ଗତିଶୀଳ ହେଲା ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପ : ଇଚ୍ଚା ଡ୍ୟାମ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ନୋଟିସ୍

ରାଇରଙ୍ଗପୁର : ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ପ୍ରକଳ୍ପର ଇଚ୍ଚା ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଦୀର୍ଘ ତିନି ଦଶନ୍ଧି ଧରି ଶୀତଳ ଭଣ୍ଡାରରେ ପଡ଼ିଥିବା ବେଳେ ଏବେ ପୁଣି ଗତିଶୀଳ ହେଉଛି। ଜଳଭଣ୍ଡାର ନିର୍ମାଣ ପାଇଁ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତବର୍ତ୍ତୀ ତିରିଂ, ଜାମଦା, ବହଳଦା ତହସିଲ ଅଂଚଳରେ ବାକି ଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ପ୍ରଶାସନ ପୁଣି ଗତିଶୀଳ କରୁଥିବା ଜଣାପଡ଼ିଛି। ବହଳଦା ତହସିଲ ଅଂଚଳରେ ଜମି ଅଧିଗ୍ରହଣ ବାକି ଥିବା ପାଖାପାଖି ୩୫.୩୮ ଏକର ଜମି ପଟ୍ଟାଧାରୀଙ୍କୁ ନୋଟିସ୍ କରାଯାଇଛି। ସମ୍ବିଧାନିକ ଅନୁଚ୍ଛେଦ ୨୫୮ର ଖଣ୍ଡ (୧)ରେ ଅର୍ପିତ କ୍ଷମତା ପ୍ରୟୋଗ କ୍ରମେ ଓଡ଼ିଶା ସରକାରଙ୍କ ଘୋଷଣା ସଂଖ୍ୟା ୯୩୨୦ ତା୨୫/୨/୨୦୨୦ ଅନୁଯାୟୀ ପ୍ରକଳ୍ପ ଉଦ୍ଦେଶ୍ୟରେ ବହଳଦା ନଂ. ୨ ମୌଜାର ଜମି ପଟ୍ଟାଧାରୀଙ୍କୁ ନୋଟିସ୍ କରାଯାଇଛି। ସରକାରଙ୍କ ଭୂମି ଅର୍ଜନ ନିୟୋଜିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ବଚ୍ଛତା ଆଇନ-୨୦୧୩ ଧାରା ୧୯(୧) ବ୍ୟବସ୍ଥା ଅନୁଯାୟୀ ଓଡ଼ିଶା ସରକାର ଉକ୍ତ ଜମି ଅଧିଗ୍ରହଣ କରିବାକୁ ଯାଉଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ,ବାରିପଦାର ଭୂମି ଅର୍ଜନ ମହାମଣ୍ଡଳ ଅଧିକାରୀଙ୍କ ପକ୍ଷରୁ ଅଧିଗ୍ରହଣ କରିବାକୁ ଥିବା ଜମିର ନକ୍ସା ପ୍ରଦାନ କରାଯାଇଛି। ତେବେ ଉକ୍ତ ପ୍ରକଳ୍ପ ନିର୍ମାଣ ଦ୍ବାରା ସୀମାନ୍ତବର୍ତ୍ତୀ ତିରିଂ ତହସିଲ ଅଂଚଳର ଅଧିକ ସଂଖ୍ୟକ ଗ୍ରାମ ପ୍ରଭାବିତ ହେଉଥିବାରୁ ଅଂଚଳବାସୀ ନୂଆ ଭୂଅର୍ଜନ ଓ ଥଇଥାନ ଆଇନ-୨୦୧୩ ମୁତାବକ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରି ଆସୁଛନ୍ତି। ଯାହାକୁ ନେଇ ଅଂଚଳବାସୀ ଦୀର୍ଘଦିନରୁ ଆନ୍ଦୋଳନ କରି ଆସୁଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କୁ ବିଭାଗୀୟ କର୍ତ୍ତୃପକ୍ଷ କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ସେନେଇ ଅଂଚଳବାସୀ ଅପେକ୍ଷାରେ ରହିଛନ୍ତି।

୧୯୮୨-୮୩ ମସିହାରେ ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ପ୍ରକଳ୍ପ ଅଧୀନରେ ଇଚ୍ଚା ଜଳଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଥିଲା। ଝାଡ଼ଖଣ୍ଡ ଓ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଂଚଳରେ ଏହି ଜଳଭଣ୍ଡାର ନିର୍ମାଣର ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପ ଦ୍ବାରା ମୟୂରଭଞ୍ଜ ଜିଲ୍ଲାର ୩୬ଟି ସୀମାନ୍ତବର୍ତ୍ତୀ ଗ୍ରାମ ପ୍ରଭାବିତ ହେଉଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପ୍ରବାହିତ ଖଡ଼ଖାଇ ନଦୀ ଉପରେ ଏହି ଡ୍ୟାମ୍ ନିର୍ମାଣକୁ ଉଭୟ ରାଜ୍ୟବାସୀ ବିରୋଧ କରି ଆସୁଥିଲେ। ବିଶେଷ କରି ଝାଡ଼ଖଣ୍ଡ ରାଜ୍ୟର ଆଦିବାସୀ ଅଧ୍ୟୁସିତ ଗ୍ରାମର ଲୋକେ ଏହି ପ୍ରକଳ୍ପକୁ ତୀବ୍ର ବିରୋଧ କରି ପ୍ରଜାମେଳି କରି ଆସୁଛନ୍ତି। ଝାଡ଼ଖଣ୍ଡ ରାଜ୍ୟରେ କ୍ଷମତାରେ ଥିବା ଜେଏମ୍ଏମ୍ ନେତୃତ୍ବାଧୀନ ସରକାର ପୂର୍ବରୁ ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଲୋକଙ୍କ ବିରୋଧକୁ ଲକ୍ଷ୍ୟ କରି ସମର୍ଥନ କରିଥିଲା। ଯାହାକୁ ନେଇ ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀତଳଭଣ୍ଡାରକୁ ଚାଲିଯାଇଥିଲା। ୧୯୯୦ ମସିହାରେ ତିରିଂ ବ୍ଲକର ବଡ଼ନାରାଣୀ,କୁଲୁଘୁଟୁ, ଲୁପୁଙ୍ଗ ଓ ପଣ୍ଡୁପାଣି ପଞ୍ଚାୟତର ଅଧିକାଂଶ ଗ୍ରାମରେ ଜମି ଅଧିଗ୍ରହଣ କାର୍ଯ୍ୟ ହୋଇଥିଲା। ଏହି ସମୟରେ ପ୍ରଥମ ପର୍ଯ୍ୟାୟରେ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ଯାହାକି କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି କ୍ଷତିପୂରଣ ମିଳୁଥିବା ପ୍ରତିବାଦରେ ଆନ୍ଦୋଳନ କରିଆସୁଛନ୍ତି। ଏପରିକି ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ କ୍ଷତିଗ୍ରସ୍ତ ଗ୍ରାମବାସୀ ଭୋଟ୍ ବର୍ଜନ କରି ପୁଣି ଚର୍ଚ୍ଚାକୁ ଆସିଥିଲେ। ପୁରୁଣା ଆଇନରେ ମିଳୁଥିବା କ୍ଷତିପୂରଣ ରାଶି ବହୁତ କମ୍ ହୋଇଥିବାରୁ ସେଥିରେ କ୍ଷତିଗ୍ରସ୍ତ ଲୋକେ ଜାଗା ଓ ଘର ନିର୍ମାଣ ହୋଇପାରୁନଥିବାରୁ ଅଂଚଳବାସୀ ଅସନ୍ତୋଷ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର