ଜେଇଙ୍କୁ ବସଉଠ କରାଇବା ଘଟଣା, ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଲେ ଉପଜିଲ୍ଲାପାଳ

ବଲାଙ୍ଗୀର/ପାଟଣାଗଡ଼ : ପାଟଣାଗଡ଼ ବିଧାୟକ ସରୋଜ ମେହେର ଗତ ୫ ତାରିଖ ଦିନ ଗମ୍ଭାରୀ ଗ୍ରାମରେ ପୂର୍ତ୍ତ ବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ସର୍ବସାଧାରଣରେ କାନ ଧରି ଉଠବସ କରାଇବା ଓ ଏହାର ଭିଡିଓ ଭାଇରାଲ ହେବା ଘଟଣାକୁ ୪ ଦିନ ବିତି ଯାଇଛି। ରବିବାର ପାଟଣାଗଡ଼ ଉପଜିଲ୍ଲାପାଳ ଏହା ଉପରେ ତାଙ୍କର ରିପୋର୍ଟ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପ୍ରଦାନ କରିଛନ୍ତି। ‌ଘଟଣାଟିର ସତ୍ୟତା ରହିଥିବା ଉପଜିଲ୍ଲାପାଳ ଏହି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟଯେ, ଘଟଣା ପରଦିନ ଜେଇଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ। ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଉପଜିଲ୍ଲାପାଳ ଦାୟିତ୍ବରେ ଥିବା ପଦ୍ମନାଭ ପୁରୋହିତ ଓ ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ଡା ମିଳିତ ଭାବେ ତଦନ୍ତ କରିଥିଲେ। ଭାଇରାଲ ଭିଡିଓର ସତ୍ୟତା ଥିବା ଉଲ୍ଲେଖ କରି ରିପୋର୍ଟ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଡାକୁଆ ତଥ୍ୟଭିତ୍ତିକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଇ ଦିଆଯିବ ଏବଂ ତାହା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ଡିପ୍ଲୋମା ଇଂଜିନିଅର ସେବା ସଂଘର ସଦସ୍ୟମାନେ ଶ୍ରୀଧର ବାରିକଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବିଧାୟକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର