ଶ୍ରୀମନ୍ଦିର ନୀତି ସବ୍‌କମିଟିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ପୋତା ହେବ ଶ୍ରୀଜିଉଙ୍କ ଅଦରକାରୀ ଘୋଡ଼ାବସ୍ତ୍ର

ସୂର୍ଯ୍ୟୋଦୟ ପୂର୍ବରୁ ଦ୍ୱାରଫିଟା, ୧୨ଟା ପୂର୍ବରୁ ହୋଇ ପାରିବନି ପହୁଡ଼

ପୁରୀ: ଏଣିକି ମନଇଚ୍ଛା ଦ୍ୱାରଫିଟା ଓ ପହୁଡ ହୋଇ ପାରିବନାହିଁ। ଶ୍ରୀମନ୍ଦିର ସ୍ୱତ୍ୱଲିପି ମୁତାବକ ପ୍ରସ୍ତୁତ ନିର୍ଘଣ୍ଟକୁ କଡ଼ାକଡ଼ି ପାଳନ କରାଯିବ। ସୂର୍ଯ୍ୟୋଦୟ ପୂର୍ବରୁ ଦ୍ୱାରଫିଟା ହେବ ଓ ରାତି ୧୨ଟା ପୂର୍ବରୁ ପହୁଡ ହୋଇ ପାରିବନାହିଁ। ଅନେକ ସମୟରେ ରାତି ୮ଟା ଓ ୯ଟାରେ ପହୁଡ ହେଉଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ନୀତି ସବ୍‌ କମିଟି ଆଜି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦୈନନ୍ଦିନ ନୀତି ନିର୍ଘଣ୍ଟ ମୁତାବକ, ଏଣିକି ସୂର୍ଯ୍ୟୋଦୟ ପୂର୍ବରୁ ଦ୍ୱାରଫିଟା ନିଶ୍ଚିତ କରାଯିବ। ସ୍ୱତନ୍ତ୍ର ନୀତି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ବ୍ୟତୀତ ଅନ୍ୟ ଦିନରେ ନୀତି ନିର୍ଘଣ୍ଟ ମୁତାବକ ଅନୁଷ୍ଠିତ ହେବ। ନୂତନ ନୀତି ନିର୍ଘଣ୍ଟ ମୁତାବକ, ଭୋର ୫ଟାରେ ଦ୍ୱାରଫିଟା, ୫ଟା୩୦ରେ ଭିତରଶୋଧ, ୬ଟାରେ ମଙ୍ଗଳଆଳତି, ୬ଟା୩୦ରେ ମଇଲମ ତଡପଲାଗି, ୭ଟା୩୦ରେ ଅବକାଶ, ୮ଟାରେ ରୋଷହୋମ, ୮ଟା୧୫ରେ ସୂର୍ଯ୍ୟପୂଜା, ୮ଟା୩୦ରେ ଦ୍ୱାରପାଳ ପୂଜା, ୮ଟା୩୦ରେ ବେଶ ଶେଷ, ୯ଟାରେ ଗୋପାଳବଲ୍ଲଭ, ୯ଟା୩୦ରୁ ୧୦ଟା୩୦ ମଧ୍ୟରେ ସକାଳ ଧୂପ (କେବଳ କୋଠ ଭୋଗ) ହେବ। ପୂର୍ବାହ୍ନ ୧୦ଟା୨୦ ସୁଦ୍ଧା ଭୋଗମଣ୍ଡପ ଉଠିବ। ମଇଲମ ବେଶ ୧୦ଟା୪୫ରୁ ୧୧ଟା୩୦, ୧୨ଟାରେ ଭୋଗମଣ୍ଡପ ଶେଷ, ୧୨ଟା୩୦ରୁ ୨ଟା ମଧ୍ୟାହ୍ନ ଧୂପ (କେବଳ କୋଠ ଭୋଗ), ୧ଟା୫୦ରୁ ୩ଟା ଦ୍ୱିତୀୟ ଭୋଗମଣ୍ଡପ, ସନ୍ଧ୍ୟା ୫ଟାରୁ ୬ଟା ମଇଲମ ବେଶ, ୬ଟା୧୦ରେ ସନ୍ଧ୍ୟା ଆଳତି, ୭ଟାରୁ ୮ଟା୩୦ ସନ୍ଧ୍ୟାଧୂପ, ରାତି ୯ରୁ ୯ଟା୩୦ ମଇଲମ ଓ ଚନ୍ଦନଲାଗି, ୯ଟା୩୦ରୁ ୧୦ଟା ୩୦ ବଡସିଂହାର ବେଶ, ୧୧ଟାରୁ ୧୧ଟା୩୦ ବଡସିଂହାର ଭୋଗ ଏବଂ ୧୨ଟାରେ ରାତ୍ର ପହୁଡ ହେବ ବୋଲି ସ୍ଥିର ହୋଇଛି। ନୀତି ଶୃଙ୍ଖଳା ପାଇଁ ନୀତି ସବ୍‌କମିଟିରେ ପାଟ୍ଟଯୋଶୀ ମହାପାତ୍ର, ଭିତରଛୁ ମହାପାତ୍ର, ତଳୁଛ ମହାପାତ୍ରଙ୍କୁ ରଖାଯାଇଛି। ଆଜିର ବୈଠକରେ ଶ୍ରୀଜିଉଙ୍କୁ ଲାଗି ହେଉଥିବା ଅଦରକାରୀ ଘୋଡା ବସ୍ତ୍ରକୁ କୋଇଲି ବୈକୁଣ୍ଠରେ ପୋତି ଦେବାକୁ ନୀତି ସବ୍‌ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ବହୁ ବର୍ଷ ହେବ ଶ୍ରୀଜିଉଙ୍କ ଲାଗି ହେଉଥିବା ଘୋଡା ବସ୍ତ୍ର ବାହାର ଭଣ୍ଡାର ଘରେ ପଡି ରହିଛି। ଏଗୁଡିକ ଲାଗି ଉପଯୋଗୀ ହେଉନଥିବାରୁ ଏହା ନଷ୍ଟ ହେବାକୁ ବସିଲାଣି। ତେଣୁ ଏହାକୁ ପୋତିଦେବାକୁ ନିଷ୍ପତ୍ତିି ହୋଇଛି। ସେହିଭଳି ଯୋଗାଣିଆ ସେବକ ଯୋଗାଉଥିବା ବିଭିନ୍ନ ଜିନିଷର ଦରବୃଦ୍ଧିକୁ ଅନୁମୋଦନ ମିଳିଛି। ଏହାଛଡ଼ା ଶ୍ରୀଜିଉଙ୍କ ଯଜମାନି ବେଶରେ ପାଳିଆ ସେବକ ପାଉଣା ବୃଦ୍ଧି, ପାଳିଆ ପୁରସ୍କାର, ପ୍ରତିହାରୀ ଦ୍ୱାରପାଳ ନିଯୁକ୍ତି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ନୀତି ପ୍ରଶାସକ ଓ ନୀତି ସବ୍‌ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର