ସୀମାନ୍ତ ଥାନାରେ ସବ୍‌ଇନ୍ସପେକ୍ଟରଙ୍କ ଜୁଲମ୍‌କୁ ନେଇ ଲୋକଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ

କାଠ ଓ ବାଲି ମାଫିଆଙ୍କୁ ଦେଉଛନ୍ତି ପ୍ରୋତ୍ସାହନ, ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କଲେ ସ୍ଥାନୀୟ ବାସିନ୍ଦା

ରାଉରକେଲା : ସୀମାନ୍ତ ବିଶ୍ରା ଥାନାରେ କରିତକର୍ମା ସବ୍‌ ଇନ୍ସପେକ୍ଟରଙ୍କ ଜୁଲମ୍‌ରେ ଅତିଷ୍ଠ ସ୍ଥାନୀୟ ବାସିନ୍ଦା। ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ସାଧାରଣ ଲୋକଙ୍କ ଉପରେ ଜୁଲମ୍‌ କରି ଚାଲିଛନ୍ତି। ବଦଳି ନ ହୋଇ ବର୍ଷ ବର୍ଷ ଧରି ଥାନା ମାଡିବସିଥିବା ସବ୍‌ ଇନ୍ସପେକ୍ଟରଙ୍କର ବେଆଇନ କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି। ସବ୍‌ ଇନ୍ସପେକ୍ଟର ଜଣକ ସାଧାରଣ ଲୋକଙ୍କ ଉପରେ ଯେତିକି ଜୁଲମ୍‌ କରୁଛନ୍ତି, କାଠ ଓ ବାଲି ମାଫିଆ ସହ ବେଆଇନ ମଦ କାରବାରକୁ ସେତିକି ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। ସବୁଠୁ ଆଶ୍ଚର୍ଯ୍ୟ କଥା, ଇତି ମଧ୍ୟରେ ସମ୍ପୃକ୍ତ ଥାନାରୁ ଥାନା ଅଧିକାରୀଙ୍କ ଅନ୍ୟତ୍ର ବଦଳି ହେଉଛନ୍ତି। କିନ୍ତୁ କରିତକର୍ମା ସବ୍‌ଇନ୍ସପେକ୍ଟର ବଦଳି ନାହିଁ। ଭିତିରି ସଲାସୁତରା କରି ଜାଗା ଛାଡୁ ନାହାନ୍ତି।

ନିକଟରେ ଜନୈକ ସବ୍‌ ଇନ୍ସପେକ୍ଟରଙ୍କ କୁଆଡେ ଦୁଇ ଦୁଇ ଥର ବଦଳି ହୋଇଥିଲେ ହେଁ ସେ ଯାଇ ନାହାନ୍ତି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସୀମାନ୍ତରେ କୁକୁଡା ଲଢ଼େଇ, ବେଆଇନ ଗୋରୁ , ଝାଡ଼ଖଣ୍ଡ କାଠ ଓ ବାଲି ଚାଲାଣରେ ସମ୍ପୃକ୍ତ ସବ୍‌ଇନ୍ସପେକ୍ଟରଙ୍କ ସମ୍ପୃକ୍ତି ରହିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏମିତି ଗଣ୍ଡା ଗଣ୍ଡା ଅଭିଯୋଗ କରିତକର୍ମା ପୁଲିସଙ୍କ ବିରୋଧରେ ରହିଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ଏଥିସହ ରାତିରେ ଘରକୁ ଫେରୁଥିବା ଲୋକଙ୍କୁ ପୁଲିସ ଜଣଙ୍କ ବିଭିନ୍ନ ଉପାୟରେ ହଇରାଣ ହରକତ କରିବାକୁ ପଛାଉ ନାହାନ୍ତି। କେତେବେଳେ କାହାକୁ ଜେଲ୍‌ରେ ପୁରାଇ ଦେବାକୁ ଧମକ ତ ଅନ୍ୟ କାହାକୁ ଥାନାରେ ରାତି ସାରା ବସାଇଦେବାକୁ ଡର ଦେଖାଉଛନ୍ତି।

ବିଶ୍ରା, ନୂଆଗାଁ ଅଞ୍ଚଳରେ ସବ୍‌ଇନ୍ସପେକ୍ଟରଙ୍କ କାରନାମା ସଂକ୍ରାନ୍ତରେ ଛୋଟ ବଡ ସମସ୍ତଙ୍କୁ ଭଲ ଭାବେ ଜଣା। ନୂଆଗାଁ କାତେପୁର ଏକ ପଡାର ହତ୍ୟା ମାମଲା ହେଉ ଅବା ବିରଙ୍ଗାଟୋଲିର କୁକୁଡା ଚୋରି ଘଟଣାରେ ଥାନା ବଡବାବୁଙ୍କ ଭିତିରି ସଲାସୁତୁରା ସ୍ଥାନୀୟ ଅଞ୍ଚଳର ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ବାବୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ମୋଟା ଅଙ୍କର ଅର୍ଥ ନେଇ ମାମଲାକୁ ରଫାଦଫା କରି ଦେଇଥିଲେ। କାଠ ମାଫିଆ, ମଦ ମାଫିଆଙ୍କ ଠାରୁ ମଧ୍ୟ ମାସିକିଆ ବଟି ଆଦାୟରେ ଥାନା ବଡବାବୁ ବି ବେଶ୍‌ ମାହିର। ରାସ୍ତାରେ ଗାଡି ଯାଞ୍ଚ, ବାଲ୍ୟ ବିବାହ ସବୁଠି ଥାନା ବଡବାବୁ ହସ୍ତକ୍ଷେପ ଓ ସମାଧାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନୂଆଗାଁ, ବିଶ୍ରା ଅଞ୍ଚଳରେ ମଧ୍ୟସ୍ଥି ସାଜିଥିବା କିଛି ଯୁବକ, ଲୋକଙ୍କୁ ଧରି ଏଭଳି ବେଆଇନ କାମ କରି ଚାଲିଛନ୍ତି। ମଧ୍ୟସ୍ଥି ସାଜିଥିବା କିଛି ଯୁବକଙ୍କ ସହାୟତାରେ ବେଆଇନ କାମକୁ ପ୍ରୋତ୍ସାହନ ଦେଇ ନିଜ ପକେଟ୍‌ ଗରମ କରି ଚାଲିଛନ୍ତି।

ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ପରିବର୍ତ୍ତେ ଥାନା ବଡବାବୁଙ୍କ ଜୁଲମ୍‌ରେ ଅତିଷ୍ଠ ହୋଇ ପଡିଛନ୍ତି ଉଭୟ ନୂଆଗାଁ ଓ ବିଶ୍ରା ଅଞ୍ଚଳର ବାସିନ୍ଦା। ସବ୍ ଇନ୍ସପେକ୍ଟରଙ୍କ ଏଭଳି କାର୍ଯ୍ୟକଳାପ ବିରୋଧରେ ନୂଆଗାଁ ବାସିନ୍ଦା ପୁଲିସ ମହାନିର୍ଦ୍ଦେଶକଙ୍କ ସମେତ ରାଉରକେଲା ଏସ୍‌ପିଙ୍କୁ ଦାବି ପତ୍ର ଦେଇଛନ୍ତି। ତୁରନ୍ତ ଏଭଳି ପୁଲିସ ସବ୍‌ଇନ୍ସପେକ୍ଟରଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବି କରିଛନ୍ତି। ଆସନ୍ତା ମାସେ କିମ୍ବା ଦୁଇ ମାସ ଭିତରେ ସବ୍‌ ଇନ୍ସପେକ୍ଟରଙ୍କୁ ବଦଳି କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଏଥିପାଇଁ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ବିଭାଗୀୟ ପୁଲିସ ଉଚ୍ଚଅଧିକାରୀ ଦାୟୀ ରହିବେ ବୋଲି ସେମାନେ କହଛନ୍ତି।

ସମ୍ବନ୍ଧିତ ଖବର