କଟକ : ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଇନ୍ଦ୍ରମଣି ସାହୁଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଜଷ୍ଟିସ ବି.କେ.ନାୟକ ଓ ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ୧୯୯୫, ଅଗଷ୍ଟ ୧୯ର ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶକୁ ରଦ୍ଦ କରିବା ସହିତ ଶ୍ରୀ ସାହୁଙ୍କୁ ଅବସରକାଳୀନ ଦେୟ ଓ ଅନ୍ୟ ସମସ୍ତ ପ୍ରାପ୍ୟ ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି। ଆବେଦନକାରୀ ଅବସର ବୟସ ଅତିକ୍ରାନ୍ତ କରି ସାରିଥିବା ବେଳେ ତାଙ୍କୁ ଚାକିରିରେ ପୁନର୍ବାର ଅବସ୍ଥାପିତ କରିବା ସମ୍ଭବ ନୁହେଁ। ଏପରି ପରିସ୍ଥିତିରେ ବାଧ୍ୟତାମୂଳକ ଅବସର ସମୟଠାରୁ ସେ ଅବସର ବୟସରେ ପହଞ୍ଚିବା ପର୍ଯ୍ୟନ୍ତ ଅବଧିକୁ ସିନିୟର ସଭିଲ୍‌ ଜଜ୍‌(ସବ୍‌-ଜଜ୍‌) ପଦବିରେ ତାଙ୍କ କାର୍ଯ୍ୟକାଳ ଭାବେ ଗ୍ରହଣ କରାଯିବ। ଏହି ଅବଧି ପାଇଁ ତାଙ୍କୁ ପଦବି ଆଧାରରେ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ସହିତ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଶ୍ରୀ ସାହୁଙ୍କୁ ୧୯୯୫, ଜୁଲାଇ ୧୦ରେ ସମ୍ବଲପୁର ଜଜ୍‌ସିପରେ ଅତିରିକ୍ତ ସିଭିଲ ଜଜ୍‌ (ଏସଡି) ତଥା ରେଜିଷ୍ଟ୍ରାର ଭାବେ ଅବସ୍ଥାପିତ କରାଯାଇଥିଲା। ସେ ଏହି ପଦବିରେ କାର୍ଯ୍ୟ କରୁଥିବା ବେଳେ ୧୯୯୫, ଅଗଷ୍ଟ ୧୯ରେ ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା। ସେତେବେଳେ ତାଙ୍କୁ ମାତ୍ର ୫୦ ବର୍ଷ ବୟସ ହୋଇଥିଲା। ବାଧ୍ୟତାମୂୂଳକ ଅବସର ନିର୍ଦ୍ଦେଶକୁ ବେଆଇନ ଦର୍ଶାଇ ଶ୍ରୀ ସାହୁ ୧୯୯୫ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦାୟର ଆବେଦନରେ ସେ ଦର୍ଶାଇଥିଲେ ଯେ ଓଡିଶା ଜୁଡିସିଆଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ତାଙ୍କୁ ୧୯୭୬, ଅଗଷ୍ଟ ୨୧ରେ ମୁନସିଫ୍‌ ଅନ୍‌ ପ୍ରୋବେସନ୍‌(କ୍ଲାସ୍‌-୨) ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ସେ ଛତ୍ରପୁର ଏସଡିଜେଏମ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ୧୯୮୦-୮୧ରେ ଗଞ୍ଜାମ ଜିଲ୍ଲା ଜଜ୍‌ ଲେଖିଥିବା ଗୋପନୀୟ ଚିଠିରେ ତାଙ୍କ ବିରୋଧରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ। ଏପରି ମନ୍ତବ୍ୟ ହଟାଇ ଦେବା ପାଇଁ ସେ ଲିଖିତ ଆପତ୍ତି ଦାଖଲ କରିଥିଲେ।

୧୯୮୭, ଫେବ୍ରୁଆରି ୨୮ରେ ତାଙ୍କୁ ଓଡିଶା ଜୁଡିସିଆଲ୍‌ ସର୍ଭିସ୍‌ କ୍ଲାସ୍‌-୧ ପଦକୁ ପଦୋନ୍ନତି ଦିଆଯାଇ ଦେବଗଡରେ ଅବସ୍ଥାପିତ କରାଯାଇଥିଲା। ୧୯୯୫, ଜୁଲାଇ ୭ରେ ସମ୍ବଲପୁରର ରେଜିଷ୍ଟ୍ରାର ଭାବେ ତାଙ୍କୁ ବଦଳି କରାଯାଇଥିଲା। ଶ୍ରୀ ସାହୁଙ୍କ ଦକ୍ଷତା ଓ ସଚ୍ଚୋଟତା ଉପରେ କୌଣସି ପ୍ରକାର ସନ୍ଦେହ ନଥିବା ବେଳେ ହଠାତ ସେହି ବର୍ଷ ଅଗଷ୍ଟ ୧୯ରେ ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା। ଏହି ନିର୍ଦ୍ଦେଶରେ ତାଙ୍କ ବିରୋଧରେ ଥିବା ଅଭିଯୋଗ ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ଉଲ୍ଲେଖ ହୋଇ ନଥିବା ବେଳେ ଏହା ବେଆଇନ୍‌ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଚାକିରି କାଳ ମଧ୍ୟରେ ବିଭିନ୍ନ ସମୟରେ ତାଙ୍କ ସିସିଆରରେ ସଚ୍ଚୋଟତା, ଦକ୍ଷତା, ଆଇନ ଜ୍ଞାନ ପ୍ରସଂଗରେ ପ୍ରତିକୂଳ ମନ୍ତବ୍ୟ ରହିଥିଲା। ପ୍ରତିକୂଳ ମନ୍ତବ୍ୟକୁ ଆଧାର କରି ସମୀକ୍ଷା ବେଳେ ତାଙ୍କୁ ଚାକରିରୁ ବାଧ୍ୟତାମୂଳକ ଅବସର ପାଇଁ ଅନୁମୋଦନ କରାଯାଇଥିଲା। ତଥ୍ୟ ପ୍ରମାଣକୁ ଅଧାର କରି ରାଜ୍ୟପାଳ ଏଥିପାଇଁ ଅନୁମତି ଦେଇଥିଲେ ଓ ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା।

ଅନ୍ୟପକ୍ଷରେ ରେକର୍ଡରୁ ସ୍ପଷ୍ଟ ହୋଇଥିଲା ଯେ ଆବେଦନକାରୀଙ୍କ ସିସିଆରରେ କେତେକ ପ୍ରସଂଗରେ ପ୍ରତିକୂଳ ମନ୍ତବ୍ୟ ରହିଥିଲେ ମଧ୍ୟ ତାଙ୍କ ସଚ୍ଚୋଟତା ଓ ଦକ୍ଷତା ନେଇ ଅନେକ ସମୟରେ ସନ୍ତୋଷଜନକ ମନ୍ତବ୍ୟ ଦିଆଯାଇଥିଲା। ତାଙ୍କୁ ପଦ୍ନୋନତି ପ୍ରଦାନ କରାଯାଇଥିଲା। ୧୯୯୨ରୁ ୧୯୯୪ ମଧ୍ୟରେ ତାଙ୍କ ବିରୋଧରେ ମଧ୍ୟ କୌଣସି ପ୍ରତିକୂଳ ମନ୍ତବ୍ୟ ନଥିଲା। ସମସ୍ତ ତଥ୍ୟ ପ୍ରମାଣକୁ ଆଧାର ନ କରି ସମୀକ୍ଷା କମିଟି ବାଧ୍ୟତାମୂଳକ ଅବସର ପାଇଁ ଅନୁମୋଦନ କରିଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏପରି ପରିସ୍ଥିତିରେ ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶ ରଦ୍ଦ କରାଯିବା ଉଚିତ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।