ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ : ଭଲ କାମ କଲେ ମିଳିବ ପୁରସ୍କାର

ସୋନପୁର : ଗ୍ରାମାଞ୍ଚଳରେ ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ଏକ ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଜିଲ୍ଲାକୁ ମିଳିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ କିଭଳି ଠିକ୍ ଭାବରେ ଖର୍ଚ୍ଚ ହେବ ତଥା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ସରକାରଙ୍କୁ ଶତ ପ୍ରତିଶତ ବିନିଯୋଗ ପ୍ରମାଣ ପତ୍ର ଦିଆଯାଇପାରିବ ‌ତାହା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି।

ସୂଚନା ଅନୁସାରେ, ଅନୁଦାନ ଖର୍ଚ୍ଚରେ କିଛି ପଞ୍ଚାୟତ ପଛରେ ପଡ଼ିଥିବାରୁ ଗତ ଶୁକ୍ରବାର ସମସ୍ତ ୬ ଜଣ ବିଡ଼ିଓ ଓ ୧୦୯ ଟି ପଞ୍ଚାୟତ ସରପଞ୍ଚଙ୍କୁ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ପତ୍ର ଲେଖିଛନ୍ତି। ପଞ୍ଚାୟତ ସ୍ତରରେ ପାର୍କ ନିର୍ମାଣ, ପୋଖରୀ ପୁନରୁଦ୍ଧାର, କଲ୍ୟାଣମଣ୍ଡପ ନିର୍ମାଣ, ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ, ରୋଷେଇ ଗୃହ ନିର୍ମାଣ, ପାଠାଗାର ନିର୍ମାଣ, ଆବାସ ଯୋଜନାରେ ଗୃହ ନିର୍ମାଣ, ସରକାରୀ ଅନୁଦାନର ଖର୍ଚ୍ଚ ଠିକ୍ ଭାବରେ କରିବା ପାଇଁ ପତ୍ରରେ ଉଲ୍ଲେଖ ଅଛି। ପ୍ରତି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ଶତ ପ୍ରତିଶତ ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ ହୋଇଥିଲେ ୧୦ ନମ୍ବର ମିଳିବ। ଏହିଭଳି ୧୨ଟି ଯୋଜନା ପାଇଁ ସମସ୍ତ ବିଡ଼ିଓ ଓ ସମସ୍ତ ସରପଞ୍ଚଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଯାଞ୍ଚ ପରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଞ୍ଚାୟତକୁ ୨୫ ହଜାର, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପଞ୍ଚାୟତକୁ ୧୫ ହଜାର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପଞ୍ଚାୟତକୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ପତ୍ରରେ ଉଲ୍ଲେଖ ଅଛି। ବିଡ଼ିଓମାନେ ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଠିକ୍ ସମୟରେ ପ୍ରକଳ୍ପ କାର୍ଯ୍ୟ ସାରିବା ଓ ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ କ୍ଷେତ୍ରରେ ପ୍ରତିଯୋଗିତା ମୂଳକ ମନୋଭାବ ସୃଷ୍ଟି ପାଇଁ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ତଥା ପିଡି ଡିଆରଡିଏ ଶରତ ଚନ୍ଦ୍ର ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର