ଦଶପଲ୍ଲା : ଗାଁ ଗହଳିରେ ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ଜନସାଧାରଣଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସଚେତନତା ସୃଷ୍ଟି କରିବା ପାଇଁ ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ସ୍ଥାପନ କରାଯାଇଛି। ବିଶେଷକରି ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ର ସବୁରେ ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ମିଳିଥାଏ। ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଟିକାକରଣ, ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷା କରିବା ଭଳି ସାଧାରଣ ଚିକିତ୍ସା ଲୋକମାନଙ୍କୁ ଯୋଗାଇ ଦେବା ସହିତ ସରକାରଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଜନସାଧାରଣ ନିକଟରେ ପହଞ୍ଚାଇବା ହେଉଛି ମୂଳ ଲକ୍ଷ୍ୟ। ମାତ୍ର ଦଶପଲ୍ଲା ବ୍ଲକ୍‌ରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।

Advertisment

publive-image

ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ବିଭିନ୍ନ ପଞ୍ଚାୟତରେ ୧୮ ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ରହିଥିବା ବେଳେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଠିକ୍ ସ୍ବାସ୍ଥ୍ୟ ସେବା ମିଳି ପାରୁନଥିବା ଅଭିଯୋଗ ହେଉଛି। ସର୍ବନିମ୍ନ ଭିତ୍ତିଭୂମି ଅଭାବକୁ ନେଇ ସ୍ବାସ୍ଥ୍ୟକର୍ମୀମାନେ ଜନସାଧାରଣଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ଯୋଗାଇ ପାରିନଥିବା ବେଳେ ଅଧିକାଂଶ ସ୍ବାସ୍ଥ୍ୟ ଉପକେନ୍ଦ୍ର କାମରେ ଆସୁନଥିବା ଦେଖିବାକୁ ମିଳିଛି। କେଉଁଠି ସ୍ବାସ୍ଥ୍ୟ ଉପକେନ୍ଦ୍ରଗୁଡ଼ିକ ବିପଦ ସଂକୁଳ ଭାବରେ ରହିଛି ତ ପୁଣି କେଉଁଠି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ସ୍ବାସ୍ଥ୍ୟ ଉପକେନ୍ଦ୍ରଗୁଡ଼ିକ ଭୂତକୋଠି ପାଲଟି ଛିଡ଼ା ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏସବୁ ଘରଗୁଡ଼ିକ ଅଧପନ୍ତରିଆ ହୋଇ ପଡ଼ିରହି ଖତ ଖାଉଛି। ଯଦିଓ କେତେକ ସ୍ଥା‌ନରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଗୃହ ନିର୍ମାଣ ହୋଇସାରିଛି, ପାନୀୟ ଜଳ ଏବଂ ବିଦ୍ୟୁତ୍ ସଂଯୋଗ ହୋଇ ପାରିନଥିବା ହେତୁ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରୁନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ କୁଞ୍ଜବନଗଡ଼, ଖମାରସାହି, ନରାଜିପଡ଼ା, ଟାକରା, ବାଣିଗୋଛା, କୁଜାମେଣ୍ତି, ପୋଖରୀଗୋଛା, ଚଢେୟାପଲ୍ଲୀ, କଳସାଖମଣ, ତେଣ୍ତାବାଡ଼ି, ପୋଇବାଡ଼ି, ଦେଢ଼ଶର, ଖଣ୍ତପଡ଼ା, ସାତପାଟଣା, ଘୋଳାହାଣ୍ତି, ମଧ୍ୟଖଣ୍ତ, ଡିହଗାଁ ଏବଂ ଘୁଗୁଡିପଡାଠାରେ ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ର ରହିଛି। କାଁ ଭାଁ କିଛି ସ୍ଥାନକୁ ଛାଡ଼ିଦେଲେ ସ୍ବାସ୍ଥ୍ୟ ଉପକେନ୍ଦ୍ରର ଅଧିକାଂଶ ସ୍ଥାନରେ ନିଜସ୍ବ ଗୃହ ନଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ସ୍ବାସ୍ଥ୍ୟକର୍ମୀମାନେ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ରହୁଥିବା ବେଳେ ଗୃହ ଅଭାବକୁ ନେଇ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀମାନେ ରହି ପାରୁନାହାନ୍ତି। ଫଳରେ ଅଧିକାଂଶ ସ୍ବାସ୍ଥ୍ୟକର୍ମୀ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଟିକାକରଣ କରି କାର୍ଯ୍ୟ ଶେଷ କରି ଦେଉଥିବା ବେଳେ ଗ୍ରାମାଞ୍ଚଳ ଜନସାଧାରଣ ଉପଯୁକ୍ତ ସ୍ବାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ବେତ କୁମାର ମହାପାତ୍ର ଓ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ନବକୃଷ୍ଣ ସାହୁଙ୍କୁ ପଚାରିବାରୁ, ସ୍ବାସ୍ଥ୍ୟ ଉପକେନ୍ଦ୍ର ସମ୍ପର୍କରେ କୌଣସି ତଥ୍ୟ ନଥିବା କହିଛନ୍ତି। ମାତ୍ର ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ–୧ଙ୍କୁ ପଚାରିବାରୁ, କାର୍ଯ୍ୟରେ ନୂତନ ଭାବେ ଯୋଗ ଦେଇଥିବାରୁ କେଉଁ କେଉଁ ସ୍ଥାନରେ ନୂତନ ଗୃହ ନିର୍ମାଣ ହୋଇଛି, ତାହା ଜଣାନଥିବା କହିଛନ୍ତି। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।