ଭୁବନେଶ୍ବର : ବାଲେଶ୍ବର ଜିଲ୍ଲାର ସୁବର୍ଣ୍ଣରେଖା ମୁହାଣରେ ବନ୍ଦର ପ୍ରତିଷ୍ଠା ପାଇଁ ୨୦୦୮ ମସିହାରେ ସରକାର ଘରୋଇ ସଂସ୍ଥା ସହ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ବନ୍ଦର ପ୍ରତିଷ୍ଠା ପାଇଁ ୨୦୧୦ ମସିହାରେ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ବନ୍ଦର ନିର୍ମାଣ ଆରମ୍ଭ ହୋଇପାରି ନାହିଁ। ଆଜି ବିଧାନସଭାରେ ଏ ସମ୍ପର୍କରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ଲିଖିତ ପ୍ରଶ୍ନ କରିଥିଲେ। କୋର୍ଟେର ମାମଲା ଯୋଗୁ ଉଭୟ ବନ୍ଦର ନିର୍ମାଣରେ ବିଳମ୍ବ ହୋଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତରରେ ଦର୍ଶାଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଧାମରା ଓ ଗୋପାଳପୁରକୁ ଛାଡ଼ି ରାଜ୍ୟ ସରକାର ଆଉ ୧୨ଟି ସ୍ଥାନରେ ନୂଆ ଅଣବୃହତ ବନ୍ଦର ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନଟ କରିଥିଲେ। ତାହା ମଧ୍ୟରୁ ବାଲେଶ୍ବର ଜିଲ୍ଲାର ସୁବର୍ଣ୍ଣରେଖା ଓ ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ବନ୍ଦର ପ୍ରତିଷ୍ଠା ନିମିତ୍ତ ପ୍ରାରମ୍ଭିକ କାର୍ଯ୍ୟ ଜାରି ରହିଛି। ସୁବର୍ଣ୍ଣରେଖା ମୁହାଣରେ ବନ୍ଦର ପ୍ରତିଷ୍ଠା ପାଇଁ କ୍ରିଏଟିଭ୍ ପୋର୍ଟ ଡେଭଲପ୍ମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ସହ ସରକାର ଚୁକ୍ତି କରିଥିଲେ। ଓଡ଼ିଶା ବନ୍ଦର ନୀତି-୨୦୦୪ ବିରୋଧରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ବିଚାରାଧୀନ ଥିଲା ଓ ଏହି ମାମଲାଟି ୨୦୧୬ ଡିସେମ୍ବରରେ ଫଇସଲା ହେଲା। ଏହା ବାଦ୍ ୨୦୧୭ ଅଗଷ୍ଟରେ ଭାରତ ସରକାରଙ୍କ ଠାରୁ ଉକ୍ତ ବନ୍ଦର ନିର୍ମାଣ ନିମିତ୍ତ ପ୍ରତିରକ୍ଷା କ୍ଲିୟରାନ୍ସ ମିଳିଲା। ବନ୍ଦରକୁ ସଂଯୋଗ କରୁଥିବା ବସ୍ତା-ବାଲିଆପାଳ-ଚଉମୁଖ ସଡ଼କର ସମ୍ପ୍ରସାରଣ ଏବଂ ଅମର୍ଦ୍ଦା ରୋଡ୍ ଷ୍ଟେସନ୍ରୁ ରେଳ ସଂଯୋଗୀକରଣ ନିମିତ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ସେହିପରି ଅସ୍ତରଙ୍ଗରେ ବନ୍ଦର ନିର୍ମାଣ ପାଇଁ ନବଯୁଗ ଇଞ୍ଜିନିୟରିଂ କମ୍ପାନି ସହ ସରକାର ଚୁକ୍ତି କରିଥିଲେ। ଏହି ବନ୍ଦରର ପ୍ରତିଷ୍ଠା ନିମିତ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁ ରହିଥିଲା ବେଳେ ଉକ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି କ୍ଷତିଗ୍ରସ୍ତ ୭ଟି ଗ୍ରାମର ଅଧିବାସୀ ୨୦୧୪ ମସିହାରେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଛି, ଯାହା କି ଏବେ ବିଚାରାଧୀନ ଅଛି। ସେଥି ପାଇଁ ବନ୍ଦର କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ।
ନଦୀ ଭିତ୍ତିକ ବନ୍ଦର ସମ୍ପର୍କରେ ମନ୍ତ୍ରୀ ଜଣାଇଛନ୍ତି, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଆଖଡ଼ାଶାଳି ଗ୍ରାମର ମହାନଦୀ ତଟରେ ଏକ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏହି ବନ୍ଦରର ବିକାଶ ନିମିତ୍ତ ବିକାଶ ସଂସ୍ଥା ଚୟନ ପ୍ରକ୍ରିୟା ଚାଲୁ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/port.jpg)