ସୁବାସ ଚୌହାନଙ୍କ ଅକାଳ ବିୟୋଗ, ପଶ୍ଚିମ ଓଡ଼ିଶାରେ ଶୋକର ଛାୟା

୮ ମାସ ତଳେ ହୋଇଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ

ବରଗଡ଼ : ଗୁରୁତର ଅସୁସ୍ଥ ଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନ(୫୪)ଙ୍କ ଆଜି ଭୋର୍‌ ୩.୦୫ଟା ବେଳେ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କ ଅକାଳ ବିୟୋଗରେ ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପାର୍ଥିବ ଶରୀରକୁ ସ୍ବତନ୍ତ୍ର ଗାଡ଼ିରେ ଜନ୍ମସ୍ଥାନ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୋଡ଼େନ ଥାନା ଅନ୍ତର୍ଗତ ଆମ୍‌ବାହାଲ ଗାଁକୁ ନିଆଯିବା ପରେ ସେଠାରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ ହୋଇଛି। ଲକ୍‌ଡାଉନ୍‌ ସତ୍ତ୍ବେ ବହୁ ସଂଖ୍ୟାରେ ଲୋକ ତାଙ୍କ ଶେଷଦର୍ଶନ କରିଥିଲେ ଓ ଶେଷକୃତ୍ୟରେ ସାମିଲ ହୋଇଥିଲେ।

ମାତ୍ର ଆଠ ମାସ ତଳେ ୨୦୧୯ ସେପ୍ଟେମ୍ବର ମାସରେ ସୁବାସ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦବିରେ ଅବସ୍ଥାପିତ ହୋଇଥିଲେ। ଏହାପରେ ନିୟମିତ ଭାବେ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ। କିନ୍ତୁ ଗତ ଫେବ୍ରୁଆରି ମାସରୁ ତାଙ୍କୁ ଆଉ ବିଶେଷ ଦେଖିବାକୁ ମିଳିନଥିଲା।

ସାମାଜିକ ଗଣମାଧ୍ୟମରେ ସର୍ବଦା ସକ୍ରିୟ ରହୁଥିବା ସୁବାସ ଫେବ୍ରୁଆରି ମାସରେ ହିଁ ଫେସ୍‌ବୁକ୍‌ରେ ତାଙ୍କର ଶେଷ ପୋଷ୍ଟିଂ କରିଥିଲେ। ଏହି ଅବଧି ମଧ୍ୟରେ ସେ ନିଜ ଯକୃତ ସଂକ୍ରମଣର ଚିକିତ୍ସା ପାଇଁ ବାହାରକୁ ଯାଇଥିଲେ। ପରେ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ସ୍ଥିତି ଦିନକୁ ଦିନ ସ୍ବାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ଆଇସିୟୁ ଓ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଶେଷରେ ନିଜ ଜନ୍ମଦିନର ଦୁଇଦିନ ପରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଦଳମତ ନିର୍ବିଶେଷରେ ବହୁ ବିଶିଷ୍ଟ ବ୍ୟକ୍ତି ସୁବାସ ଚୌହାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

୧୯୬୬ ମସିହା ମେ’ ୮ ତାରିଖରେ ପଦ୍ମପୁର ଉପଖଣ୍ଡ ବୋଡ଼େନ ଥାନା ଅନ୍ତର୍ଗତ ଆମ୍‌ବାହାଲ ଗାଁରେ ସୁବାସ ଜନ୍ମଗ୍ରହଣ କରିଥିଲେ। ପିତା ଶ୍ୟାମସୁନ୍ଦର ଚୌହାନଙ୍କ ପରଲୋକ ଘଟିସାରିଛି। ମା’ ସୁମତି ଚୌହାନ ଏବଂ ଭାଇ ପୀତବାସ ଚୌହାନ ଗାଁରେ ରହୁଛନ୍ତି। ତିନି ଜଣ ଭଉଣୀଙ୍କ ମଧ୍ୟରୁ କେବଳ ଚିତ୍ରା ପାଣ୍ଡେ ବର୍ତ୍ତମାନ ଜୀବିତ। ଆଜୀବନ ଅବିବାହିତ ଓ ଅତି ସାଧାରଣ ଜୀବନଯାପନ କରୁଥିବା ସୁବାସ ବରଗଡ଼ରେ ଏକ ଭଡ଼ା ଘରେ ରହୁଥିଲେ। ସୁବାସ ଦୀର୍ଘବର୍ଷ କାଳ ଆର୍‌ଏସ୍ଏସ୍‌ ଓ ବଜରଙ୍ଗ ଦଳର ସକ୍ରିୟ କାର୍ଯ୍ୟକର୍ତ୍ତା ରହିଥିଲେ। ସେତେବେଳେ ଧର୍ମାନ୍ତରୀକରଣକୁ ସେ ଘୋର ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ। ୧୯୯୬ରୁ ୨୦୦୦ ମସିହା ଯାଏ ପାକ୍ଷିକ ପତ୍ରିକା ଜାଗରଣ ପତ୍ରିକାର ସେ ସଂପାଦକ ଥିଲେ। ୨୦୦୦ରୁ ୨୦୦୩ ଯାଏ ସେ ଓଡ଼ିଶା ପାଇଁ ଆର୍‌ଏସ୍‌ଏସ୍‌ର ମୁଖପାତ୍ର ରହିଥିଲେ। ୨୦୧୦ରୁ ୨୦୧୩ ଯାଏ ବଜରଂଗ ଦଳର ରାଷ୍ଟ୍ରୀୟ ମୁଖ୍ୟ ସଂ‌ଯୋଜକ ଦାୟିତ୍ବ ମଧ୍ୟ ନିର୍ବାହ କରିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସେ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ତେବେ ୨୦୧୯ରେ ବିଜେପି ଛାଡ଼ି ସେ ବିଜେଡିରେ ସାମିଲ ହୋଇଥିଲେ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୁବାସ ଚୌହାନ ପୁଣିଥରେ ବରଗଡ଼ ଲୋକସଭା ଆସନ ପାଇଁ ବିଜେପିରୁ ଟିକଟର ପ୍ରମୁଖ ଦାବିଦାର ଥିଲେ। ୨୦୧୪ର ଲୋକପ୍ରିୟତାକୁ ଆଧାର କରି ତାଙ୍କ ପ୍ରଚାର ଆରମ୍ଭ ହୋଇ ଯାଇଥିଲା। କିନ୍ତୁ ୨୦୧୯ ପ୍ରାର୍ଥୀ ତାଲିକାରୁ ତାଙ୍କ ନାମ ଆଶ୍ଚର୍ଯ୍ୟଜନକ ଭାବେ ବାଦ୍‌ ପଡ଼ିଥିଲା। ଏହାପରେ ସଂଘ ପରିବାର ସହ ଦୀର୍ଘ ବର୍ଷର ସଂପର୍କ ଛିନ୍ନ କରି ସେ ନବୀନ ନିବାସରେ ବିଜେଡିରେ ସାମିଲ ହୋଇଥିଲେ। ସାଧାରଣ ନିର୍ବାଚନ ବେଳେ ବରଗଡ଼ ସମେତ ତିନିଟି ଜିଲ୍ଲାର ପ୍ରଚାର ଦାୟିତ୍ବ ମଧ୍ୟ ସେ ତୁଲାଇ ଥିଲେ। ବିଜେଡି ତାଙ୍କୁ ପ୍ରଥମେ ରାଜ୍ୟ ସାଧାରଣ ସଂପାଦକ ସହ ପ୍ରବକ୍ତା ଦାୟିତ୍ବ ଦେଇଥିଲା। ଏହାପରେ ବିଜେପୁର ଉପନିର୍ବାଚନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ମଧ୍ୟ ଚର୍ଚ୍ଚା ଚାଲିଥିଲା। ପରେ ତାଙ୍କୁ ଦଳ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଦେଇଥିଲା।

ସମ୍ବନ୍ଧିତ ଖବର