ସୋନପୁର, (ରତନ ପଟ୍ଟନାୟକ): ସୁବର୍ଣ୍ଣପୁର ଜିଲ୍ଲା ଗଠନକୁ ୨୯ ବର୍ଷ ବିତିଛି। ଏହି ୨୯ ବର୍ଷ ମଧ୍ୟରୁ ୨୨ବର୍ଷ ଧରି ଜିଲ୍ଲା ରାଜନୀତି ବିଜେଡି କବ୍‌ଜାରେ ରହିଛି। ଗତ ପୌର ନିର୍ବାଚନରେ ବିଜେଡି ଦଳ ଜିଲ୍ଲାର ୩ଟି ପୌରାଞ୍ଚଳ କବ୍‌ଜା କରିଥିଲା। ସେହିପରି ଜିଲ୍ଲା ପରିଷଦ ନିର୍ବାଚନରେ ୧୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୧୧ଟିରେ ବିଜେଡି ଜିଣି ଜିଲ୍ଲା ପରିଷଦ ଗଠନ କରିବା ସହ ବିଜେପିକୁ ଚେକମେଟ୍‌ ଦେବାରେ ସଫଳ ହୋଇଛି। ଏଥିପାଇଁ ବିଜେପି ଏବଂ କଂଗ୍ରେସର ଦୁର୍ବଳ ରଣନୀତି ଦାୟୀ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପୌର ଏବଂ ପଞ୍ଚାୟତ ନିର୍ବାଚନରେ ପରାଜୟରୁ କିଛି ଶିଖି ନାହାନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ। ଆସନ୍ତା ସାଧାରଣ ନିର୍ବାଚନକୁ ଆଉ ଦେଢ଼ ବର୍ଷ ରହିଛି। ପ୍ରସଙ୍ଗଭିତ୍ତିକ ‌ଲଢ଼େଇ କରୁପାରୁନାହାନ୍ତି ଜିଲ୍ଲାର ଦୁଇ ପ୍ରମୁଖ ରାଜୈନତିକ ଦଳ ବିଜେପି ଓ କଂଗ୍ରେସ। ଏଣୁ ଆସନ୍ତା ନିର୍ବାଚନରେ ପୁଣି ବିଜେଡି ଫାଇଦା ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଜିଲ୍ଲାର ରାଜନୀତି ଦୁଇ ଦଶନ୍ଧିରୁ ଅଧିକ ଧରି ବିଜେଡି କବ୍‌ଜାରେ ରହିଥିଲେ ମଧ୍ୟ ଜିଲ୍ଲାର ପ୍ରମୁଖ ସମସ୍ୟା ସମାଧାନ ହୋଇ ପାରିନାହିଁ ଯାହାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରଶ୍ନ ଉଠୁଛି।

Advertisment

publive-image YouTube

ସୁବର୍ଣ୍ଣପୁର ଜିଲ୍ଲାରେ ଜଳସେଚନ ସମସ୍ୟା ସବୁଠାରୁ ଅଧିକ ରହିଛି। ସୋନପୁର, ତରଭା, ଉଲୁଣ୍ଡା, ବୀରମହାରାଜପୁର ୪ଟି ବ୍ଲକ୍‌ରେ ଜଳସେଚନ ସୁବିଧା ଚିନ୍ତାଜନକ। ଜିଲ୍ଲାରେ ଅଙ୍ଗ ଜଳସେଚନ ଯୋଜନା ସଂପ୍ରସାରଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୨୦୦୬ରେ ଶୁଭ ଦେଇଥିଲେ କିନ୍ତୁ ଦୀର୍ଘ ୧୬ ବର୍ଷ ପରେ ମଧ୍ୟ ଏହା ସଂପୂର୍ଣ୍ଣ ହୋଇପାରିନାହିଁ। ଯଦିଓ ଏହି ପ୍ରକଳ୍ପରୁ ବିଶିମୁଣ୍ଡା ପର୍ଯ୍ୟନ୍ତ କିଛି ମାସ ପୂର୍ବରୁ ପାଣି ଆସିଛି। ତେବେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାକୁ ଅଧିକ ସମୟ ଲାଗିବ। ସେହିପରି ଉଲୁଣ୍ଡା ଏବଂ ବୀରମହାରାଜପୁର ବ୍ଲକ୍‌ ଅଞ୍ଚଳରେ ଜଳସେଚନ ସୁବିଧା ପାଇଁ ହରିହର ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପ ୧୯୯୭-୯୮ରେ ନିର୍ମାଣ ହୋଇଥିଲା। ଲକ୍ଷ୍ୟ ଥିଲା ଏହି ପ୍ରକଳ୍ପ ନିର୍ମାଣ ହେଲେ ଖରିଫ ଋତୁରେ ୯୪୫୦ ହେକ୍ଟର ଏବଂ ରବି ଋତୁରେ ୪୨୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇପାରିବ। ବିଭାଗ କହୁଛି ଆବଶ୍ୟକ ଜଳସେଚନ ବ୍ୟବସ୍ଥା କରାଯାଇଛି। କିନ୍ତୁ ଚାଷୀଙ୍କ କହିବା ଅନୁଯାୟୀ ଏହି ଜଳସେଚନ ପ୍ରକଳ୍ପରୁ ଯେତିକି ଜଳସେଚନ ହେବା କଥା ଏପର୍ଯ୍ୟନ୍ତ ହୋଇନାହିଁ।

publive-image Sambad English

ସେହିପରି ଜିଲ୍ଲାରେ ୧୫୯ ଚିକିତ୍ସକ ପଦରୁ ୭୫ପଦ ଖାଲି ପଡ଼ିଛି। ଜିଲ୍ଲାବାସୀ ଏବେବି ବୁର୍ଲା ଏବଂ ବଲାଙ୍ଗୀର ଉପରେ ସାଧାରଣ ରୋଗର ଚିକିତ୍ସା ପାଇଁ ନିର୍ଭର କରୁଛନ୍ତି। ବିଭିନ୍ନ ସମୟରେ ରୋଗୀ ସେବା ବିପର୍ଯ୍ୟସ୍ତ ନେଇ ସଚେତନ ନାଗରିକ ପ୍ରଶାସନର ଦ୍ବାରସ୍ଥ ହେବା ସହିତ ତତ୍କାଳୀନ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଥିଲେ କିନ୍ତୁ କିଛି ଫଳପ୍ରଦ ହୋଇନାହିଁ। ଗତ ୫ ବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ଜିଲ୍ଲାବାସୀ ଦାବି କରୁଛନ୍ତି । ଏଥିପାଇଁ ପାଠକ ମଞ୍ଚ ମଧ୍ୟ ଆୟୋଜନ ହୋଇସାରିଛି। ତେବେ ଜିଲ୍ଲାର ଦୁଇ ପ୍ରମୁଖ ବିରୋଧୀ ଦଳ ଏହି ଦାବିକୁ ସୁଦୃଢ କରିବାରେ ବିଫଳ ହୋଇଛନ୍ତି। ସୋନପୁରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ରିଂ ରୋଡ ନିର୍ମାଣ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ୨୦.୧.୨୦୧୧ରେ ଶୁଭ ଦେଇଥିଲେ ତେବେ ୧୧ ବର୍ଷ ପରେ ମଧ୍ୟ ଏହି ରିଂ ରୋଡ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ।

publive-image Helpmecovid

ସୋନପୁରରେ ଅତ୍ୟାଧୁନିକ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ବର୍ଷେ ତଳୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କରିଥିଲେ। କିନ୍ତୁ ଏହି ପ୍ରକଳ୍ପ ନିର୍ମାଣପାଇଁ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରତାନ ମହାବିଦ୍ୟାଳୟ ସୋନପୁର କଲେଜକୁ ସଂପୂର୍ଣ୍ଣ ସରକାରୀ ମାନ୍ୟତା ତଥା ସ୍ବୟଂଶାସିତ ମାନ୍ୟତା ସାଧାରଣରେ ଦାବି ହେଉଥିଲେ ମଧ୍ୟ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏହି ଦାବି ସରକାରଙ୍କଠାରେ ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି। ପାତାଳି ଶ୍ରୀକ୍ଷେତ୍ର ଭବ୍ୟ ମନ୍ଦିର ନିର୍ମାଣ ପ୍ରସ୍ତାବ ମଧ୍ୟ ୮ ବର୍ଷ ହେଲା ସରକାରଙ୍କ ଫାଇଲର ନାଲିଫିତା ତଳେ ରହିଛି। ପାତାଳି ଶ୍ରୀକ୍ଷେତ୍ରରେ ରୋପୱେ ନିର୍ମାଣ ପାଇଁ ୨୦୧୯ରେ ଶୁଭ ଦିଆଯାଇଥିଲେ ମଧ୍ୟ ଏହି କାର୍ଯ୍ୟର ଅଗ୍ରଗତି ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ।

ସେହିପରି ଜିଲ୍ଲାର ଉନ୍ନୟନମୂଳକ ଯୋଜନା ଠିକ୍‌ ଭାବରେ କାର୍ଯକାରୀ ନହେବା ଏବଂ ଜିଲ୍ଲାରେ ନିଯୁକ୍ତିର ଭିତ୍ତିଭୂମିର ଅଭାବ ଯୋଗୁଁ ପ୍ରତ୍ୟେକ ବ‌ର୍ଷ ୧୫ ହଜାରରୁ ଅଧିକ ଲୋକ ବାହାର ରାଜ୍ୟକୁ ଦାଦାନ ଖଟିଯାଉଛନ୍ତି। ଜିଲ୍ଲାରେ ଏହିପରି ଅନେକ ପ୍ରସଙ୍ଗ ରହିଥିଲେ ମଧ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ପ୍ରସଙ୍ଗଭିତ୍ତିକ ଲଢ଼େଇରୁ ନିଜକୁ ଦୂରେଇ ରଖିବା ଆସନ୍ତା ସାଧାରଣ ନିର୍ବାଚନରେ ସେମାନଙ୍କ ପାଇଁ ମହଙ୍ଗା ପଡ଼ିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ନିର୍ବାଚନ ପାଖେଇଲେ ଉଭୟ ବିଜେପି ଓ କଂଗ୍ରେସ ଦଳ ରଣ ହୁଙ୍କାର ଦେଉଛନ୍ତି। କିନ୍ତୁ ନିର୍ବାଚନ ପରେ ଲୋକଙ୍କ ନିକଟତର ହେବା ପାଇଁ ପ୍ରସଙ୍ଗ ଭିତ୍ତିକ ଲଢ଼େଇଇ କରୁନଥିବାରୁ ଲୋକେ ଉଭୟ ଦଳକୁ ଗ୍ରହଣ କରୁନଥିବା ଚର୍ଚ୍ଚାର ବିଷୟ ହୋଇଛି।