ସୁଆର ମହାସୁଆର ନିଯୋଗ ବୋର୍ଡ ଭାଙ୍ଗିଲା : ୩୧ରେ ଭୋଟ, ୧ରେ ଗଣତି

ପୁଣି ଅନନ୍ତ-କାଳିଆଙ୍କ ମଧ୍ୟରେ ଲଢେଇ

ପୁରୀ : ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ବୋର୍ଡ ଆଜି ଭାଙ୍ଗିଛି। ନିଯୋଗର ସାଧାରଣ ପରିଷଦ ବୈଠକରେ କ୍ଷମତାସୀନ ଅନନ୍ତ ତିଆଡ଼ିଙ୍କ ବୋର୍ଡର କାର୍ଯ୍ୟକାଳ ସରିଥିବା ଘୋଷଣା କରାଯାଇଛି। ନୂଆ ବୋର୍ଡ ଗଠନ ପାଇଁ ମାର୍ଚ୍ଚ ୩୧ ତାରିଖରେ ଭୋଟ ହେବ। ୧ ତାରିଖରେ ଭୋଟ୍‌ ଗଣତି ହୋଇ ଫଳ ବାହାରିବ। ଶ୍ରୀମନ୍ଦିରରେ ସୁଆର ଓ ମହାସୁଆର ନିଯୋଗର ପ୍ରଭାବ ବେଶ ଅଧିକ। ମହାପ୍ରସାଦ ପ୍ରସ୍ତୁତ ଓ ଯୋଗାଣ ଏହି ନିଯୋଗର ଦାୟିତ୍ବ। ସବୁଠୁ ଧନୀ ନିଯୋଗ ଭାବେ ଏହି ନିଯୋଗ ଜଣାଶୁଣା। ତେଣୁ ନିଯୋଗର ବୋର୍ଡ ଦଖଲ କରିବାକୁ ଲାଗିଥାଏ ସବୁଠୁ ଅଧିକ ପ୍ରତିଦ୍ବନ୍ଦ୍ବିତା। ନିଯୋଗର ବାଇ’ଲ ଅନୁଯାୟୀ ସମସ୍ତ ସଦସ୍ୟ ୧୫ ଜଣିଆ କମିଟି ପାଇଁ ସଦସ୍ୟ ନିର୍ବାଚନ କରିଥାନ୍ତି। ଏହି ସଦସ୍ୟ ନିର୍ବାଚନ ପରେ ବୋର୍ଡ ଗଠନ ହୁଏ। ସେମାନେ ନିଯୋଗର ସମ୍ପାଦକ, ସଭାପତି, ଉପସଭାପତି, ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ ଅଡ଼ିଟର ମନୋନୀତ ହୁଅନ୍ତି। ଗତ ନିର୍ବାଚନ ପରେ ବୋର୍ଡରେ ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ଅନନ୍ତ ତିଆଡ଼ିଙ୍କ ସପକ୍ଷରେ ଅଧିକ ସଦସ୍ୟ ରହିଥିଲେ। ତାଙ୍କ ବିରୋଧରେ ଥିବା କାଳିଆଙ୍କର ସଦସ୍ୟ ସଂଖ୍ୟା କମ୍‌ ରହିବାରୁ ଅନନ୍ତ କ୍ଷମତାକୁ ଆସିଥିଲେ। ଏଥର ପୁଣି ସେହି ଦୁଇ ଗୋଷ୍ଠୀ ମୁହାଁମୁହିଁ ‌ହେବେ ବୋଲି ଆଜି ବୈଠକରୁ ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର