ସୋନପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ (ସିସିଏସ୍ଓ) ସୁରେଶ ପାଣିଗ୍ରାହୀଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଗତକାଲି ତାଙ୍କ କାର୍ଯ୍ୟାଳୟ ସମେତ ୧୧ଟି ଠିକଣାରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଆକଳନ ପରେ ଶ୍ରୀ ପାଣିଗ୍ରାହୀଙ୍କର ଆୟଠାରୁ ୨୮୦ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ଭିଜିଲାନ୍ସ ବିଭାଗ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଆଜି ଗିରଫ ପରେ ଶ୍ରୀ ପାଣିଗ୍ରାହୀଙ୍କୁ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ବୁଧବାର ଭିଜିଲାନ୍ସ ଟିମ୍ ସୋନପୁରସ୍ଥିତ ଶ୍ରୀ ପାଣିଗ୍ରାହୀଙ୍କ ଭଡ଼ାଘର, କାର୍ଯ୍ୟାଳୟ, ବଲାଙ୍ଗୀର ତୁଳସୀନଗରସ୍ଥିତ ବାସଭବନ, ବରଗଡ଼ ଜିଲ୍ଲା ବିଜେପୁର ଥାନା ବଲଣ୍ଡାସ୍ଥିତ ପୈତୃକ ଘର, ଭୁବନେଶ୍ବର ପଟିଆସ୍ଥିତ ଭଡ଼ାଘର, ବଲାଙ୍ଗୀର ତୁଳସୀନଗରସ୍ଥିତ ସମ୍ପର୍କୀୟ ଘର, ଭୁବନେଶ୍ବର ପଟିଆସ୍ଥିତ ସମ୍ପର୍କୀୟଙ୍କ ଭଡ଼ାଘର, ବରଗଡ଼ ଗଙ୍ଗାଧର ସାହିସ୍ଥିତ ସମ୍ପର୍କୀୟଙ୍କ ଭଡ଼ାଘର, ବଲଣ୍ଡାରେ ଥିବା ତାଙ୍କ ଭାଇଙ୍କ ପାଉଁଶ ଇଟା କାରଖାନା, ବିଜେପୁର ଥାନା ପହଣ୍ଡିରେ ଥିବା ଭାଇଙ୍କ ପେଟ୍ରୋଲ ପମ୍ପ, ବଲଣ୍ଡାରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିଥିଲା।
ଯାଞ୍ଚ ସମୟରେ ଶ୍ରୀ ପାଣିଗ୍ରାହୀଙ୍କ ବଲାଙ୍ଗୀର ତୁଳସୀନଗରରେ ଗୋଟିଏ ଦୁଇମହଲା କୋଠା ଓ ଅନ୍ୟ ଏକ କୋଠା ଠାବ କରାଯାଇଥିଲା। ସେହିପରି ଭୁବନେଶ୍ବର, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଆଦି ସ୍ଥାନରେ ତାଙ୍କର ୧୯ଟି ପ୍ଲଟ୍, ବଲଣ୍ଡାରେ ୪ ଏକର ପରିମିତ ଜମିରେ ଫାର୍ମହାଉସ, ୧ କୋଟି ୭୨ ଲକ୍ଷ ୩୫ ହଜାର ୯୪୬ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ୍, ବୀମା ଓ ମ୍ୟୁଚୁଆଲ୍ ଫଣ୍ଡ ଜମା ଠାବ କରାଯାଇଥିଲା। ଏହାଛଡ଼ା ତାଙ୍କଠାରୁ ନଗଦ ୧ ଲକ୍ଷ ୪୯ ହଜାର ଟଙ୍କା ମିଳିଥିବାବେଳେ ୮ ଲକ୍ଷ ୧୦ ହଜାର ଟଙ୍କାର ସୁନା ଅଳଙ୍କାର, ଘରକରଣା ସାମଗ୍ରୀ, ଗୋଟିଏ ଚାରିଚକିଆ ଯାନ, ୩ଟି ବାଇକ୍ ଓ ବଲାଙ୍ଗୀର ଷ୍ଟେଟ୍ ବ୍ୟାଙ୍କରେ ଏକ ଲକର ଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।