ବିନିକା: ହୀରାକୁଦ ଡ୍ୟାମ୍ରୁ ୪୬ଟି ଗେଟ୍ ଦେଇ ଶନିବାର ଦିନ ଜଳ ନିଷ୍କାସନ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାର ମହନଦୀ କୂଳରେ ଥିବା ଅନେକଗୁଡ଼ିଏ ଗାଁ ଜଳାର୍ଣ୍ଣବ ହୋଇଛି। ଜିଲ୍ଲାପାଳ ମନୀଷା ବାନାର୍ଜୀ ବନ୍ୟା ପାଣୀ ଘେରରେ ଥିବା ବିନିକା ବ୍ଳକ ଅନ୍ତର୍ଗତ ସିନ୍ଦୁରପୁର ଗ୍ରାମପଞ୍ଚାୟତ ଅଧିନସ୍ତ ଝରାପଡ଼ା, ସିନ୍ଦୁରପୁର, ମଣିଗାଁ ଓ କେଉଟପଡ଼ାକୁ ଏକ ଡ଼ଙ୍ଗାରେ ଯାଇ ଲୋକଙ୍କର ଅଭାବ ଅସୁବିଧା ସଂପର୍କରେ ଅବଗତ ହୋଇଛନ୍ତି। ଶ୍ରୀମତୀ ବାନାର୍ଜୀ ବନ୍ୟା ପ୍ରଭାବିତ ଲୋକଙ୍କର ସମସ୍ୟାର ସମାଧାନ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପଟରେ ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ହୀରାକୁଦ ଡ୍ୟାମରୁ ୫୫ଟି ଗେଟ ଖୋଲିଲେ ତାଙ୍କର ଗାଁକୁ ପାଣି ଆସିଥାଏ । କିନ୍ତୁ ଚଳିତ ଥର ୪୬ଟି ଗେଟ ଖୋଲାଯିବାରୁ ବନ୍ୟା ପାଣି ପ୍ରବାହିତ ହୋଇଛି। ଏଣୁ ଆମେ କିଛି ଗ୍ରୋସରୀ ଓ ପନିପରିବା ଯୋଗାଇ ଦେବାକୁ ଜିଲ୍ଲାପାଲଙ୍କୁ ଅନୁରୋଧ କରିଛୁ। ଜିଲ୍ଲାପାଲଙ୍କ ନିର୍ଦ୍ଦେଶରେ ପାଣି ଘେରରେ ଥିବା ସିନ୍ଦୁରପୁର ଝରାପଡ଼ା, ମଣିଗାଁ ଝରାପଡ଼ା, ଓ କେଉଟପଡ଼ାକୁ ଗ୍ରୋସରୀ ଓ ପନିପରିବା ସାମଗ୍ରୀ ବିନିକା ଭାରାପ୍ରାପ୍ତ ବିଡ଼ିଓ ନିରଞ୍ଜନ ନାଏକ ପହଞ୍ଚାଇ ଥିବା ଜଣାପଡ଼ିଛି।
ଶ୍ରୀ ନାଏକ କହିଛନ୍ତି, ବିନିକା ବ୍ଳକର ଅନ୍ୟ ଗ୍ରାମ ଗୁଡ଼ିକରେ ବନ୍ୟା ପାଣିର ବିପଦ ନାହିଁ। ବିନିକା ତହସିଲଦାର ଅଲେଖ ଘୁଟା, ବିନିକା ବିଏସଏସ ଅଶ୍ୱିନୀ ପାଣ୍ଡେ, ସିନ୍ଦୁରପୁର ସଂରପଞ୍ଚ ରାଜେଶ ପ୍ରଧାନ, ସିନ୍ଦୁରପୁର ଗ୍ରାମପଞ୍ଚାୟତ ଜିଆରଏସ୍, ଇଓ ପ୍ରମୁଖ ଜିଲ୍ଲାପାଳଙ୍କ ସହିତ ଡ଼ଙ୍ଗାରେ ଯାଇଥିଲୋ
ସେହିପରି ବିନିକା ଏନଏସି ଅଧିନସ୍ଥ ଗୁଲାପଡ଼ାର କୁଲପଡ଼ା, ଡ଼ିକିରାପଡ଼ାକୁ ବନ୍ୟାଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲାବେଳେ ବେତ୍ରାପଡ଼ା ଲୋକଙ୍କୁ ବତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଉଥିବା ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖିରାମ ନାଏକ ପ୍ରକାଶ କରିଛନ୍ତିା
ବିନିକାରୁ ରାମପୁର ମୂଖ୍ୟରାସ୍ତର ଯୋଗେଶ୍ୱର ମନ୍ଦିର ପାଖରେ ବନ୍ୟାପାଣୀ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିନିକା ସଟଡ଼ାଉନ ଥିଲେ ମଧ୍ୟ ଅଞ୍ଚଳର ଜନସାଧାରଣ ବନ୍ୟା ଦେଖିବା ପାଇଁ ମହାନଦୀ ପୋଲ ତଥା ବିଭିନ୍ନ ରାସ୍ତାରେ ପ୍ରବଳ ଭିଡ଼ ଲଗାଇଛନ୍ତି। କିନ୍ତୁ ନଦୀକୂଳିଆ ଲୋକେ ଭୟ ଭିତରେ ଭିତରେ ଥିବା ଜଣାପଡ଼ିଛି ।