ସୁବର୍ଣ୍ଣପୁର ଚାଷୀଙ୍କ ସାର ବ୍ୟବହାର ସର୍ବାଧିକ

ବିହନ ତୁଳନାରେ ୭ ଲକ୍ଷରୁ ଅଧିକ ଚାଷୀ ସାର ପାଇଁ ସରକାର ଉପରେ ନିର୍ଭରଶୀଳ

ଭୁବନେଶ୍ବର : ସରକାରଙ୍କ ଠାରୁ ୨୦୨୧ ମସିହାରେ ୧୦ ଲକ୍ଷ ୧୦ ହଜାର ଚାଷୀ ସାର ଏବଂ ୨ ଲକ୍ଷ ୪୩ ହଜାର ଚାଷୀ ବିହନ କିଣିଛନ୍ତି। ପ୍ରତିବର୍ଷ ଚାଷୀଙ୍କୁ ସାର ଯୋଗାଣ ପରିମାଣ ବୃଦ୍ଧି ପାଏ। କିନ୍ତୁ ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ଚାଷୀଙ୍କୁ ୪ ଲକ୍ଷ କ୍ବିଣ୍ଟାଲ କମ ସାର ଯୋଗାଣ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତବର୍ଷ ରାଜ୍ୟର ସୁବର୍ଣ୍ଣପୁର ଜିଲ୍ଲାର ୧୫ ହଜାର ୬୬୨ ଜଣ ଚାଷୀଙ୍କୁ ସର୍ବାଧିକ ୮୬ ହଜାର ୧୩୫ ମେଟ୍ରିକ ଟନ ସାର ଯୋଗାଣ ହୋଇଥିଲା। ବିଧାନସଭାରେ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ଉତ୍ତର ଦେଇଛନ୍ତି।

ସାଧାରଣରେ ଧାରଣା ରହିଛି ଯେ ରାଜ୍ୟରେ ବରଗଡ଼ ଜିଲ୍ଲାର ଚାଷୀ ଅଧିକ ସାର ବ୍ୟବହାର କରନ୍ତି। ଏଥିରେ ସତ୍ୟତା ରହିଛି। ମାତ୍ର ସୁବର୍ଣ୍ଣପୁର ଜିଲ୍ଲାର ଏତେ କମ ସଂଖ୍ୟକ ଚାଷୀଙ୍କୁ ଏତେ ପରିମାଣର ସାର ବିକ୍ରି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୯ ମସିହାରେ ୧୪ ହଜାର ୮୮ ଚାଷୀଙ୍କୁ ୮୪ ହଜାର ୮୧୦ ମେଟ୍ରିକ ଟନ, ୨୦୨୦ ମସିହାରେ ୧୬ ହଜାର ୧୭୬ ଚାଷୀଙ୍କୁ ୯୯ ହଜାର ୫୪ ମେଟ୍ରିକ ଟନ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମଧ୍ୟ ୪୮୮୭ ଚାଷୀଙ୍କୁ ୨୨ ହଜାର ୬୮୨ ମେଟ୍ରିକ ଟନ ସାର ବିକ୍ରି ହୋଇଛି। ବିଧାୟକଙ୍କ ପ୍ରଶ୍ନ ଆଧାରରେ କୃଷି ବିଭାଗ ୪ ବର୍ଷର ତଥ୍ୟ ଦେଇଛି। ୨୦୨୧ ମସିହାର ତଥ୍ୟକୁ ହିସାବ କରାଗଲେ, ରାଜ୍ୟରେ ବାଲେଶ୍ବର ଜିଲ୍ଲାର ୧ ଲକ୍ଷ ୨୮ ହଜାର ୬୮୫ ଚାଷୀଙ୍କୁ ୨୮୬୭ ମେଟ୍ରିକ ଟନ, ଭଦ୍ରକର ୧ ଲକ୍ଷ ୯୦୩ ଚାଷୀଙ୍କୁ ୧୪ ହଜାର ୫୫୮ ମେଟ୍ରିକ ଟନ, ଗଞ୍ଜାମର ୭୧ ହଜାର ୩୬୦ ଚାଷୀଙ୍କୁ ୧୫୦୬୭ ମେଟ୍ରିକ ଟନ, ବରଗଡ଼ର ୫୩ ହଜାର ୭୬୫ ଚାଷୀଙ୍କୁ ୧୫ ହଜାର ୩୯୧ ମେଟ୍ରିକ ଟନ, କଟକର ୬୩ ହଜାର ୬୮୨ ଚାଷୀଙ୍କୁ ୪୨୪୫ ମେଟ୍ରିକ ଟନ, କଳାହାଣ୍ଡିର ୫୧ ହଜାର ୨୧୭ ଚାଷୀଙ୍କୁ ୧୦ ହଜାର ୩୯୭ ମେଟ୍ରିକ ଟନ ସାର ବିକ୍ରି କରାଯାଇଛି।

kst-transportation.com

ସେହିପରି ବଲାଙ୍ଗୀରର ୩୦ ହଜାର ୩୦୯ ଚାଷୀଙ୍କୁ ୮୫ ହଜାର ୬୭୮ ମେଟ୍ରିକ ଟନ, ବୌଦ୍ଧର ୧୮ ହଜାର ୮୭୧ ଚାଷୀଙ୍କୁ ୫୬୬୧ ମେଟ୍ରିକ ଟନ, ସୁନ୍ଦରଗଡ଼ ଜିଲ୍ଲାର ୬୨ ହଜାର ୯୫୬ ଚାଷୀଙ୍କୁ ୨୨୮୯ ମେଟ୍ରିକ ଟନ, ପୁରୀର ୨୫୩୦ ଚାଷୀଙ୍କୁ ୫୭୧ ମେଟ୍ରିକ ଟନ, ସମ୍ବଲପୁରର ୩୭ ହଜାର ୩୫୮ ଚାଷୀଙ୍କୁ ୧୬ ହଜାର ୫୭୪ ମେଟ୍ରିକ ଟନ, ନୂଆପଡ଼ାର ୪୧ ହଜାର ୭୦୦ ଚାଷୀଙ୍କୁ ୬୧୭୬ ମେଟ୍ରିକ ଟନ, ଦେବଗଡ଼ର ୧୮ ହଜାର ୪୩୬ ଚାଷୀଙ୍କୁ ୪୫୪୬ ମେଟ୍ରିକ ଟନ, ଢେଙ୍କାନାଳ ୧୬ ହଜାର ୫୦ ଚାଷୀଙ୍କୁ ୨୧୨୭ ମେଟ୍ରିକ ଟନ, ଗଜପତିର ୩୬୫ ଚାଷୀଙ୍କୁ ୧୬୧୮ ମେଟ୍ରିକ ଟନ, ଜଗତସିଂହପୁର ଜିଲ୍ଲାର ୧୧ ହଜାର ୭୮୯ ଚାଷୀଙ୍କୁ ୨୮୫୨ ମେଟ୍ରିକ ଟନ, ଯାଜପୁରର ୧୩ ହଜାର ୭୮୯ ଚାଷୀଙ୍କୁ ୧୬୭୯ ମେଟ୍ରିକ ଟନ, ଝାରସୁଗୁଡ଼ା ଜିଲ୍ଲାର ୧୭ ହଜାର ୫୫୩ ଚାଷୀଙ୍କୁ ୨୫୯୪୨ ମେଟ୍ରିକ ଟନ, କୋରାପୁଟର ୨୨ ହଜାର ୪୪୭ ଚାଷୀଙ୍କୁ ୬୬୫୧ ମେଟ୍ରିକ ଟନ, ମାଲକାନଗିରିର ୨୫ ହଜାର ୨୩୩ ଚାଷୀଙ୍କୁ ୮୫୩୨ ମେଟ୍ରିକ ଟନ ସାର ବିକ୍ରୟ କରାଯାଇଛି। ୨୦୧୯ ମସିହାରେ ୮ ଲକ୍ଷ ୬୬ ହଜାର ୬୨୯ ଚାଷୀଙ୍କୁ ୩୨୯୭୦୭ ମେଟ୍ରିକ ଟନ, ୨୦୨୦ ମସିହାରେ ୯ ଲକ୍ଷ ୯୪ ହଜାର ଚାଷୀଙ୍କୁ ୩ ଲକ୍ଷ ୯୨ ହଜାର ୪୭୮ ମେଟ୍ରିକ ଟନ ଓ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୩୮ ହଜାର ୩୬୨ ଚାଷୀଙ୍କୁ ୮୧ ହଜାର ୫୧ ମେଟ୍ରିକ ଟନ ସାର ବିକ୍ରି ହୋଇଛି ବୋଲି କୃଷି ବିଭାଗ ତଥ୍ୟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର