ଆଶା ଆଶଙ୍କାରେ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପ

ବାଲେଶ୍ବର : ଧାମରା ପରେ ଉତ୍ତର ଓଡ଼ିଶା‌ରେ ଆଉ ଏକ ବନ୍ଦରଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେବ। ୫ ହଜାର କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ୨୦ ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇବେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଚଉମୁଖଠାରେ ସୁବର୍ଣ୍ଣରେଖା ନଦୀରେ ବନ୍ଦର ପ୍ରକଳ୍ପ ନେଇ ଲୋକଙ୍କୁ ଏମିତି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ନିଜେ ମୁଖ୍ୟମନ୍ତ୍ରୀ ବାଲେଶ୍ବର ଗସ୍ତରେ ଆସି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ବନ୍ଦର କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଥିଲେ। ଇତିମଧ୍ୟରେ ଦୁଇବର୍ଷ ବିତିଯାଇଥିବା ବେଳେ ପ୍ରକଳ୍ପ କାମ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ। ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୋରଦାର ବିରୋଧ କାରଣରୁ ପ୍ରସ୍ତାବିତ ପ୍ରକଳ୍ପର ଭାଗ୍ୟ ଏବେ ଅନିଶ୍ଚିତତା ଘେରରେ ରହିଛି।

The Quint

ସୁବର୍ଣ୍ଣରେଖା ନଦୀ ବନ୍ଦରକୁ ସବୁଦିନିଆ ବନ୍ଦର ଭାବେ ବିକଶିତ କରିବାକୁ ୨୦୦୮ ମସିହା ଜାନୁଆରି ୧୮ ତାରିଖରେ ଚେନ୍ନାଇର କ୍ରିଏଟିଭ୍ ପୋର୍ଟ ଡେଭଲପ୍‌ମେଣ୍ଟ ଲିମିଟେଡ୍ (ସିପିଡିପିଏଲ୍) ସହ ରାଜ୍ୟ ସରକାର ଏମ୍‌ଓୟୁ କରିଥିଲେ। ଏଥିସହ ପ୍ରସ୍ତାବିତ ବନ୍ଦରରେ ୫୧ ପ୍ରତିଶତ ଅଂଶୀଦାର ହେବାକୁ ୨୦୧୭ ମସିହା ଜାନୁଆରି ମାସରେ ଟାଟା ଷ୍ଟିଲ୍ କ୍ରିଏଟିଭ୍ ପୋର୍ଟ ଡେଭଲପ୍‌ମେଣ୍ଟ ସଂସ୍ଥା ସହ ଚୁକ୍ତି କରିଥିଲା। ୫ ହଜାର କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବାକୁ ଥିବା ଏହି ବନ୍ଦରର ବାର୍ଷିକ ପରିବହନ କ୍ଷମତା ୨୫ ନିୟୁତ ଟନ୍‌ରୁ ୫୫ ନିୟୁତ ଟନ୍‌କୁ ବୃଦ୍ଧି କରିବାକୁ ଯୋଜନା ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୭ଟି ବର୍ଥ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ୨୦୨୨ ମାର୍ଚ୍ଚ ମାସ ଯାଏ ଏହାର ପରିବେଶ ମଞ୍ଜୁରି ବଳବତ୍ତର ଥିବା ଜଣାପଡ଼ିଛି।

TripAdvisor

୨୦୨୧ ଜାନୁଆରି ୫ ତାରିଖରେ ରାଜ୍ୟରେ ପ୍ରସ୍ତାବିତ ବିଭିନ୍ନ ବନ୍ଦର ନିର୍ମାଣର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସୁବର୍ଣ୍ଣରେଖା‌ ବନ୍ଦର ପ୍ରକଳ୍ପର ସମୀକ୍ଷା‌ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା ବେଳେ ଜଣାପଡ଼ିଥିଲା, ବନ୍ଦର ପାଇଁ ଆବଶ୍ୟକ ୯୬୫.୧୮୦ ଏକର ଜମିରୁ ୬୯୨.୬୮୦ ଏକର ଜମି ବନ୍ଦର ବିକାଶ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି ଏବଂ ଅବଶିଷ୍ଟ ଜମି ଜବରଦଖଲକାରୀ ଓ ଭୂଦାନ ଯଜ୍ଞ ସମିତି ଅଧୀନରେ ରହିଛି। ଜବରଦଖଲ ଜମିଗୁଡ଼ିକୁ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ସହ ସରକାରୀ ଜମି ପ୍ରତିବଦଳରେ ଭୂଦାନ ଯଜ୍ଞ ସମିତି ଅଧୀନସ୍ଥ ଜମି ଅଧିଗ୍ରହଣ ନିମନ୍ତେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସେହିପରି ବନ୍ଦର ପ୍ରତିଷ୍ଠା ପାଇଁ ରେଳପଥର ସଂଯୋଗୀକରଣ ନିମନ୍ତେ ୨୪୪.୯୪ ଏକର ଜମି ଲୋଡ଼ା। ସେଥିମଧ୍ୟରୁ ୪୩.୪୮ଏକର ସରକାରୀ ଜମି ରହିଥିବା ବେଳେ ୧୯୭.୧୮ଏକର ବେସରକାରୀ ଏବଂ ୪.୨୪ ଏକର ଜମି ଭୂଦାନ ଯଜ୍ଞ ସମିତି ଦଖଲରେ ରହିଛି। ଏହି ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିସହ ବସ୍ତା-ବାଲିଆପାଳ-ଚଉମୁଖ ମୁଖ୍ୟ ସଡ଼କର ରକ୍ଷଣାବେକ୍ଷଣ ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଛି। ଏହି ସଡ଼କପଥକୁ ଓସାରିଆ ତଥା ଉନ୍ନତୀକରଣ ନିମନ୍ତେ ୪୪.୮୭ ଏକର ଜମିର ଆବଶ୍ୟକତା ରହିଥିବା ବେଳେ ଏବେ ଜମି ଅଧିଗ୍ରହଣ ଚାଲିଥିବା ସୂଚନା ଦିଆଯାଇଛି। ତେବେ ପ୍ରକଳ୍ପ ବିରୋଧରେ ଅଞ୍ଚଳବାସୀ ବାରମ୍ବାର ମେଳି କରୁଥିବାରୁ ପ୍ରସ୍ତାବିତ ବନ୍ଦର ଇଲାକାରେ ଇଟା ଖଣ୍ଡେ ପଡ଼ି ପାରିନାହିଁ, ଏହା ହିଁ ଆଜି ଦିନର ବାସ୍ତବତା।

ସମ୍ବନ୍ଧିତ ଖବର