ସାକ୍ଷୀଗୋପାଳ : ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗୁରୁବାର ଅପରାହ୍ଣରେ ରାଜ୍ୟ ସରକାରଙ୍କ ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ୨୫ କୋଟି ଟଙ୍କା ବ୍ୟୟରେ ଚାଲୁଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ପରିଦର୍ଶନ କରିବା ସହିତ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ଆସନ୍ତା ଜାନୁଆରି ମାସ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ଅବସରରେ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ।

Advertisment

publive-image

ଗୁରୁବାର ଦିନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ପ୍ରକଳ୍ପରେ ଚାଲୁଥିବା ବିଭିନ୍ନ କାର୍ଯ୍ୟ ଯାଞ୍ଚ କରିଥିବାବେଳେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ମଧୁସୂଦନ ଦାସ, ନିର୍ଦ୍ଦେଶକ ରଞ୍ଜନ ଦାସ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ ଓ ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଉତ୍କଳମଣି ଗୋପବନ୍ଧୁଙ୍କ ନାତି ଧୀରେନ୍‌ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ସାହୁ ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥର ପଟ୍ଟନାଇକିଆ ଛକ ନିକଟରେ ନିର୍ମାଣାଧୀନ ସୂଚନା ଓ ଅଭ୍ୟର୍ଥନା କେନ୍ଦ୍ର, ସୁଆଣ୍ଡୋ ଠାରେ ସଂଗ୍ରହାଳୟ ଓ ଫୁଡ କୋର୍ଟ ପରିଦର୍ଶନ କରିଥିଲେ। ଏହି ଫୁଡ୍‌ କୋର୍ଟ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ଜଣାପଡିଛି। ଗ୍ରାମର ଆରାଧ୍ୟ ଠାକୁର ତଥା ଶୈବପୀଠ ଶ୍ରୀଶ୍ରୀଲୋକେଶ୍ୱର ଦେବଙ୍କ ମନ୍ଦିର ନିର୍ମାଣ ଆସନ୍ତା ଜାନୁଆରି ମାସ ୧୫ ତାରିଖ ମଧ୍ୟରେ ଶେଷ କରିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଭାର୍ଗବୀ ନଦୀ ବନ୍ଧ ନିକଟରେ ନିର୍ମିତ ହୋଇଥିବା ଦୋକାନ ଗୃହ ପ୍ରଶାସନକୁ ହସ୍ତାନ୍ତର କରିବା ନିମନ୍ତେ ଓଡ଼ିଶା ସେତୁ ନିର୍ମାଣ ନିଗମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।