ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା କୋଭିଡ ସେଣ୍ଟର ପରିସରରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି| ମୃତକଙ୍କ ନାଆଁ ଗୋକୁଳ ସେଠ୍ ଓ ତାଙ୍କ ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର କୋହିଦପୁର ଗାଁରେ ବୋଲି ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ଗୋକୁଳ ସେଠ୍ (୨୧) ପାଇଖାନାକୁ ଯାଇଥିଲେ । ସେଠାରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଏହା ଜାଣିପାରି ତାଙ୍କର ଜଣେ ସହଯୋଗୀ ତାଙ୍କୁ ସେ ରହୁଥିବା ପୁରୁଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୋଠରୀକୁ ଆଣିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହୃଦଘାତ ଯୋଗୁ ଗୋକୁଳଙ୍କ ମୃତ୍ୟୁ ହୋଇଥିବା ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି । ମୃତ ଗୋକୁଳ ସେହି ଅଞ୍ଚଳରେ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ। ସେ ଦୀର୍ଘ ଚାରି ମାସ ହେବ ସିଂଘିଯୁବା ବିଦ୍ୟାଳୟର ପୁରୁଣା କୋଠାରେ ୮ଜଣ ଯୁବକଙ୍କ ସହ ଏକା ସାଙ୍ଗରେ ରହୁଥିଲେ ।
ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ବିଏମପୁର ଉପ ଜିଲ୍ଲାପାଳ ଅଶୋକ ଭୋଇ, ବିନିକା ତହସିଲଦାର ଅଲେଖ ଘୁଟା, ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ଵର ଖାଖା, ବିନିକା ବିଡ଼ିଓ ବିଶ୍ଵରଞ୍ଜନ ମଲ୍ଲିକ,ଏଵିଡିଓ ନିରଞ୍ଜନ ନାଏକ, ବିନିକା ଥାନା ଆଇଆଇସି କୁଶ ପାଣିଗ୍ରାହୀ,ସ୍ଥାନୀୟ ସରପଞ୍ଚ ମହାବିର ଵରିହା ପ୍ରମୁଖ ପହଞ୍ଚିଥିଲେ। ବିନିକା ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି।