ସୁବର୍ଣ୍ଣପୁରକୁ ସୁନାକଳସ: ଦୁଇଟି ଆସନ, ଦୁଇ କ୍ୟାବିନେଟ୍‌ ମନ୍ତ୍ରୀ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଉପରେ ମେହେରବାନ ହୋଇଛନ୍ତି ବିଜେଡି ସୁପ୍ରିମୋ। ଏହି ଜିଲ୍ଲାର ମାତ୍ର ଦୁଇଟି ବିଧାନସଭା ଆସନରୁ ବିଜୟୀ ହୋଇଥିବା ଦୁଇ ହାଇପ୍ରୋଫାଇଲ ନେତା ନିରଞ୍ଜନ ପୂଜାରୀ ଏବଂ ପଦ୍ମନାଭ ବେହେରା କ୍ୟାବିନେଟ୍‌ ମନ୍ତ୍ରୀ ହେବେ। ନବୀନ ନିବାସରୁ ଏହି ଉଭୟ ନେତାଙ୍କୁ ଫୋନ୍‌ ଆସିବା ପରେ ଜିଲ୍ଲାରେ ଆନନ୍ଦର ଲହରୀ ଖେଳି ଯାଇଛି।

ସୂଚନାଯୋଗ୍ୟ ସୋନପୁରରେ ନିରଞ୍ଜନ ପୂଜାରୀ ଏବଂ ବୀରମହାରାଜପୁରରେ ପଦ୍ମନାଭ ବେହେରା ଏହି ଥର ନିର୍ବାଚନରେ ବିଜୟୀ ହୋଇ ହ୍ୟାଟ୍ରିକ ବିଜୟ ଲାଭ କରିଥିଲେ। ନିରଞ୍ଜନ ପୂଜାରୀ ହେଉଛନ୍ତି କମ୍ୟୁନିଷ୍ଟ ନେତା ତଥା ସମାଜସେବୀ ରାଧେଶ୍ୟାମ ପୂଜାରୀ(ମାଲୁ)ଙ୍କ ପୁତ୍ର। ଗଙ୍ଗାଧର ମେହେର କଲେଜରୁ ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ନିରଞ୍ଜନ ପୂଜାରୀ ବିଜେଡିରେ ଜଣେ ତୁଙ୍ଗ ନେତା। ୨୦୦୦ରୁ ୨୦୦୪,୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ବିନିକା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରିଥିଲେ। ପରେ ନୁତନ ବିଧାନସଭାମଣ୍ଡଳୀ ଗଠନ ପରେ ସୋନପୁର ଆସନରୁ ୨୦୦୯, ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଛନ୍ତି। ଲଗାତାର ୫ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ୨୦୦୪ରୁ ୨୦୧୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ତାଙ୍କର ବିଜୟ ଭୋଟ ବ୍ୟବଧାନ ବଢିଥିଲା।

୨୦୧୪ ନିର୍ବାଚନରେ ସେ ୫୧ ହଜାର ୪୮୫ ଖଣ୍ଡ ବ୍ୟବଧାନ ଭୋଟରେ ଜିତି ଚର୍ଚ୍ଚାକୁ ଆସିଥିଲେ। ବାଚସ୍ପତି ଭଳି ସମ୍ମାନ ଜନକ ପଦବି ସହିତ ପରେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ଏଥର ନିର୍ବାଚନରେ ମୋଦୀ ହାୱା ‌ସତ୍ତ୍ବେ ଶ୍ରୀ ପୂଜାରୀ ୨୫ ହଜାର ୭୨୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଗତ ୨୦୧୭ ପଞ୍ଚାୟତ ନିର୍ବାଚନ‌ ସମୟରେ ସେ ବାଚସ୍ପତି ଥିବାରୁ ସିଧା ସଳଖ ରାଜନୀତିରୁ ଦୂରରେ ରହିଥିଲେ। ଫଳରେ ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡି କ୍ଷତି ସହିଥିଲା। ବିଜେପି ୧୩ଟି ଜିଲ୍ଲା ପରିଷଦ ଆସନରୁ ୧୦ଟି ଆସନ ଜିଣି ଜିଲ୍ଲା ପରିଷଦ ଗଠନ କରିଥିଲା। ଏହାପରେ ଶ୍ରୀ ପୂଜାରୀ ଜଳ ସଂପଦ ଏବଂ ନଗର ଉନ୍ନୟନ ଓ ଗୃହନିର୍ମାଣ କେବିନେଟ ମନ୍ତ୍ରୀ ପାଇବା ପରେ ସିଧା ସଳଖ ଦଳିୟ ରାଜନୀତିକୁ ଆସିଥିଲେ। ପଞ୍ଚାୟତ ନିର୍ବାଚନରୁ ଝଟକା ଖାଇଥିବା ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡିକୁ ପୁଣି ସଫଳତା ଦେବାରେ ଶ୍ରୀ ପୂଜାରୀଙ୍କ ଗରୁତ୍ବପୂର୍ଣ୍ଣ ଭୂମିକା ରହିଛି ଫଳସ୍ବରୁପ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନମଣ୍ଡଳୀରୁ ଉଭୟ ନିରଞ୍ଜନ ପୂଜାରୀ ଏବଂ ପଦ୍ମନାଭ ବେହେରା ବିଜୟୀ ହେବା ସହିତ ଏହି ଦୁଇଟି ନିର୍ବାଚନମଣ୍ଡଳୀରେ ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ମଧ୍ୟ ଅଧିକ ଭୋଟ ପ‌ାଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ରାଜନୀତିରେ ତୁଙ୍ଗ ନେତା କୁହାଯାଉଥିବା ଶ୍ରୀ ପୂଜାରୀ ନିଜର ରଣ କୌଶଳ ଯୋଗୁଁ ଜିଲ୍ଲାରେ ବିଜେଡିକୁ ସଫଳତା ଦେଇ ପାରିଛନ୍ତି।

ସେହିପରି ପଦ୍ମନାଭ ବେହେରା ମଧ୍ୟ ବିଜେଡିର ଜଣେ ତୁଙ୍ଗ ନେତା। ଜଣେ ୱାର୍ଡ ସଭ୍ୟରୁ ମନ୍ତ୍ରୀ ପର୍ଯ୍ୟନ୍ତ ଯିବା ତାଙ୍କର ରାଜନୈତିକ ଦକ୍ଷତାକୁ ପ୍ରମାଣିତ କରିଛି। ୧୯୯୦ରେ ପ୍ରଥମେ ଫୁଲବାଣୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ୧୯୯୭ରୁ ୧୯୯୯ ଏବଂ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ ଫୁଲବାଣୀ ସାଂସଦ ରହିଥିଲେ। ଏହାପରେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଫୁଲବାଣୀ ବିଧାୟକ ଭାବରେ ନିର୍ବାଚିତ ହୋଇ ନବୀନ ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ତେବେ ଏହି ସମୟରେ ଫୁଲବାଣୀରେ ଜାତିଆଣ ଦଙ୍ଗା ଯୋଗୁଁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଥିଲା। ପରେ ୨୦୦୯ରେ ବିଧାନସଭା ପୁନର୍ଗଠନ ପରେ ପଦ୍ମନାଭଙ୍କୁ ବୀରମହାରାଜପୁରରେ ଥଇଥାନ କରାଯାଇଥିଲା। ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଜିତି ସେ ଏଠାରୁ ହ୍ୟାଟ୍ରିକ ବିଜୟୀ ହୋଇଛନ୍ତି। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ସର୍ବାଧିକ କ୍ଷତି ସହିଥିଲା। ଏହି ନିର୍ବାଚନମଣ୍ଡଳୀରେ ଥିବା ୬ଟି ଯାକ ଜିଲ୍ଲା ପରିଷଦ ଆସନ ବିଜେପି ଖାତାକୁ ଯିବା ପରେ ଶ୍ରୀ ବେହେରା ଚର୍ଚ୍ଚାକୁ ଆସିଥିଲେ। ତେବେ ବିଗତ ଦୁଇ ବର୍ଷ ମଧ୍ୟରେ ନିଜର ପରିଶ୍ରମ ଯୋଗୁଁ ପୁଣି ବିଜେଡିକୁ ସଫଳତା ଦେବାରେ ସକ୍ଷମ ହୋଇଥିଲେ। ନିଜର ଶାନ୍ତ ସ୍ବାଭାବ ଯୋଗୁଁ ସେ ବେଶ ପରିଚିତ। ଉଭୟ ନିରଞ୍ଜନ ପୂଜାରୀ ଏବଂ ପଦ୍ମନାଭ ବେହେରା ମନ୍ତ୍ରୀ ହେଉଥିବା ଖବର ଜଣା ପଡିବା ପରେ ଜିଲ୍ଲା ବିଜେଡିରେ ଆନନ୍ଦ ଦେଖା ଦେବା ସହିତ ଏହାକୁ ସାଧାରଣରେ ସ୍ବାଗତ କରାଯାଇଛି।

ସମ୍ବନ୍ଧିତ ଖବର