ସୁବର୍ଣ୍ଣରେଖା କେନାଲ ପାଇଁ ଶାଗ ମାଛ ଦରରେ ଆଦିବାସୀ ଜମିଗ୍ରହଣ ପାଇଁ ଉଦ୍ୟମ

ବେତନଟୀସଦର: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳ ଦେଇ ଯାଉଥିବା କେନାଲ ପାଇଁ ଜମି ଅଧିଗ୍ରହଣ ଚାଲିଥିବାବେଳେ ଗଡ଼ଦେଉଳିଆ ପଞ୍ଚାୟତର ବାଳିଆପିଟା ଠାରେ ଜମି ଅଧିଗ୍ରହଣ ନେଇ ବୁଧବାର ମଧ୍ୟାହ୍ନରେ ସୃଷ୍ଟି ହୋଇଛି ଉତ୍ତେଜନା। ଗ୍ରାମର ଶତାଧିକ ଆଦିବାସୀ ଲୋକମାନେ ତାଙ୍କ ଚାଷଜମିକୁ ଶାଗ ମାଛ ଦରରେ ଦେବେନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ ଏବଂ ଉଚିତ ମୂଲ୍ୟ ପାଇଁ ଦାବି କରିଥିଲେ।

ସୂଚନା ଅନୁଯାଇ ବୈଶିଙ୍ଗା ପଞ୍ଚାୟତର ଜମି ଅଧିଗ୍ରହଣ ପରେ ଏବେ ଗଡ଼ଦେଉଳିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜମି ଅଧିଗ୍ରହଣ ଚାଲିଛି। ଏହି କ୍ରମରେ ଆଜି ସୁବର୍ଣ୍ଣରେଖା ପ୍ରକଳ୍ପର ଭୂମି ଅର୍ଜନ ମହାମଣ୍ଡଳ ଅଧିକାରୀ ଚକମଣୀ ପାତ୍ର ଏବଂ ରାଜସ୍ବ ନିରୀକ୍ଷକ ପ୍ରସନ୍ନଜିତ ମୁର୍ମୁ ଅନ୍ୟ ଅଧିକାରୀଙ୍କ ସହିତ ଆସି ଆଜି ବାଳିଆପିଟା ଗ୍ରାମରେ ପହଞ୍ଚିଥିଲେ। ଉକ୍ତ ଗ୍ରାମର ୨୦୦ରୁ ଊର୍ଦ୍ଧ୍ବ ପରିବାର ବାସ କରୁଥିବାବେଳେ ୯୫ ପ୍ରତିଶତ ଲୋକ ଆଦିବାସୀ ସମ୍ପ୍ରଦାୟର ଏବଂ ପୁରା ଗ୍ରାମବାସୀଙ୍କ ପାଖରେ ମାତ୍ର ୧୫ଏକର ପାଖାପାଖି ଚାଷ ଜମି ରହିଛି। ନିଜ ନିଜ ପାଖରେ ବହୁତ କମ ପରିମାଣରେ ଚାଷ ଜମି ଥିବାବେଳେ ସେମାନେ ସେଇଥିରୁ ତାଙ୍କ ପରିବାରର ବର୍ଷକର ଖାଦ୍ୟ ଅମଳ କରିଥାନ୍ତି। ଏବେ ତାଙ୍କ ଚାଷ ଜମି ଦେଇ ସୁବର୍ଣ୍ଣରେଖା କେନାଲ ଯିବାକୁ ବସିଥିବାବେଳେ ଜମି ଅଧିଗ୍ରହଣ ନେଇ ଆଜି ଅଧିକାରୀମାନେ ଗ୍ରାମରେ ପହଞ୍ଚିଥିଲେ।ହେଲେ ସେମାନେ ଚାଷ ଜମିର ଧାର୍ଯ୍ୟ ମୂଲ୍ୟ ଡ଼ିସିମିଲକୁ ମାତ୍ର ୧୫ ଶହ ଟଙ୍କା ଦେବାନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ, ଯାହାକୁ ନେଇ ଗ୍ରାମବାସୀ ଉତ୍ତେଜିତ ହୋଇଥିଲେ ।

ଅଧିକାରୀମାନେ କହିଥିଲେ କି ସେଠାରେ ଚାଷଜମିର ଭେଲ୍ୟୁସନ ୧୫ଶହ ଟଙ୍କା ବୋଲି ବେତନଟୀ ସବରେଜିଷ୍ଟର ସୂଚନା ଦେଇଛନ୍ତି। ହେଲେ ଗ୍ରାମବାସୀଙ୍କ କହିବା କଥା କି ସେମାନେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ସରକାରୀ ନିୟମ ଅନୁଯାଇ ବହୁଦିନ ହେବ ସେମାନଙ୍କ ଜମି କିଣାବିକା ହୋଇ ପାରିନାହିଁ। ଯୋଉଁଥିପାଇଁ ସେମାନଙ୍କ ଜମିର ଭେଲ୍ୟୁସନ ବଢିପାରୁନାହିଁ। ହେଲେ ସେମାନେ ସୂଚନା ଅଧିକାର ଆଇନ ବଳରେ ଜାଣିବାକୁ ପାଇଥିଲେ କି ତାଙ୍କ ଜମିକୁ ଲାଗି ଥିବା ସାଧାରଣବର୍ଗର ଜମି ୨୦୨୦ ମସିହାରେ ଡ଼ିସିମିଲ ପିଛା ୨୫ ହଜାର ଟଙ୍କାରେ ବିକ୍ରୟ ହୋଇଥିବାବେଳେ ୨୦୨୧ ମସିହାରେ ଡ଼ିସିମିଲ ପିଛା ୯୦ ହଜାର ଟଙ୍କାରେ ବିକ୍ରୟ ହୋଇଛି। ଫଳରେ ସେମାନେ ତାଙ୍କ ଜମିକୁ ସେହି ଭେଲ୍ୟୁସନରେ ହିଁ ଦିଆଯାଉ ବୋଲି ଦାବୀ କରିଥିଲେ, ଯାହା ଫଳରେ ସେମାନେ ତାଙ୍କ ଜମିର ଉଚିତ ମୂଲ୍ୟ ପାଇ ନିଜ ପାଇଁ ଅନ୍ୟତ୍ର ଚାଷ ଜମି ଖରିଦ କରିପାରିବେ। ଅନ୍ୟଥା ସେମାନେ ତାଙ୍କ ଜମି ଦେବେନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ। ଏନେଇ ସେମାନେ ଏକତ୍ରିତ ହୋଇ ଗ୍ରାମବାସୀଙ୍କ ଦ୍ୱାରା ସ୍ଵାକ୍ଷରିତ ଏକ ଲିଖିତ ଅଭିଯୋଗ ପତ୍ର ମଧ୍ୟ ଆସିଥିବା ସୁବର୍ଣ୍ଣରେଖା ପ୍ରକଳ୍ପର ଅଧିକାରୀଙ୍କୁ ପ୍ରଦାନ କରିଥୁଲେ। ଏନେଇ ଅଧିକାରୀ ଚକମଣୀ ପାତ୍ର କହିଥିଲେ କି ଗରିବ ଆଦିବାସୀ ଲୋକଙ୍କ କଥାକୁ ବିଚାରକୁ ନିଆଯାଇ ସେ ପାଇଥିବା ଅଭିଯୋଗ ପତ୍ରକୁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିବେ ଓ ତାଙ୍କର ନାର୍ଯ୍ୟ ଦାବୀ ପୁରଣ ପାଇଁ ଚେଷ୍ଟା କରିବେ।

ସମ୍ବନ୍ଧିତ ଖବର