଯାଉଛି। ଖୁବଶୀଘ୍ର ଉଭୟ ଶସ୍ୟର ସହାୟକ ମୂଲ୍ୟ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ। ଏହାପରେ ମିଲେଟ୍ ମିସନରେ ମାଣ୍ଡିଆ ସହିତ ସୁଆଁ ଏବଂ କାଙ୍ଗୁ ମଧ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଠାରୁ ସଂଗ୍ରହ କରାଯାଇ ପାରିବ। ୯ ଏବଂ ୧୦ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀର ମାଣ୍ଡିଆ ବ୍ୟତୀତ କାଙ୍ଗୁ, ସୁଆଁ ଭଳି ଅନ୍ୟ ମିଲେଟ୍‌ ଚାଷ, ଉପଯୁକ୍ତ ସହାୟକ ମୂଲ୍ୟ ଏବଂ ମାର୍କେଟିଂ ଉପରେ ଆଲୋଚନା କରାଗଲେ ଉଭୟ ଚାଷୀ ଏବଂ ରାଜ୍ୟ କୃଷି ବିଭାଗ ଉପକୃତ ହେବ ବୋଲି ଆଶା କରାଯାଏ।

Advertisment

ମିଲେଟ୍‌ କହିଲେ ମାଣ୍ଡିଆ, କୁଦୋ, ଗୁର୍ଜି, ରକ୍ସି, କାଙ୍ଗୁ, ବାଜରା, ସୁଆଁ, ଖିରା, ଜବାର ସମେତ ୯ଟି ପୋଷଣଯୁକ୍ତ ଖାଦ୍ୟଶସ୍ୟକୁ ବୁଝାଏ। ଓଡ଼ିଶା ମିଲେଟ୍‌ ମିସନରେ ୪ ଶସ୍ୟକୁ ସାମିଲ କରାଯାଇଛି। ମିଲେଟ୍ ମିସନ ଅଧୀନରେ ରାଜ୍ୟର ୩୦ ଜିଲ୍ଲାରେ ସମୁଦାୟ ୨.୨ ଲକ୍ଷ ହେକ୍ଟର ଜମିରେ ମିଲେଟ୍‌ ଚାଷ କରାଯାଉଛି। ଏଥିରୁ ୮୧.୦୧ % ଜମିରେ ମାଣ୍ଡିଆ, ୧୧.୨୮ %ରେ ସୁଆଁ, ୧.୯ % କାଙ୍ଗୁ ଏବଂ ବାକି ଅନ୍ୟ ମିଲେଟ୍‌ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟିଡିସିଏଲ୍‌ ପକ୍ଷରୁ ମଣ୍ଡି ବ୍ୟବସ୍ଥାରେ ଚାଷୀଙ୍କ ଠାରୁ ମାଣ୍ଡିଆ ସଂଗ୍ରହ କରାଯାଉଛି। ରାଜ୍ୟରେ ଅନ୍ୟ ମିଲେଟ୍ ଚାଷ କରାଯାଉଥିଲେ ମଧ୍ୟ ସିଧାସଳଖ ସରକାର କିଣୁ ନାହାନ୍ତି।

ବରଗଡ଼ର ମିଲେଟ୍ ଚାଷୀ ଶିବ ପ୍ରସାଦ ସାହୁ କହନ୍ତି, ସୁଆଁ, ଗୁର୍ଜି ଏବଂ କାଙ୍ଗୁର ଖିରି, ଖେଚୁଡ଼ି, ପିଠା, ଚକୁଳି ପୋଷଣଯୁକ୍ତ ସହିତ ସ୍ବାଦିଷ୍ଟ ମଧ୍ୟ। ସୁଆଁ ଏବଂ ଗୁର୍ଜି ଗୋଟିଏ ପ୍ରଜାତିର ମିଲେଟ୍‌ ଅଟେ। ବର୍ଣ୍ଣଭିଟା ଭଳି ବିଭିନ୍ନ ହେଲ୍ଥଡ୍ରିଙ୍କ୍ସରେ ଏହାର ବହୁଳ ବ୍ୟବହାର ହୁଏ। ତେଣୁ ନାସିକରୁ ବ୍ୟବସାୟୀମାନେ ଆସି ଚାଷୀଙ୍କ ଠାରୁ କେଜି ପ୍ରତି ମାତ୍ର ୩୦ ଟଙ୍କାରେ କ୍ରୟ କରି ଏହି କମ୍ପାନିକୁ ଅଧିକ ଦରରେ ବିକ୍ରି କରି ଭଲ ଅର୍ଥ ରୋଜଗାର କରନ୍ତି। ପୋଷଣଯୁକ୍ତ ସୁଆଁ ଚାଉଳ ତ ବଜାରରେ ୧୨୦ ଟଙ୍କାରେ ବିକ୍ରି ହୁଏ। ଏଠାରେ ପ୍ରୋସେସିଂ ବ୍ୟବସ୍ଥା ନଥିବାରୁ ସୁଆଁକୁ ଚାଉଳରେ ପ୍ରସ୍ତୁତ କରାଯାଇ ପାରୁ ନାହିଁ। ଏହାର ଲାଭ ବ୍ୟବସାୟୀମାନେ ନେଉଛନ୍ତି। ରାଜ୍ୟର ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର ଥୁଆମୂଳ-ରାମପୁରରେ ସୁଆଁ ଏବଂ ଗୁର୍ଜି, କୋରାପୁଟରେ କାଙ୍ଗୁ ଚାଷ ହେଉଛି। କିଛି ବର୍ଷ ହେଲା ବରଗଡ଼ ଏବଂ ବଲାଙ୍ଗୀରର କିଛି ଚାଷୀ ଏଥିପ୍ରତି ଆଗ୍ରହ ଦେଖାଇଛନ୍ତି। ଓୟୁଏଟିର ବିଶେଷଜ୍ଞ ଟିମ୍‌ ଚାଷ ଖର୍ଚ୍ଚ ଏବଂ ବଜାର ଦର ଆକଳନ କରି ସହାୟକ ମୂଲ୍ୟ ନିର୍ଧାରଣ କରୁଛି। ପ୍ରାଥମିକ ରିପୋର୍ଟ କୃଷି ବିଭାଗକୁ ଦିଆଯାଇଛି। ବିଭାଗରେ ମଧ୍ୟ ଏହାକୁ ନେଇ ତର୍ଜମା ଚାଲିଛି। କେବେ ଅନ୍ୟ ମିଲେଟ୍‌ର ଏମ୍‌ଏସ୍‌ପି ଘୋଷଣା ହେବ ଏବଂ ଚାଷୀଙ୍କୁ ଶୋଷଣରୁ ମୁକ୍ତି ମିଳିବ ତାକୁହିଁ ଅପେକ୍ଷା।