ଭୁବନେଶ୍ବର: ଏକ ବଡ଼ ପ୍ଲଟ୍ରୁ ଆଂଶିକ ଜମି (ପାର୍ଟପ୍ଲଟ୍) ବିକ୍ରି କରିବାକୁ ଚାହୁଥିଲେ ଆଉ କଟକଣା ରହିବ ନାହିଁ। ୫ ଶହ ବର୍ଗମିଟର ପର୍ଯ୍ୟନ୍ତ ଜମିକୁ ବିକ୍ରି କରିବାକୁ ହେଲେ ଆଉ ଲେଆଉଟ୍ ପ୍ଲାନ୍ ଦରକାର ନାହିଁ। ତେବେ ଗୋଟିଏ ଥର ପାଇଁ ଏହାର ଅନୁମତି ଦିଆଯିବ। ପାର୍ଟପ୍ଲଟ୍କୁ ନେଇ ଯେଉଁ ହଇଚଇ ହୋଇଥିଲା ଓ ସରକାରଙ୍କ ଯେଉଁ ନିଷ୍ପତ୍ତିକୁ ସାଧାରଣ ଲୋକ ଚାହିଁ ବସିଥିଲେ, ସରକାର ସେହି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ପ୍ଲାନିଂ ଓ କୋଠା ମାନକ) ଆଇନ୍-୨୦୨୦ରେ ସଂଶୋଧନ ଆଣିବାକୁ ଯାଉଛନ୍ତି ସରକାର। ଏ ନେଇ ଡ୍ରାଫ୍ଟ୍ ରୁଲ୍ ପ୍ରକାଶ ପାଇଛି। ୧୫ ଦିନ ଭିତରେ ବା ଏପ୍ରିଲ୍ ୧୦ ତାରିଖ ସୁଦ୍ଧା ଏ ନେଇ ସାଧାରଣ ଲୋକଙ୍କ ଆପତ୍ତି/ପ୍ରସ୍ତାବ ଆଗତ କରାଯାଇଛି। ଲୋକଙ୍କ ମତକୁ ଆଧାର କରି ଏହା ଗେଜେଟ୍ରେ ପ୍ରକାଶ ପାଇବା ପରେ ସାଧାରଣ ଲୋକ ଏହାର ସୁବିଧା ନେଇ ପାରିବେ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ସଂଶୋଧନ ହେବାକୁ ଯାଉଥିବା ନିୟମ ଅନୁସାରେ ୫୦୦ ବର୍ଗମିଟର ପର୍ଯ୍ୟନ୍ତ ଜମି ବିକିବାକୁ ହେଲେ ଗୋଟିଏ ଥର ପାଇଁ ଲେଆଉଟ୍ ପ୍ଲାନ୍ ଆବଶ୍ୟକ ପଡ଼ିବନି। କିନ୍ତୁ ସବ୍ରେଜିଷ୍ଟ୍ରାର କେମିତି ଜାଣିବେ କି ବଡ଼ଜମିର ଏହି ଅଂଶ ପ୍ରଥମ ଥର ଭାଗ ଭାଗ ହେଉଛି? କାରଣ ଏଭଳି ଜାଣିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ। ପୂର୍ବରୁ ଯେଉଁ ବଡ଼ଜମିକୁ ଖଣ୍ଡ ଖଣ୍ଡ କରି ବିକ୍ରି କରାଯାଇଛି ସେ ସବୁ ପାର୍ଟପ୍ଲଟ୍ରେ ମୂଳ ପ୍ଲଟ୍ ନମ୍ବର ଲେଖା ଯାଇନାହିଁ। ଫଳରେ ଥରେ ନୁହେଁ, ଏଭଳି ବାରମ୍ବାର ସବ୍ ପ୍ଲଟ୍ ବିକ୍ରି ସମ୍ଭାବନା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ଓଡିଏ ଆଇନ୍ରେ ସଂଶୋଧନ ପାଇଁ ଡ୍ରାଫ୍ଟ ରୁଲ୍, ଶିଳ୍ପସଂସ୍ଥା ପାଇଁ ବାଟ ମୁକୁଳା
୨୦ଫୁଟିଆ ରାସ୍ତା ହେଲେ ବି ମିଳିବ ସ୍ବୀକୃତି, ଦେବାକୁ ହେବନି ସିକ୍ୟୁରିଟି ଜମା
ଯେଉଁ କୋଠାଗୁଡ଼ିକ ଶିଳ୍ପ, ଆଇଟି ଓ ଫ୍ୟାକ୍ଟ୍ରି ପ୍ରଭୃତି ପାଇଁ ଉଦ୍ଦିଷ୍ଟ ସେହି କୋଠାର ‘ଗ୍ରାଉଣ୍ଡ କଭରେଜ୍’ ପାଇଁ ବାରଣ ନାହିଁ। ଯେତେ ଜମି ଥିବ ତାହାର ଶତପ୍ରତିଶତ ବ୍ୟବହାର କରି ଏହି ସବୁ କୋଠା ନିର୍ମାଣ ହୋଇପାରିବ। ଇଡ୍କୋ ଶିଳ୍ପାଞ୍ଚଳରେ ଏଥର ୨୦ ଫୁଟ୍ ରାସ୍ତା ଥିଲେ ବି ପ୍ଲାନ୍ ମିଳିବ। ପୂର୍ବରୁ ଅତିକମ୍ରେ ୪୦ ଫୁଟିଆ ରାସ୍ତା ନଥିଲେ ପ୍ଲାନ୍ ମିଳୁ ନଥିଲା। ଏହା ଛଡ଼ା ୨୦୨୦ ପୂର୍ବରୁ ଯେଉଁ କୋଠାଗୁଡ଼ିକ ନିର୍ମାଣ ହୋଇଥିଲା, କିନ୍ତୁ ରାସ୍ତାର ସର୍ବନିମ୍ନ ଓସାର ନଥିବା ଯୋଗୁ ପ୍ଲାନ୍ ନିୟମିତ ହୋଇପାରୁନଥିଲା, ଏଥର ତାହା ହୋଇପାରିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ‘ଲୋ ରିସ୍କ’ କୋଠା ବା ୧୦ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ କୋଠା ନିର୍ମାଣ ପାଇଁ ଏଫ୍ଏଆର୍ କଟକଣା ରହିବ ନାହିଁ। ଶତପ୍ରତିଶତ ଜମି ବ୍ୟବହାର କରି ମାଲିକ ଘର ନିର୍ମାଣ କରିପାରିବେ। ଅର୍ଥାତ୍ ଦୁଇଟି କୋଠା ମଧ୍ୟରେ ଫାଙ୍କ ରହିବ ନାହିଁ। ଏଭଳି ଯଦି ଶତାଧିକ ଘର ଗୋଟିଏ ଜାଗାରେ ନିର୍ମାଣ ହୁଏ ତେବେ କଣ ଅବସ୍ଥା ହେବେ ବୋଲି ପ୍ରଶ୍ନ ଉଠିଛି।
ପୂର୍ବରୁ ନିୟମ ନ ମାନି ଭାଗ ଭାଗ ହୋଇଥିବା ପ୍ଲଟ୍କୁ ନିୟମିତ କରିବା ପାଇଁ ଏହି ସଂଶୋଧିତ ଆଇନ୍ରେ ବ୍ୟବସ୍ଥା କରାଯାଇଛି। ୩୦ ଫୁଟିଆ ରାସ୍ତା ଥିଲେ ଏହା ନିୟମିତ ହୋଇପାରିବ। ଯଦି ରାସ୍ତାର କୌଣସି ଅଂଶରେ ୩୦ ଫୁଟ ଓସାରରୁ କମିଯାଉଛି ସେଠାରେ ସମ୍ପୃକ୍ତ ଜମି ମାଲିକ ସେତିକି ଭରଣା କରିଦେଲେ ତାହା ନିୟମିତ ହୋଇଯିବ। ଓସାର ୩୦ ଫୁଟରୁ କମ୍ ଥିଲେ ବେଞ୍ଚ ମାର୍କ ଭାଲ୍ୟୁଏସନ୍ର ୧୫% ଓ ୩୦ ଫୁଟରୁ ଅଧିକ ଥିଲେ ୧୦ % ଜମା କରିବାକୁ ହେବ। ସେହିଭଳି ମଲ୍, ମଲ୍ଟିପ୍ଲେକ୍ସ, ସିନେମାହଲ୍, କଲ୍ୟାଣମଣ୍ଡପ, ସ୍ପୋର୍ଟସ୍ କମ୍ପ୍ଲେକ୍ସ ପ୍ରଭୃତି ନିର୍ମାଣ ପାଇଁ ରାସ୍ତା ଓସାର ଓ ଅନ୍ୟାନ୍ୟ କଟକଣା କୋହଳ କରାଯାଇଛି।