ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ଦୁଇ ନିର୍ବାଚନମଣ୍ଡଳୀ ସୋନପୁର ଏବଂ ବୀରମହାରାଜପୁରରୁ ବିଜେଡିର ଦୁଇ ବରିଷ୍ଠ ନେତା ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରା ବିଜୟୀ ହୋଇଛନ୍ତି। ଏମାନଙ୍କ ଭିତରୁ ଏଥର କେହି ଜଣେ ନବୀନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ୨୦୦୯ ଏବଂ ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ଏହି ଦୁଇ ନେତା ବିଜୟୀ ହୋଇଥିଲେ। ତେବେ ପୂର୍ବରୁ ନିରଞ୍ଜନ ବାଚସ୍ପତିଠାରୁ ନେଇ କ୍ୟାବିନେଟ ମନ୍ତ୍ରୀ ପର୍ଯ୍ୟନ୍ତ ବହୁ ଗୁରୁତ୍ବପୂର୍ଣ୍ଣ ପଦରେ ରହି ଆସିଛନ୍ତି। ନିରଞ୍ଜନ ୨୦୦୦ ଏବଂ ୨୦୦୪ରେ ବିନିକା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ସୋନପୁର ନିର୍ବାଚନମଣ୍ଡଳୀରୁ ସେ ଲଗାତାର ୩ ଥର ନିର୍ବାଚିତ ହୋଇଥିବା ବେଳେ ବିନିକା ନିର୍ବାଚନ ମଣ୍ଡଳୀକୁ ଧରିଲେ ଲଗାତାର ୫ ଥର ବିଜୟୀ ହୋଇଛନ୍ତି। ନିର୍ବାଚନ ମଇଦାନରେ ଆଜି ପର୍ଯ୍ୟନ୍ତ ହାର ମାନି ନାହାନ୍ତି ନିରଞ୍ଜନ। ତେଣୁ ଏଥର ନବୀନ ସରକାରରେ ମନ୍ତ୍ରିମଣ୍ଡଳରେ ନିରଞ୍ଜନ ସ୍ଥାନ ପାଇବେ କି ନାହିଁ, ତାକୁ ନେଇ ଜିଲ୍ଲା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।
ସେହିପରି ଅତୀତରେ ପଦ୍ମନାଭ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ରହିଥିଲେ। େତବେ ଗତ ପାଳିରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନ ଥିଲା। ଉଭୟ ନେତାଙ୍କ ମଧ୍ୟରୁ ଚଳିତ ଥର କିଏ ମନ୍ତ୍ରୀ ହେବ ତାହାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଛି। ଉଭୟ ନେତାଙ୍କ ସମର୍ଥକମାନେ ମଧ୍ୟ ନିଜର ନେତା ମନ୍ତ୍ରୀ ହେବା ନେଇ ଆଶାବାଦୀ ଥିବା ଜଣାଯାଇଛି। ତେବେ ମନ୍ତ୍ରୀ ପଦ ଦୌଡ଼ରେ ନିରଞ୍ଜନଙ୍କ ପଲ୍ଲା ଭାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/nira-final.jpg)