ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସି ରାସଗୋବିନ୍ଦପୁର ବ୍ଲକ ଟିକପଡ଼ାଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓ କରଞ୍ଜିଆ ବ୍ଲକ ହାତୀବାରୀଠାରେ ବହୁ ପ୍ରତୀକ୍ଷିତ ଦେଓ ଜଳସେଚନ ପ୍ରକଳ୍ପକୁ ନବୀନ ଉଦ୍‌ଘାଟନ କରିଛନ୍ତି।

ଆଜି ମୟୂରଭଞ୍ଜ ଗସ୍ତରେ ଆସି ରାସଗୋବିନ୍ଦପୁର ବ୍ଲକ ଟିକିରିପଡ଼ାରେ ଅସ୍ଥାୟୀ ହେଲିକେପ୍ଟର ପଡ଼ିଆରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଥିଲେ। ପରେ ରାସଗୋବିନ୍ଦପୁର ବ୍ଲକ ଟିକପଦାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ୧୭ ହଜାର ୧୨୧ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ମୟୂରଭଞ୍ଜର ୧୧ ହଜାର ୬୮୮ ହେକ୍ଟର ଓ ବାଲେଶ୍ୱରର ୫,୪୩୩ ହେକ୍ଟର ଚାଷ ଜମି ଜଳସେଚିତ ହେବ ।

ମୟୂରଭଞ୍ଜର ୭ଟି ବ୍ଲକର ୬୪ଟି ଗାଁ ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ୨୩ଟି ଗାଁର ଚାଷୀ ଉପକୃତ ହେବେ। ୧୧ଟା ୪୦ରେ କରଞ୍ଜିଆ ସବଡିଭିଜନର ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ପ୍ରାୟ ୫୮ କିଲୋମିଟର ଲମ୍ବା କେନାଲର ଏହି ପ୍ରକଳ୍ପ ଦ୍ୱାରା ୩ଟି ବ୍ଲକର ୯ ହଜାର ୯୦୦ ହେକ୍ଟର ଚାଷଜମି ଜଳସେଚିତ ହେବ। ପଡ଼ୋଶୀ କେନ୍ଦୁଝର ସାହାରପଡ଼ା ବ୍ଲକର ୩୨୨୩ ହେକ୍ଟର ଚାଷଜମିକୁ ମଧ୍ୟ ପ୍ରକଳ୍ପ ପାଣି ଯୋଗାଇବ। ପରୀକ୍ଷାମୂଳକ ଭାବେ ଉଭୟ ପାର୍ଶ୍ଵ ବାମ ଓ ଡାହାଣ କେନାଲରେ ପାଣି ଛଡ଼ାଯିବ। ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ୩୦ହଜାରରୁ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହେବ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ସ୍ବାଗତ ଭାଷଣ ଦେଇଥିବା ବେଳେ ମନ୍ତ୍ରୀ ଅଶ୍ବିନୀ ପାତ୍ର, ବିଧାୟକ ସାଦାମ ମାର୍ଣ୍ଡି ଓ ରାଜକିଶୋର ଦାସ ପ୍ରମୁଖ ଭାଷଣ ଦେଇଥିଲେ। ୫-ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର