ସୋନପୁର: ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସୁବର୍ଣ୍ଣ ଲୋକମହୋତ୍ସବ-୨୦୨୩ ଶନିବାର ରାମେଶ୍ବର ଷ୍ଟାଡିୟମସ୍ଥିତ ଫକିର ପଟ୍ଟନାୟକ ମୁକ୍ତମଞ୍ଚରେ ନୃତ୍ୟ, ସଙ୍ଗୀତ ମହାପାର୍ବଣକୁ ନେଇ ଉଦ୍‌ଘାଟିତ ହୋଇଛି। ଶନିବାର ସକାଳେ ମା’ ସୁରେଶ୍ବରୀଙ୍କୁ ଆବାହନ ଓ ପୂଜନ କରାଯିବା ସହିତ ଏକ ମଶାଲ ଶୋଭାଯାତ୍ରା ସାଂସ୍କୃତିକ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପରେ ମଞ୍ଚରେ ପୂଜନ କରାଯାଇଥିଲା। ଏଥିରେ ଏସ୍‌ପି ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନିଶି ପୁନମ ମିଞ୍ଜ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ ତଥା ବିଭିନ୍ନ ଅଧିକାରୀ ଏବଂ ଜନସାଧାରଣ ସାମିଲ ଥିଲେ।

Advertisment

ସନ୍ଧ୍ୟାରେ ପ୍ରଥମେ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳାକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ପରେ ଫକିର ଫଟ୍ଟନାୟକ ମୁକ୍ତମଞ୍ଚରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ ସନ୍ଧ୍ୟା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ସୁବର୍ଣ୍ଣପୁର ଜିଲ୍ଲା ହେଉଛି ଐତିହ୍ୟ ଓ ସଂସ୍କୃତିସମ୍ପନ୍ନ ଜିଲ୍ଲା। ଗୋଟିଏ ଅଞ୍ଚଳର ଐତିହ୍ୟ, ସଂସ୍କୃତିର ବିକାଶକୁ ବାଦ୍‌ ଦେଇ ବିକାଶର କଥା ଚିନ୍ତା କରାଯାଇ ପାରେନା। ସୁବର୍ଣ୍ଣପୁର ଜିଲ୍ଲା କଳା, ସଂସ୍କୃତିର ଜିଲ୍ଲା।

ଏହାର ଉନ୍ନତି ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ମହାନଦୀରେ ଖଇରମାଳ ବ୍ୟାରେଜ ନିର୍ମାଣ ପାଇଁ ଉଦ୍ୟମ ଜାରି ରହିଛି। ଅର୍ଥନୀତିରେ ଭାରତ ବର୍ଷରେ ଓଡ଼ିଶା ଏକ ନମ୍ବର ହୋଇ ପାରିଛି। ନବୀନ ସରକାର ହେଉଛି ଲୋକଙ୍କ ସରକାର ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ। ସୁବର୍ଣ୍ଣ ଲୋକମହୋତ୍ସବରେ ବୁଣାକରମାନଙ୍କ ପାଇଁ ସିଲ୍କ କରିଡର କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ। ବିଧାୟକ ଶ୍ରୀ ବେହେରା କହିଲେ ଯେ ସୁବର୍ଣ୍ଣପୁର ଜିଲ୍ଲା ଗଠନ ହେବା ପରଠାରୁ ଜିଲ୍ଲାର ବିକାଶ ଧାରା ଜାରିରହିଛି।

ବିଜୁବାବୁଙ୍କ ସୁବର୍ଣ୍ଣପୁର ସ୍ବପ୍ନ ସାକାର ହୋଇଛି। ଏହି ଅବସରରେ ସ୍ମରଣିକା ‘ଶାକ୍ତସ୍ବର’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଭୀମ ଭୋ‌ଇ କଳା ପରିଷଦ ପକ୍ଷରୁ ଉମେଶ କୁମ୍ଭାର ଓ ସାଥୀ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ। ଗ୍ରନ୍ଥାଗାରିକ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ। ପରେ ସୋନପୁର ଉପଜିଲ୍ଲାପାଳ ଡ. ଇପ୍‌ସିତା ମିଶ୍ରଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସୁଜତା ମହାପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ମୁନମୁନ ସିଂହଙ୍କ ସଂଯୋଜନାରେ ଓଲିଉଡ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ଅର୍ପିତା ଚୌଧୁରୀ, ସଂଜୁ ମହାନ୍ତି ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଓଲିଉଡ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ବିଭୋର ହୋଇଥିଲେ ଦର୍ଶକ। ଏଥିରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ୍‌ ଅଧ୍ୟକ୍ଷ, ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତଥିଲେ।