ନିର୍ବାଚନ ତାତିରେ ହଜିଯାଇଛି ସୁବର୍ଣ୍ଣପୁର ଜିଲ୍ଳାର ପ୍ରମୁଖ ପ୍ରସଙ୍ଗ!

ସୋନପୁର : ସୁବର୍ଣ୍ଣପୁର ଜିଲ୍ଳାରେ ଭରି ରହିଛି ଅନେକ ପ୍ରସଙ୍ଗ। ଜିଲ୍ଲା ଗଠନ ହେବାର ୨୬ ବର୍ଷ ପରେ ମଧ୍ୟ ଜିଲ୍ଲାର ବିକାଶ ସନ୍ତୋଷ ଜନକ ନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ। ଜିଲ୍ଳାରେ ଭରି ରହିଛି ଅନେକ ସମସ୍ୟା ଏହି ସମସ୍ୟାକୁ ନିର୍ବାଚନ ସମୟରେ ମୁଖ୍ୟ ବିରେଧୀ ଦଳ ଗୁଡିକ ପ୍ରସଙ୍ଗ କରିବେ ବୋଲି ଆଗରୁ ଚର୍ଚ୍ଚା ହେଉଥିଲା। ତେବେ ପ୍ରାର୍ଥୀ ଏବଂ ନେତାଏ ଭୋଟ ପାଇଁ ଏତେ ବ୍ୟସ୍ତ ରହିଲେ ଯେ ଜିଲ୍ଲାର ପ୍ରସଙ୍ଗ କଥା ଏକ ପ୍ରକାର ଭୁଲି ଗଲେ।

ନିର୍ବାଚନ ସରିଛି ଏବେ ମଧ୍ୟ କି‌ଏ ଯିତିବ କିଏ ହାରିବ ସେଥିପାଇଁ ଚା’ ଖଟି ଠାରୁ ଆରମ୍ଭ କରି ବିଭିନ୍ନ ଛକ ଦୋକାନମାନଙ୍କୁ କିଛି ଲୋକେ ଆଲୋଚନା କରୁଛନ୍ତି କିନ୍ତୁ ଜିଲ୍ଲାରେ ଥିବା ମୁଖ୍ୟ ପ୍ରସଙ୍ଗକୁ ଅଣଦେଖା କରୁଥିବା ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାରେ ଭରି ରହିଛି ଅନେକ ସମସ୍ୟା। ଜଳସେଚନ ସମସ୍ୟା ସବୁଠାରୁ ଅଧିକ ରହିଛି ସୁବର୍ଣ୍ଣପୁର ଜିଲ୍ଲାରେ। ସୋନପୁର, ତରଭା, ଉଲୁଣ୍ଡା, ବୀରମହାରାଜପୁର ୪ଟି ବ୍ଲକରେ ଜଳସେଚନ ସୁବିଧା ଚିନ୍ତାଜନକ। ବିନିକା ଡୁଙ୍ଗରିପାଲି ବ୍ଲକକୁ ଛାଡି ଦେଲେ ଜିଲ୍ଲାର ସୋନପୁର, ବିନିକା, ଉଲୁଣ୍ଡା, ବୀରମହାରାଜପୁରରେ ଆବଶ୍ୟକ ଜଳସେଚନ ସୁବିଧା ନଥିବାରୁ ଚାଷୀ ଆବଶ୍ୟକ ରବି ଚାଷ କରିପାରୁ ନାହାନ୍ତି। ଏହି ୪ଟି ବ୍ଲକରେ କିଛି ସ୍ଥାନରେ ଉଠାଜଳସେଚନ ଯୋଜନା ମାଧ୍ୟମରେ କିଛି ଜମିକୁ ଜଳସେଚନ ବ୍ୟ‌ବସ୍ଥା କରାଯାଇଛି ସତ ତେବେ ତାହା ସମୁଦ୍ରକୁ ଶଙ୍ଖେ। ଜିଲ୍ଲାରେ ଅଙ୍ଗ ଜଳସେଚନ ଯୋଜନା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୨୦୦୬ ରେ ଶୁଭ ଦେଇଥିଲେ ତେବେ ୧୩ ବର୍ଷ ପରେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ତେବେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଜଳସେଚନ ମନ୍ତ୍ରୀ ହେଲାପରେ ଏହି ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ଅନୁଦାନ ଯୋଗାଇବା ପରେ ଏହି ପ୍ରକଳ୍ପ ସମ୍ପୁର୍ଣ୍ଣ ହେବା ନେଇ ଚାଷୀ ଆଶାବାଦୀ ଅଛନ୍ତି। ସେହିପରି ଉଲୁଣ୍ଡା ଏବଂ ବୀରମହାରାଜପୁର ବ୍ଲକ ଅଞ୍ଚଳରେ ଜଳସେଚନ ସୁବିଧା ପାଇଁ ହରିହର ଜଳ ସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପ ୧୯୯୭-୯୮ରେ ନିର୍ମାଣ ହୋଇଥିଲା। ଲକ୍ଷ୍ୟ ଥିଲା ଏହି ପ୍ରକଳ୍ପ ନିର୍ମାଣ ହେଲେ ଖରିଫ ଋୁତୁରେ ୯୪୫୦ ହେକ୍ଟର ଏବଂ ରବି ଋୁତୁରେ ୪୨୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇ ପାରିବ। ତେବେ ବହୁ ଦିନ ଧରି ଏହି ପ୍ରକଳ୍ପକୁ ଅଣ ଦେଖା କରିବା ଏବଂ ମରାମତି ଅଭାବରୁ କେନାଲ ଅଞ୍ଚଳ ପୋତି ହେବା ଫଳରେ ଏହି ଲକ୍ଷ୍ୟ ପୂରଣ ହୋଇ ପାରିଲା ନାହିଁ। ଗତ ୨ ବର୍ଷ ମଧ୍ୟରେ ଏହାର ମରାମତି ପାଇଁ ୬୧ କୋଟି ଟଙ୍କା ଖର୍ଚ୍ଚ କରାଗଲାଣି ତେବେ ଯେତିକି ଚାଷ ଜମିକୁ ଜଳସେଚିତ ହେବା କଥା ହୋଇ ପାରିଲା ନାହିଁ।

ସେହିପରି ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଚିକିତ୍ସକଙ୍କ ଅଭାବ ରହିଛି ‌କେଉଁ ହାକ୍ତରଖାନା‌ରେ ଡାକ୍ତର ନାହାନ୍ତି ତ କେଉଁଠି ବିଶେଷଜ୍ଞ ଡାକ୍ତର ନାହାନ୍ତି। ଜିଲ୍ଲାବାସୀ ଏବେ ବି ବୁର୍ଲା ଏବଂ ବଲାଙ୍ଗୀର ଉପରେ ସାଧାରଣ ରୋଗର ଚିକିତ୍ସା ପାଇଁ ନିର୍ଭର କରୁଛନ୍ତି। ଜିଲ୍ଲାରେ ଆବଶ୍ୟକ ଚିକିତ୍ସକଙ୍କ ଅଭାବ ଯୋଗୁଁ ଆଭ୍ୟନ୍ତରୀଣ ଅଞ୍ଚଳରେ କ୍ବାକମାନଙ୍କ ପ୍ରାଦୁର୍ଭାବ ମଧ୍ୟ ଦେଖା ଦେଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଅଛନ୍ତି ତେବେ କିଛି ବିଶେଷଜ୍ଞ ନିଜର କ୍ଲିନିକ ପ୍ରତି ଯେତିକି ଦୃଷ୍ଟ ଦେଉଛନ୍ତି ସରକାରୀ ଦରମା ପାଇ ମଧ୍ୟ ଚିକିତ୍ସାଳୟରେ ରୋଗୀ ସେବା ପାଇଁ ମନ କରୁନଥିବା ଅଭିଯୋଗ ହେଉଛି। ବିଭିନ୍ନ ସମୟରେ ରୋଗୀ ସେବା ବିପର୍ଯ୍ୟସ୍ତ ନେଇ ସଚେତନ ନାଗରିକ ପ୍ରଶାସନର ଦ୍ବାରସ୍ଥ ହେବା ସହିତ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଠ ମଧ୍ୟ ଆକର୍ଷଣ କରିଥିଲେ କିନ୍ତୁ କିଛି ଫଳପ୍ରଦ ହୋଇ ନାହିଁ। ଗତ ୨ ବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ଜିଲ୍ଳାବାସୀ ଦାବି କରିଛନ୍ତ ଏଥିପାଇଁ ପାଠକ ମଞ୍ଚ ମଧ୍ୟ ଆୟୋଜନ ହୋଇ ସାରିଛି। ଜିଲ୍ଲାରେ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ନେଇ ଆବଶ୍ୟକ ଭିତ୍ତିଭୂମି ରହିଥିବା ବେଳେ ଧାନ ଉତ୍ପା‌ଦନରେ ସୁବର୍ଣ୍ଣପୁର ଜିଲ୍ଲା ରାଜ୍ୟରେ ଏକ ନମ୍ବର ସ୍ଥାନ ମଧ୍ୟ ଅଧିକାର କରି ସାରିଛି। ତେବେ ଏଠାରେ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ନେଇ ଦଳମତ ନିର୍ବିଶେଷରେ ଆଜି ପର୍ଯ୍ୟନ୍ତ ସ୍ବର ଉତ୍ତୋଳନ ହୋଇ ନାହିଁ।

କୃଷି ଉତ୍ପାଦନ ବୃଦ୍ଧି ପାଉଥିବା ବେଳେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଗୋଟିଏ ହେଲେ ଶୀତଳଭଣ୍ଡାର ସ୍ଥାପନ ହୋଇ ପାରି ନାହିଁ। ସୋନପୁରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ରିଂ ରୋଡ ନିର୍ମାଣ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ୨୦.୧.୨୦୧୧ରେ ଶୁଭ ଦେଇଥିଲେ। ତେବେ ୮ବର୍ଷ ପରେ ମଧ୍ୟ ଏହି ରିଂ ରୋଡ ନିର୍ମାଣ ହୋଇ ପାରି ନାହିଁ। ଏବ‌େ ଏହି ରିଂ ରୋଡ ନିର୍ମାଣ ପାଇଁ ସ୍ବତନ୍ତ୍ର ଅନୁଦାନ ଆସିଛି ତେବେ ଏହା କେବେ ସରିବ ତାହାର ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। ସୁବର୍ଣ୍ଣପୁର ଜିଲ୍ଲା ସର୍ବ ପୁରତାନ ମହାବିଦ୍ୟାଳୟ ସୋନପୁର କଲେଜକୁ ପୂର୍ଣ୍ଣ ସରକାରୀ ମାନ୍ୟତା ତଥା ସ୍ବୟଂଶାସିତ ମାନ୍ୟତା ଦାବି ହେଉଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଏଠାରେ ବହୁ ବର୍ଷ ହେଲା ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ସମ୍ପୃକ୍ତ ବିଭାଗ କରୁ ନାହିଁ ଫଳରେ ବହୁ ବର୍ଷ ହେଲା ଭାରାପ୍ର‌ାପ୍ତ ଅଧ୍ୟକ୍ଷରେ ଚାଲିଛି ଏହି ସର୍ବ ପୁରାତନ କଲେଜ। ଏହିଭଳି ଜିଲ୍ଲାରେ ଅନେକ ପ୍ରସଙ୍ଗ ଥିଲେ ମଧ୍ୟ ନିର୍ବାଚନ ତାତିରେ ହଜିଯାଇଛି ସବୁ ପ୍ରସଙ୍ଗ। ନିର୍ବାଚନ ସରିଛି ଏଣିକି ଦଳମତ ନିର୍ବିଶେଷରେ ପ୍ରସଙ୍ଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର