ଖାଲି ପଡିଥିବା ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ସରପଞ୍ଚ ପଦ ପାଇଁ ଉପନିର୍ବାଚନ ପ୍ରସଂଗ : ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : ବିଭିନ୍ନ କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖାଲି ପଡିଥିବା ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଦସ୍ୟ, ସରପଞ୍ଚ ଓ ୱାର୍ଡ ମେମ୍ବର ପଦ ପାଇଁ ଉପନିର୍ବାଚନ ତୁରନ୍ତ କରିବା ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

କଟକ କିଶନନଗର ଅଞ୍ଚଳର ଅଜୟ କୁମାର ମହାନ୍ତି ଓ ଅନ୍ୟ ୬ଜଣଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ତିର୍ତ୍ତୋଲ ଓ ବାଲେଶ୍ବର ବିଧାନସଭା ଆସନ ପାଇଁ ନିକଟରେ ଉପନିର୍ବାଚନ କରାଯାଇଥିବା ବେ‌ଳେ ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଦସ୍ୟ, ସରପଞ୍ଚ ଓ ୱାର୍ଡ ମେମ୍ବର ପଦ ପାଇଁ ଉପନିର୍ବାଚନ କରା ନ ଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ୨୦୨୦, ଫେବ୍ରୁଆରି ୫ ଓ ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଖାଲି ପଡିଥିବା ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଦସ୍ୟ, ସରପଞ୍ଚ ଓ ୱାର୍ଡମେମ୍ବର ପଦ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍ଚ୍ଚ ୨୪ରେ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କରୋନା ଭୂତାଣୁ ସଂକ୍ରମଣ ଜନିତ ସ୍ଥିତିରେ ଏପରି ଉପନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରଖିବାକୁ ରାଜ୍ୟ ନିର୍ବାଚନ କମିସନ୍ ମାର୍ଚ୍ଚ ୧୬ରେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କରୋନା ସଂକ୍ରମଣ ସ୍ଥିତି ଗୁରୁତର ରୂପ ଧାରଣ କରିଥିଲା। ପରବର୍ତ୍ତୀ ସମୟରେ ସ୍ଥିତିରେ ସୁଧାର ଆସିଥିଲା। ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ନଭେମ୍ବର ୩ରେ ଅନୁଷ୍ଠିତ ହେବା ନେଇ ନିର୍ବାଚନ କମିସନ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଦସ୍ୟ, ସରପଞ୍ଚ ଓ ୱାର୍ଡ ମେମ୍ବର ପଦ ପାଇଁ ଉପନିର୍ବାଚନ ପ୍ରସଂଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ତୁରନ୍ତ ଏପରି ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ପଞ୍ଚାୟତରାଜ ସଚିବ, ରାଜ୍ୟ ନିର୍ବାଚନ କମିସନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର