ଆଖି ବନ୍ଦ କଲେ ମହାତ୍ମା ଗାନ୍ଧୀ ଜଣେ କୃଷକ ଭାବେ ଦେଖାଯାଆନ୍ତି: ସୁଜାତା

ଗାନ୍ଧୀଙ୍କର ବ୍ୟକ୍ତିତ୍ୱ ଚୁମ୍ବକୀୟ ଥିଲା: ସୌମ୍ୟ

ଭୁବନେଶ୍ବର : ଆଖି ବନ୍ଦ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିଛବି ସ୍ମରଣ କଲେ, ସେ ଜଣେ କୃଷକ ଭାବେ ଦେଖାଯାଆନ୍ତି। ଲଣ୍ଡନରେ ଓକିଲାତି ପଢ଼ୁଥିବା ବେଳେ ସେଠାରେ ମଧ୍ୟ ବାପୁ ନିଜକୁ ଜଣେ କୃଷକ ବୋଲି ପରିଚୟ ଦେଉଥିଲେ। ସେ ସବୁବେଳେ କହୁଥିଲେ, କୃଷକ ହିଁ ସତରେ ଦେଶର ଅନ୍ନଦାତା। ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ଓ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ମିଳିତ ଆନୁକୂଲ୍ୟରେ ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ‘ସୁବନ ଖୁଣ୍ଟିଆ ପ୍ରଥମ ସ୍ମାରକୀ ବକ୍ତୃତା’ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ‌ଦେଇ ପ୍ରଖ୍ୟାତ ଗାନ୍ଧୀବାଦୀ ଲେଖିକା ଡ. ସୁଜାତା ଚୌଧୁରୀ ଆଜି ଏପରି କହିଛନ୍ତି।

‌ଦେବପ୍ରସାଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଗାନ୍ଧୀଜୀଙ୍କ ଦୃଷ୍ଟିରେ କୃଷକ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଉତ୍କଳ ଗାନ୍ଧୀ ସ୍ମାରକୀ ନିଧିର ଅଧ୍ୟକ୍ଷା କୃଷ୍ଣା ମହାନ୍ତି କହିଲେ ଯେ ସୁବନ ଜଣେ ଉଚ୍ଚକୋଟୀର ମଣିଷ ଥିଲେ। ତାଙ୍କ ଜୀବନୀ ବିଷୟରେ କହି ବସିଲେ, ତାହା ଏକ ଇତିହାସ ହୋଇଯିବ। ଚାଷୀଙ୍କ ନ୍ୟାଯ୍ୟ ହକ୍‌ ଓ ସ୍ବାର୍ଥରକ୍ଷା ପାଇଁ ସେ ସବୁବେଳେ ଲଢ଼େଇ କରୁଥିଲେ। କୃଷକର ଜୀବନ ଯେ କେତେ କଷ୍ଟକର, ସେକଥା ଜଣେ କୃଷକ ହିଁ ବୁଝିପାରିବ ଏବଂ ସୁବନ ଖୁଣ୍ଟିଆ ତାହା ଭଲ ଭାବେ ବୁଝି ପାରିଥିଲେ।

ସୁବନ ଖୁଣ୍ଟିଆ ପ୍ରଥମ ସ୍ମାରକୀ ବକ୍ତୃତା

‘ସମ୍ବାଦ’ର ସମ୍ପାଦକ ସୌମ୍ୟରଜଂନ ପଟ୍ଟନାୟକ ସଭାପତିତ୍ବ ଭାଷଣରେ କହିଲେ, ଗାନ୍ଧୀଙ୍କ ସହ ସୁବନଙ୍କ ଅନେକ ସାମଞ୍ଜସ୍ୟ ରହିଛି। ଗାନ୍ଧୀ ଜଣେ ବ୍ୟକ୍ତି ନୁ‌ହନ୍ତି, ଏକ ବିଚାରଧାରା। ଗାନ୍ଧୀଙ୍କୁ କିଏ କେଉଁ ଦୃଷ୍ଟିରେ ଦେଖୁଛି କହି ହେବନି, କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ଚୁମ୍ବକୀୟ ଥିଲା, ଏକଥା ସମସ୍ତେ ସ୍ବୀକାର କରିବେ। ପୂର୍ବରୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରଚଳନ ନଥିବା ବେଳେ ଗାନ୍ଧୀଜୀ ଟ୍ରେନ୍‌ରେ ସାରା ଭାରତ ବୁଲି ଭାରତୀୟଙ୍କୁ ଏକତାର ସୂତ୍ରରେ ଯୋଡ଼ି ଦେଇଥିଲେ। ଗାନ୍ଧୀ ସବୁ ସମସ୍ୟାର ସମାଧାନ ବାଟ ଅତି ଆରାମରେ ବାହାର କରିପାରୁଥିଲେ। ଗାନ୍ଧୀ କେବେ ବି ରାଜନୈତିକ ବିଚାରଧାରାର ବ୍ୟକ୍ତିବିଶେଷ ନଥିଲେ। କିନ୍ତୁ ଏବେ ତାଙ୍କୁ ଅନ୍ୟମାନଙ୍କ ଭଳି ଜଣେ ରାଜନୈତିକ ବ୍ୟକ୍ତି ଭାବ‌େ ଚିତ୍ରଣ କରାଗଲାଣି। ଏଭଳି ବିଚାରଧାରା ଆଗାମୀ ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି ଅବସରରେ ଦୁଇଜଣ ଚାଷୀ ମୟୂରଭଞ୍ଜର ଲୋକନାଥ ଚୌଧୁରୀ ଓ ବାଲିମୁଣ୍ଡର ନରେନ୍ଦ୍ର କୁମାର ଭୂଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତି ପ୍ରତିଷ୍ଠାନର ପୃଷ୍ଠପୋଷକତା ନଟବର ଖୁଣ୍ଟିଆ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେଅଧ୍ୟକ୍ଷ ଗୋବିନ୍ଦ ଭୂୟାଁ ଅତିଥି ପରିଚୟ ଦେଇଥିଲେ। ଜଗଦୀଶ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର