ଭୁବନେଶ୍ବର : ଓଡ଼ିଶା ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ(ଓପିଡିସି) ଅଧ୍ୟକ୍ଷ ଭାବେ ସୁବାସ ଚନ୍ଦ୍ର ପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବାହ୍ନରେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ଖଦୀ ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ୟୁନିଟ୍-୮ସ୍ଥିତ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଶ୍ରୀ ପାତ୍ର କହିଛନ୍ତି ଯେ ମତ୍ସ୍ୟଜୀବୀଙ୍କ ହିତ ପାଇଁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ଏକାଧିକ ଯୋଜନା ପ୍ରଣୟନ କରାଯାଇ ମତ୍ସ୍ୟଜୀବୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଆଗାମୀ ଦିଗରେ ସରକାରଙ୍କ ପ୍ରତିଟି ଯୋଜନା ଯେପରି ତୃଣମୂଳସ୍ତରରେ ପହଞ୍ଚିପାରିବ ସେଥିପ୍ରତି ଗୁରୁତ୍ବ ଦିଆଯିବ। ଓଡ଼ିଶା ଯୁବ ଉଦ୍ୟୋଗୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମାଛ ଚାଷ କରି କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେଥିପାଇଁ ରୂପରେଖ ପ୍ରସ୍ତୁତ କରାଯିବ। ଓଡ଼ିଶାରୁ ଉତ୍ପାଦିତ ହେଉଥିବା ମାଛ କିଭଳି ବାହାରକୁ ରପ୍ତାନୀ କରାଯିବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।