ପୁଲିସ ବିଭାଗରେ ନିଯୁକ୍ତି ବିବାଦ : ସବ୍ ଇନ୍ସପେକ୍ଟର ବି ଠିକାରେ

କଟକ : ପୁଲିସ ବିଭାଗରେ ଠିକା ସବ୍ ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଛି ବିବାଦୀୟ ପରିସ୍ଥିତି। ଏହାକୁ ନେଇ ରାଜ୍ୟ ପୁଲିସ ସଂଘ ଏବଂ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଗୃହ ବିଭାଗକୁ ଚିଠି ଲେଖି ସାରିଥିଲେ ବି ଏଯାଏ ନିଷ୍ପତ୍ତି ନ ବଦଳିବା ଘଟଣା ଆଗକୁ ଆଇନଗତ ସମସ୍ୟା ସୃଷ୍ଟି କରିବାକୁ ଯାଉଛି।

ସୂଚନା ଅନୁଯାୟୀ ପ୍ରଥମେ ୨୦୧୩, ଡିସେମ୍ବରରେ ରାଜ୍ୟ ସରକାର ଠିକା (କଣ୍ଟ୍ରାକଚୁଆଲ)ରେ ୬୩୦ ଏସ୍‌ଆଇ ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ୨୦୧୬ରେ ପରୀକ୍ଷାଫଳ ପ୍ରକାଶନ ସହିତ ସେମାନଙ୍କୁ ଠିକାରେ ନିଯୁକ୍ତି ଦିଆଗଲା। କିନ୍ତୁ ଏହା ବିରୋଧରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ଟ୍ରିବୁନାଲର ଦ୍ବାରସ୍ଥ ହୋଇଥିଲେ। ମାମଲା କୋର୍ଟରେ ଥିବା ବେଳେ ସରକାର ହଠାତ ବିଜ୍ଞପ୍ତିରେ ସଂଶୋଧନ କଲେ ଏବଂ ଯୋଗ୍ୟ ବିବେଚିତ ସମସ୍ତ ପ୍ରାର୍ଥୀଙ୍କୁ ନିୟମିତ ପଦବିରେ ନିଯୁକ୍ତି ମିଳିଲା। ପରେ ୨୦୧୭ରେ ପୁଣି ଥରେ ୩ଶହରୁ ଅଧିକ ଏସ୍‌ଆଇ-ସର୍ଜେଣ୍ଟ ପଦବି ପୂରଣ ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶନ ସହ ମନୋନୟନ ପରୀକ୍ଷା ହେଲା। ଏହି ପରୀକ୍ଷାରେ ଯୋଗ୍ୟ ବିବେଚିତ ୨୯୮ ଜଣ ଏସ୍‌ଆଇଙ୍କୁ ମେ’ ୨୭ ତାରିଖରୁ ତାଲିମ ପାଇଁ ପଠା ଯାଇଛି। କିନ୍ତୁ ଠିକାରେ ନିଯୁକ୍ତ ଏହି ଏସ୍‌ଆଇଙ୍କ ଦରମା ୧୬ ହଜାର ୮ଶହ ଟଙ୍କା ହୋଇଥିବା ବେଳେ ତାଲିମ ପରେ ଏହାକୁ ନେଇ ବିବାଦ ସୃଷ୍ଟି ହେବାକୁ ଯାଉଛି। ଠିକାରେ ନିଯୁକ୍ତ ଏସ୍‌ଆଇ ସମାନ କାମ କରି ତାଙ୍କ ସହ ଥିବା ନିୟମିତ ଏସ୍‌ଆଇଙ୍କଠାରୁ କେଉଁ ନ୍ୟାୟରେ ଅଧାରୁ କମ୍‌ ଦରମା ପାଇବେ? ବିଭିନ୍ନ ସଂଗିନ ମାମଲାର ତଦନ୍ତ ଦାୟିତ୍ବ ଏହି ଠିକା ଏସ୍‌ଆଇଙ୍କୁ କେମିତି ଦିଆଯିବ? ଚାକିରି କ୍ଷେତ୍ରରେ ଏହାକୁ ନେଇ ଯେଉଁ ଅସଙ୍ଗତି ସୃଷ୍ଟି ହେବ, ଥାନାସ୍ତରରେ ତାହାର କିଭଳି ସମାଧାନ କରାଯିବ? ଏସବୁ ପ୍ରଶ୍ନ ଉଠାଇ ପୁଲିସ ସଂଘ ଏହାର ପ୍ରତିବାଦ କରିଥିବା ବେଳେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବି ଏଭଳି ଠିକା ନିଯୁକ୍ତି ବିରୋଧରେ ମତ ଦେଇଛନ୍ତି। ଏସ୍‌ଆଇ ସ୍ତରରେ ଏଭଳି ବିବାଦ ସହ ଅଧିକାରୀଙ୍କୁ ଇନ୍ସପେକ୍ଟର ପାହ୍ୟା ଦରମା ଦେଇ ଡିଏସ୍‌ପି ଦାୟିତ୍ବ ଦେବା ବିବାଦ ବି ଏବେ ପୁଲିସ ବିଭାଗରେ ଅସନ୍ତୋଷର କାରଣ ହୋଇଛି।

ଏ ପ୍ରକାର ଅସଙ୍ଗତି ପୁଲିସ ଅଧିକାରୀଙ୍କ ମାନସିକ ସମସ୍ୟାର କାରଣ ହୋଇଥିବା ବେଳେ ଏହା ଆଇନଶୃଙ୍ଖଳା ଓ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବ ବୋଲି ଅନେକ ପୁଲିସ ଅଧିକାରୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର