ଜଳେଶ୍ବର, (ସତ୍ୟବ୍ରତ ପ୍ରଧାନ): ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ୬ଟି ଜିଲ୍ଲା ଦେଇ ପ୍ରବାହିତ ଚିରସ୍ରୋତା ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଖଣି କାର୍ଯ୍ୟକଳାପ ସହ ବେଆଇନ ବାଲି ଉତ୍ତୋଳନ ଚରମସୀମାରେ ପହଞ୍ଚି ଥିବାରୁ ଏହାର ପରିଣାମ ସ୍ବରୂପ ନଦୀ ଦିନକୁ ଦିନ ଶୁଷ୍କ ଓ ପ୍ରଦୂଷିତ ହେବାରେ ଲାଗିଛି। ଏହି ପ୍ରଦୂଷଣର ଗଭୀର ପ୍ରଭାବ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲକ୍ଷଲକ୍ଷ ଲୋକଙ୍କ ଜୀବନଜୀବିକା ଉପରେ ପଡ଼ିଥିବା ଦେଖାଯାଇଛି।

Advertisment

ସୁବର୍ଣ୍ଣରେଖା ନଦୀ ଦେଶର ଯେ କୌଣସି ଆନ୍ତଃରାଜ୍ୟ ନଦୀମାନଙ୍କ ମଧ୍ୟରେ ସବୁଠାରୁ ଛୋଟ ନଦୀ। ଏହି ନଦୀର ମୋଟ ଦୈର୍ଘ୍ୟ ୩୯୫ କିମି ହୋଇଥିବା ବେଳେ ଅବବାହିକା ଅଞ୍ଚଳ ୧୮୯୫୧ ବର୍ଗ କିମି ଅଟେ। ଝାଡ଼ଖଣ୍ଡର ରାଞ୍ଚି ନିକଟସ୍ଥ ଛୋଟନାଗପୁର ମାଳଭୂମିରୁ ଏହି ନଦୀ ବାହାରି ବାଲେଶ୍ବର ଜିଲ୍ଲା କୀର୍ତ୍ତନିଆ ନିକଟରେ ସମୁଦ୍ରରେ ମିଶିଛି। ଝାଡ଼ଖଣ୍ଡର ଷଢ଼େଇକଳା, ଖରସୁଆଁ, ପୂର୍ବସିଂହଭୂମ, ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଓ ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ଦେଇ ସୁବର୍ଣ୍ଣରେଖା ପ୍ରବାହିତ। କୁହାଯାଏ ଏକଦା ନଦୀର ଉତ୍ପତ୍ତିସ୍ଥଳ ଜୈବ ବିବିଧତା ପାଇଁ ସମଗ୍ର ଦେଶରେ ସ୍ବତନ୍ତ୍ର ପରିଚୟ ପାଇଥିଲା। ଏହି ସ୍ଥଳରୁ ଖଣ୍ଡ ଖଣ୍ଡ ସୁନା ନଦୀ ଗର୍ଭକୁ ଭାସି ଆସୁଥିଲା। ସେହିପରି ମାଳଭୂମିରୁ କଳକଳ ନାଦ କରି ଝରି ଆସୁଥିବା ଝରଣାର ନିଆରା ସୌନ୍ଦର୍ଯ୍ୟ ପ୍ରକୃତିପ୍ରେମୀଙ୍କୁ ବିମୋହିତ କରୁଥିଲା। ହେଲେ ଗତ କିଛି ବର୍ଷ ଧରି ଏହି ସ୍ଥାନରେ ଥିବା ସବୁଜ ବନାନୀ ନଷ୍ଟ ହେବାରେ ଲାଗିଛି। ଝରି ଆସୁଥିବା ଝରଣା ଶୁଷ୍କ ହେବା ସହ କ୍ରମଶଃ ନଦୀଶଯ୍ୟାର ତଳକୁ ତଳକୁ ଗତି କରୁଛି। ଦେଖାଯାଉଛି ଡିସେମ୍ବର ଠାରୁ ମେ ମାସ ଯାଏ ନଦୀର ୩୯୫ କିମି ଅଞ୍ଚଳରେ ନଦୀ ଶୁଖିଲା ହୋଇଯାଉଛି। ଆଗଭଳି ଆଉ ବିଭିନ୍ନ ପ୍ରଜାତିର ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ି ମଧ୍ୟ ଦେଖିବାକୁ ମିଳୁନାହାନ୍ତି।

ନଦୀ ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ପାଇଁ ସୁବର୍ଣ୍ଣରେଖା ପାଣି ଆଶୀର୍ବାଦ ବୋଲି ବିବେଚନା କରା ଯାଉଥିଲା। ହେଲେ ପରିବର୍ତ୍ତିତ ପରିସ୍ଥିତିରେ ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ନଦୀର ଉପରମୁଣ୍ଡ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ବହୁ ଖଣି ଓ ଖଣିଜ ପ୍ରକ୍ରିୟାକରଣ ଶିଳ୍ପ ହିଁ ଏହା ମୁଖ୍ୟ କାରଣ ବୋଲି କୁହାଯାଉଛି। ଖଣି ଓ କାରଖାନା ଗୁଡ଼ିକ ନଦୀର ଅତି ନିକଟରେ ପ୍ରତିଷ୍ଠା ହୋଇଥିବା ବେଳେ ଖଣି ଗୁଡ଼ିକରୁ ନିର୍ଗତ ବର୍ଜ୍ୟଜଳ ଓ ଜଳ ସହ ଭାସି ଆସୁଥିବା ବିଭିନ୍ନ କଠିନ ବସ୍ତୁ ହିଁ ନଦୀର ପ୍ରବହମାନତା ନଷ୍ଟ କରିଛି। ଝାଡ଼ଖଣ୍ଡରେ ୟୁରାନିୟମ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡର ଏକାଧିକ ଉତ୍ପାଦନକାରୀ ଖଣି ରହିଥିବା ବେଳେ ଏହି ଖଣିରୁ ନିର୍ଗତ ହେଉଥିବା ଏକ ପ୍ରକାରର ବିଷାକ୍ତ ପଦାର୍ଥ ହିଁ ସୁବର୍ଣ୍ଣରେଖା ପାଣିକୁ ବିଷାକ୍ତ କରୁଛି। ଏହା ବ୍ୟତୀତ ଝାଡ଼ଖଣ୍ଡର ଜାମସେଦପୁର ଇସ୍ପାତ କାରଖାନା ଯୋଗୁ ମଧ୍ୟ ନଦୀପାଣି ପ୍ରଦୂଷିତ ହେଉଛି ବୋଲି ନିୟମିତ ଅଭିଯୋଗ ହୋଇଆସୁଛି। ତେବେ ଏପରି ଅଭିଯୋଗକୁ ଟାଟା କର୍ତ୍ତୃପକ୍ଷ କିନ୍ତୁ ମାନିବାକୁ ରାଜି ନୁହନ୍ତି। ସବୁଠାରୁ ବଡ଼ କଥା ଜାମସେଦପୁର ସହରର ଡ୍ରେନ ପାଣି ମଧ୍ୟ ସିଧାସଳଖ ନଦୀରେ ମିଶୁଛି। ଏହା ବ୍ୟତୀତ ସୁବର୍ଣ୍ଣରେଖା କୂଳରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଅନେକ ଛୋଟବଡ଼ କାରଖାନା ପ୍ରତିଷ୍ଠା ହୋଇଥିବା ବେଳେ ଏସବୁ ୟୁନିଟରେ କୋଇଲା ଧୋଇବା, ଲୁହା ତରଳାଇବା, ବିଦ୍ୟୁତ ଉତ୍ପାଦନ ଆଦି କାରଣ ନଦୀକୁ ଅଧିକ ପ୍ରଦୂଷିତ କରିଛି। ସେହିପରି ସୁବର୍ଣ୍ଣରେଖା ଅବବାହିକା ଅଞ୍ଚଳରେ ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପ ନିର୍ମାଣ ସମୟରେ ପରିବେଶ ଦିଗକୁ ଯଥେଷ୍ଟ ଅନୁଶୀଳନ କରାଯାଇ ନଥିବାରୁ ନଦୀର ପ୍ରବାହ ଓ ପରିବେଶ ଉପରେ ଏହାର ପ୍ରଭାବ ପଡ଼ିଛି। ନଦୀ ଅବବାହିକାର ଉପର ମୁଣ୍ଡରୁ ତଳ ମୁଣ୍ଡ ଯାଏ ଉଭୟ ପାର୍ଶ୍ବରେ ପୂର୍ବରୁ ସବୁଜ ବନାନୀ ରହିଥିବା ବେଳେ ଏବେ ସେ ସବୁ ସଫା ହେବାକୁ ବସିଛି। ଯଦ୍ୱାରା ମୃତ୍ତିକା କ୍ଷୟ ହେବା ସହ ନଦୀଶଯ୍ୟା ଧାତୁ, ପଥର, ଖଣିଜ ସମ୍ପଦରେ ପୋତି ହେବାରେ ଲାଗିଛି। ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ସବୁ ସ୍ଥାନରେ ନଦୀ ଗର୍ଭରୁ ପ୍ରତିଦିନ ପରିବେଶ ଆଇନ ଉଲ୍ଲଘଂନ କରି ବେଆଇନ ଭାବେ ଲକ୍ଷଲକ୍ଷ ଟନ ବାଲି ଉତ୍ତୋଳନ ମଧ୍ୟ ନଦୀ ପରିବେଶ ବିଗିଡ଼ିବାର ଏକ ପ୍ରମୁଖ କାରଣ।

ଲକ୍ଷଲକ୍ଷ ଲୋକଙ୍କ ଜୀବନଜୀବିକାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସୁବର୍ଣ୍ଣରେଖାର ଜଳଧାର ଶୁଖିଯିବା ସହ ଏହାର ପାଣି ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ବୋଲି କହିଛନ୍ତି ସୁବର୍ଣ୍ଣରେଖା ନଦୀତଟରେ ଗାଁ ମୁଣତୁଣିଆ ଗ୍ରାମବାସୀ ତଥା ପୂର୍ବତନ ସରପଞ୍ଚ ସତ୍ୟ ଶୋଭନ ମିଶ୍ର। ନଦୀର ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଗୁରୁତ୍ବ ହେବା ଆବଶ୍ୟକ ବୋଲି କହିଛନ୍ତି ବିଶିଷ୍ଟ ସାରସ୍ବତ ସାଧକ ବିପିନ ବିହାରୀ ବିଶ୍ବାଳ। ସେହିପରି ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପରିବେଶବିତମାନେ କହିଛନ୍ତି।